ଆସନ୍ତାକାଲିଠାରୁ ଜରି ଧରିଲେ ଦେବାକୁ ପଡ଼ିବ ଜରିମାନା!

ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୫ଟି ମହାନଗରରେ ପ୍ଲାଷ୍ଟିକ ନିଷିଦ୍ଧ ନେଇ ସରକାର କଟକଣା ଜାରି କରିଥିଲେ। କିନ୍ତୁ ଏସବୁ ମହାନଗର ଗୁଡ଼ିକରେ ପ୍ଲାଷ୍ଟିକ ବ୍ୟବହାର କମିବା ବଦଳରେ ଏହାର ଖୁଲମଖୁଲା ବ୍ୟବହାର ଚାଲିଛି। ରାସ୍ତାକଡ଼ ବେପାରୀଙ୍କ ଠାରୁ ଆରମ୍ଭ କରି ଗ୍ରୋସରି ଦୋକାନ ପର୍ଯ୍ୟନ୍ତ ସବୁଠାରେ ପଲିଥିନ ଖୁଲମଖୋଲା ବ୍ୟବହାର ହେଉଛି। ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ କି ସହରକୁ ପଲିଥିନ ମୁକ୍ତ କରାଯାଇ ପାରୁନାହିଁ।

ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରକୁ ପଲିଥିନ୍‌ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ଭୁବନେଶ୍ୱରେ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ଆସନ୍ତାକାଲିଠାରୁ ବିଏମ୍‌ସି ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯିବା ସହ ଜରିମାନ ଆଦାୟ କରିବାକୁ ବିଏମ୍‌ସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସି ବୈଠକର ନିଷ୍ପତ୍ତି ଅନୁଯାୟୀ ଏଣିକି ପ୍ଲାଷ୍ଟିକ କଟକଣା ନ ମାନିଲେ ଦେବାକୁ ପଡ଼ିବ ଜରିମାନା। ଏହି କଟକଣା ଖାଉଟି, ରାସ୍ତକଡ଼ ବେପାରୀ, ରେଷ୍ଟୁରାଣ୍ଟ ଓ ହୋଟେଲମାନଙ୍କ ପାଇଁ ଲାଗୁ କରାଯାଇଛି। ୩ଥର ଜରିମାନା ଦେଲା ପରେ ଯଦି ଧରାପଡ଼ନ୍ତି ତେବେ ହେବ ଫୌଜଦାରୀ ମାମଲା।

ଆସନ୍ତାକାଲିଠାରୁ ପଲିଥିନ ଧରିଲେ ଦେବାକୁ ପଡ଼ିବ ଜରିମାନା। ଖାଉଟିଙ୍କ ପାଇଁ ୨୦୦, ୫୦୦ ଓ ୧୦୦୦ ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ରହିଛି। ରାସ୍ତାକଡ଼ ବେପାରୀଙ୍କ ପାଇଁ ୫୦୦, ୧୦୦୦ ଓ ୨୦୦୦ ଟଙ୍କା, ରେଷ୍ଟୁରାଣ୍ଟ ପାଇଁ ୧୦୦୦, ୨୦୦୦ ଓ ୫୦୦୦ ଟଙ୍କା ଥିବା ବେଳେ ହୋଟେଲଗୁଡ଼ିକ ପାଇଁ ୨୦୦୦, ୧୦,୦୦୦, ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି।

ଦୋକାନୀ ତଥା ରାସ୍ତାକଡ ଉଠା ଦୋକାନୀମାନେ ପଲିଥିନ ବ୍ୟବହାର କଲେ ସେମାନଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡିବ। ପ୍ରଥମ ଥର ଭୁଲ କଲେ ୫୦୦ ଟଙ୍କା, ଦ୍ୱିତୀୟ ଥର ପାଇଁ ୧୦୦୦ ଏବଂ ତୃତୀୟ ଥର ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ୨୦୦୦ଟଙ୍କା ଫାଇନ୍ ଦେବାକୁ ପଡିବ । ପରବର୍ତୀ ସମୟରେ ଧରାପଡିଲେ ଏହି ଦୋକାନୀଙ୍କ ବିରୋଧରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହେବ । ସେହି ପରି ଛୋଟ ଛୋଟ ହୋଟେଲ- ରେଷ୍ଟୁରାଂଟ ମଧ୍ୟ ଏଥିରୁ ବାଦ ପଡିବେ ନାହିଁ । ପ୍ଲାଷ୍ଟିକ ବ୍ୟାନ ପରେ ଯଦି ଏହାର ବ୍ୟବହାର କରୁଥାନ୍ତି ତେବେ ଯଥାକ୍ରମେ ୧୦୦୦, ୨୦୦୦ ଓ ୫୦୦୦ ଟଙ୍କା ଫାଇନ ଦେବେ । ଏହାପରେ ଯଦି ନିୟମ ନ ମାନନ୍ତି ତେବେ ତାଙ୍କର ଦୋକାନର ଲାଇସେନ୍ସ ରଦ୍ଦ କରାଯିବ ।

ଅନ୍ୟପଟେ ଷ୍ଟାର କାଟାଗୋରୀ ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟରେ ଯଦି ନିୟମ ଭାଙ୍ଗନ୍ତି ତେବେ ଯଥାକ୍ରମେ ୨୦୦୦, ୧୦,୦୦୦ ଓ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିବ ବିଏମସି । ଏହାପରେ ହୋଟେଲ କର୍ତ୍ତୃପକ୍ଷ ନିୟମ ଭାଙ୍ଗନ୍ତି ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଫୌଜଦାରୀ ମାମଲା ରୁଜୁ କରାଯିବ । ସେହିଭଳି ଏହି ସର୍ମ୍ପକିତ ଅଭିଯୋଗ ପାଇଁ ମଧ୍ୟ ଫୋନ ଓ ହ୍ୱାଟସଆପ ନମ୍ବର ଜାରି କରିଛି ବିଏମସି ।ଅଭିଯୋଗକାରୀ ମାନେ ୧୮୦୦୩୪୫୦୦୬୧ ନିଶ୍ଳ୍କ ଫୋନ ନମ୍ବରରେ ନିଜର ଅଭିଯୋଗ ଜଣାଇପାରିବେ । ସେହିଭଳି ନିଜର ଅଭିଯୋଗ ୮୫୯୯୦୭୧୯୦୦ ହ୍ୱାଟସଆପ ନମ୍ବରରେ ମଧ୍ୟ ପଠାଇପାରିବେ ବୋଲି ବିଏମସି ବୈଠକରେ ନିଷ୍ପତି ନିଆଯାଇଛି ।

ସମ୍ବନ୍ଧିତ ଖବର