ପାଟ୍‌ନା: ଆପଣ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଦେଖିଥିବେ। ଖେଳକୁଦରୁ ନେଇ ଦୌଡ଼ାଡ଼ିଆଁ, ଗୀତନାଚ ଏବଂ ଖାଦ୍ୟ ପ୍ରତିଯୋଗିତା ମଧ୍ୟ। ପୂର୍ବରୁ ସୋସିଆଲ୍‌ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ବିରିୟାନି, ‌ଆମିଷ ଓ ନିରାମିଷ ଥାଳି, ଗୁପ୍‌ଚୁପ୍‌ ଆଦି ଖାଦ୍ୟକୁ ନେଇ ପ୍ରତିଯୋଗିତା ହୋଇଥାଏ।

Advertisment

ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ଭାରତର ଅଧିକାଂଶ ଲୋକଙ୍କର ଆମ୍ବ ଏକ ପ୍ରିୟ ଫଳ।  ଏହି ଫଳ ଗ୍ରୀଷ୍ମ ଋତୁରେ ବହୁଳ ମାତ୍ରାରେ ଉପଲବ୍ଧ। ଲୋକମାନେ ଏହାର ବିଭିନ୍ନ କିସମକୁ ଉପଭୋଗ କରିବାକୁ ପସନ୍ଦ କରିଥାନ୍ତି। ଆମେ ଯେତେବେଳେ ଆମ୍ବ ବିଷୟରେ ଆଲୋଚନା କଲେଣି ତ, ଆସନ୍ତୁ ବିହାରରେ ଆୟୋଜିତ ଆମ୍ବ ଖାଇବା ପ୍ରତିଯୋଗିତା ବିଷୟରେ ବି ଚର୍ଚ୍ଚା କରିବା।

ଏହି ପ୍ରତିଯୋଗିତା ବିହାରର ପାଟନାରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବର ଏକ ଅଂଶ ଥିଲା। ବିହାର ସରକାରଙ୍କ ଉଦ୍ୟାନ କୃଷି ବିଭାଗ, କୃଷି ବିଭାଗ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଜୁନ୍ ୧୮ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିଲା। ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଏହାର ଏକ ଭିଡିଓ ଟ୍ୱିଟରରେ ଏଆଇଆର୍‌ ନ୍ୟୁଜ୍ ଦ୍ୱାରା ସେୟାର କରାଯାଇଥିଲା।

ଏହି କ୍ଲିପ୍‌ରେ ଅନେକ ପ୍ରତିଯୋଗୀ ଆମ୍ବ ଖାଉଥିବାର ନଜର ଆସିଛନ୍ତି। ସେମାନଙ୍କ ସାମ୍ନାରେ ଆମ୍ବରେ ପରିପୂର୍ଣ୍ଣ ଏକ ଥାଳି ରଖାଯାଇଛି ଏବଂ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାହାକୁ ଶେଷ କରିବାକୁ କୁହାଯାଇଛି। ଏହି ଆମ୍ବଖିଆ ପ୍ରତିଯୋଗିତାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।