ଭାରତର ସମ୍ବିଧାନ ଲୋକଙ୍କ ସମ୍ବିଧାନ। ତେବେ ସମ୍ବିଧାନ ପ୍ରସ୍ତୁତି ପ୍ରକ୍ରିୟାରେ ଦେଶର ସଚେତନ ନାଗରିକ ସକ୍ରିୟ ଭାବେ ସଂଶ୍ଳିଷ୍ଟ ଥିଲେ କି ନା-ଏହାକୁ ନେଇ କେବେ କେବେ ପ୍ରଶ୍ନ ଉଠେ। କେତେକ ସମ୍ବିଧାନ ବିଶେଷଜ୍ଞ ଏହି ପ୍ରଶ୍ନ ଉଠାନ୍ତି। ସେମାନଙ୍କ ମତରେ, ସମ୍ବିଧାନ ପ୍ରଣୟନ ବେଳେ ଜନତାଙ୍କ ମତାମତ ଆସିଥିଲା ସତ, ମାତ୍ର ସେମାନଙ୍କ ବିଚାରଧାରା ସମ୍ବିଧାନରେ ପ୍ରକୃଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା ତ! ଏଭଳି ଏକ ମତବାଦ ଓ ବାସ୍ତବତାକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...
ଏବେ ବି କେତେକଙ୍କର ଧାରଣା ରହିଛି ଯେ ଭାରତୀୟ ସମ୍ବିଧାନ କତିପୟ ଶିକ୍ଷିତ ଓ ସମ୍ଭ୍ରାନ୍ତଙ୍କ ଦ୍ବାରା ପ୍ରସ୍ତୁତ ଏବଂ ସମ୍ବିଧାନ ପ୍ରସ୍ତୁତିରେ ସାଧାରଣ ଲୋକଙ୍କର ସମ୍ପୃକ୍ତି ନ ଥିଲା। ଯଦି ଇତିହାସକୁ ପରଖିବା, ତେବେ ଦେଖିବା, ସମ୍ବିଧାନ ପ୍ରସ୍ତୁତି ପ୍ରକ୍ରିୟାରେ ଦେଶର ସଚେତନ ନାଗରିକ ସକ୍ରିୟ ଭାବେ ସଂଶ୍ଳିଷ୍ଟ ଥିଲେ। କିନ୍ତୁ କେତେକ ରାଜନୀତି ବିଜ୍ଞାନ ବିଶେଷଜ୍ଞ ଏହି କଥାରେ ଏକମତ ହୁଅନ୍ତି ନାହିଁ। ସେମାନେ କହନ୍ତି, ସମ୍ବିଧାନ ପ୍ରଣୟନ ବେଳେ ଜନତାଙ୍କ ମତାମତ ଆସିଥିଲା ସତ, ମାତ୍ର ସେମାନଙ୍କ ବିଚାରଧାରା ସମ୍ବିଧାନରେ ପ୍ରକୃଷ୍ଟ ଭାବେ ପ୍ରତିଫଳିତ ହୋଇ ନ ଥିଲା। ତେବେ ଭିନ୍ନମତାଲମ୍ବୀ ଐତିହାସିକଙ୍କ ମତରେ ଭାରତୀୟ ସମ୍ବିଧାନ ପ୍ରସ୍ତୁତି ସୀମିତସଂଖ୍ୟକ ଶିକ୍ଷିତ ଓ ସମୃଦ୍ଧବର୍ଗଙ୍କ ଦ୍ବାରା ପରିଚାଳିତ ନିଭୃତ ବ୍ୟାପାର ନ ଥିଲା। ଦେଶର ବିଭିନ୍ନ ପ୍ରାନ୍ତର ବ୍ୟକ୍ତିବିଶେଷ ଏବଂ ବହୁ ସଙ୍ଗଠନ ସକ୍ରିୟ ଭାବେ ସମ୍ବିଧାନ ସଭାକୁ ନିଜସ୍ବ ପ୍ରସ୍ତାବ ଓ ଚିନ୍ତାଧାରା ଅବଗତ କରିଥିଲେ ଏବଂ କେତେକାଂଶରେ ତାହା ଗ୍ରହଣୀୟ ମଧ୍ୟ ହୋଇଥିଲା। ଏହା ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟଙ୍କୁ ଦେଶବାସୀଙ୍କ ଆଶା ଆକାଂକ୍ଷା ଓ ଦାବିକୁ ବୁଝିବାରେ ସକ୍ଷମ କରିଥିଲା।
ଚିଠି ଓ ଟେଲିଗ୍ରାମ୍ରେ ଆସିଥିଲା ଜନମତ
ଦେଶ ସ୍ବାଧୀନ ହେବା ପୂର୍ବରୁ ଭାରତର ସମ୍ବିଧାନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମଗ୍ର ଦେଶ ଏଥିଲାଗି କନ୍ଷ୍ଟିଟୁଏଣ୍ଟ୍ ଆସେମ୍ପ୍ଲି ବା ସମ୍ବିଧାନ ସଭାକୁ ପ୍ରତିନିଧି ପଠାଇଥିଲା। ୧୯୪୬ ଡିସେମ୍ବରରେ ସମ୍ବିଧାନ ସଭା ଗଠନ ହେବାପରେ ନୂତନ ସମ୍ବିଧାନର ଚିଠା ପ୍ରସ୍ତୁତି ଲାଗି ଜନମତ ଆହ୍ବାନ କରିଥିଲା।
ଫଳରେ ଦେଶର କୋଣଅନୁକୋଣରୁ ଲୋକଙ୍କଠାରୁ ଡାକ ଯୋଗେ ହଜାର ହଜାର ପତ୍ର ଆସିଥିଲା। ଅନେକ ଟେଲିଗ୍ରାମ୍ କରି ମତ ପଠାଇଥିଲେ। ବିଶେଷ ଭାବେ ଅହମଦାବାଦ, ଆହ୍ଲାବାଦ, ବମ୍ବେ, କଲିକତା, ଢାକା, ଲକ୍ଷ୍ନୌ, ମଦୁରାଇ, ପାଟନା ଓ ଶିମ୍ଲା ଭଳି ସହର ସମେତ ଦେଶର ଅଧିକାଂଶ ସହରରୁ ବିପୁଳ ସଂଖ୍ୟାରେ ପତ୍ର ଆସିଥିଲା। କେବଳ ସେତିକି ନୁହେଁ, ଚିଟାଗଙ୍ଗ ପାର୍ବତ୍ୟ ଅଞ୍ଚଳ, ଦାର୍ଜିଲିଙ୍ଗ୍ ଓ ଲୁସ୍ହାଇ ହିଲ୍ସ୍ ଭଳି ଦୁର୍ଗମ ଅଞ୍ଚଳବାସୀ ମଧ୍ୟ ନିଜସ୍ବ ପ୍ରସ୍ତାବନା ସହ ସମ୍ବିଧାନ ସଭାକୁ ପତ୍ର ଲେଖିଥିଲେ। ଭୌଗୋଳିକ ଦୃଷ୍ଟିରୁ ବିଚ୍ଛିନ୍ନ ବା ବିକ୍ଷିପ୍ତ ଅଞ୍ଚଳର ଜନସାଧାରଣ ଉକ୍ତ ପତ୍ରାବଳିରେ ସେମାନଙ୍କ ମତାମତ ଓ ଦାବି ଉପସ୍ଥାପନ କରିଥିଲେ। ସାମ୍ବିଧାନିକ ପ୍ରକ୍ରିୟାରେ ଭାଗ ନେବା ଲାଗି ଜନସାଧାରଣଙ୍କର ଆଗ୍ରହ କେତେ ବ୍ୟାପକ ତାହା ଏସବୁ ପତ୍ରାବଳି ହିଁ ସୂଚାଉଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସମ୍ବିଧାନ ସଭା ନିକଟକୁ ଆସିଥିବା ପ୍ରତ୍ୟେକ ଚିଠିର ପ୍ରାପ୍ତିସ୍ବୀକାର କରାଯାଇଥିଲା। ଏହି ପତ୍ରାବଳି ଭାରତର ସମ୍ବିଧାନର ରୂପରେଖକୁ ପ୍ରଭାବିତ କରିଥିଲା।
ଇନ୍ଦ୍ର ଲାଲ୍ଙ୍କ ୫୫ ପୃଷ୍ଠାର ପ୍ରସ୍ତାବ ପତ୍ର!
ଦେଶର ସଚେତନ ନାଗରିକଙ୍କର ସମ୍ବିଧାନକୁ ନେଇ କିଭଳି ଆବେଗ ଓ ଅପେକ୍ଷା ଥିଲା ତାହାର ଏକ ଉଦାହରଣ ହେଉଛି ଇନ୍ଦ୍ର ଲାଲ୍ ନାମକ ବ୍ୟକ୍ତିଙ୍କ ୫୫ ପୃଷ୍ଠାର ପତ୍ର। ଭାରତୀୟ ସାମ୍ବିଧାନିକ ସଭା ବିତର୍କ ଆରମ୍ଭ କରିବା ପୂର୍ବରୁ ସହରଣପୁରରୁ ଅବସରପ୍ରାପ୍ତ ଅଧିକାରୀ ଇନ୍ଦ୍ର ଲାଲ୍ ସମ୍ବିଧାନ ସଭା ସଚିବଙ୍କ ନିକଟକୁ ୫୫ ପୃଷ୍ଠାସମ୍ବଳିତ ପ୍ରସ୍ତାବନା ପଠାଇଥିଲେ। ଦେଶର ବିବିଧ ସାଂସ୍କୃତିକ, ଆର୍ଥିକ ଓ ରାଜନୈତିକ ବୈଶିଷ୍ଟ୍ୟସମୂହ ମଧ୍ୟରେ ସୌହାର୍ଦ୍ଦଭରା ସମ୍ବନ୍ଧ ରକ୍ଷା କରାଯିବା ପାଇଁ ‘ଭାରତୀୟ ସମ୍ବିଧାନର ମୌଳିକ ନୀତିନିୟମ’ ଶୀର୍ଷକ ଲାଲ୍ଙ୍କ ପ୍ରସ୍ତାବପତ୍ର ଥିଲା ଏକ ନିଷ୍ଠାପର ଉଦ୍ୟମ। ଲାଲ୍ ଚାହୁଥିଲେ ସମ୍ବିଧାନ ସଭା ଏହାକୁ ମୁଦ୍ରଣ କରାଇ ସଦସ୍ୟମାନଙ୍କୁ ବିତରଣ କରୁ। କିନ୍ତୁ, ସେହି ଧରଣର ବାର୍ତ୍ତା ଓ ପ୍ରସ୍ତାବ ବିପୁଳ ପରିମାଣରେ ଆସିବାରୁ ଲାଲ୍ଙ୍କ ପ୍ରସ୍ତାବପତ୍ର ଛାପି ସମ୍ବିଧାନ ସଭା ସଦସ୍ୟମାନଙ୍କୁ ବିତରଣ କରିବା ସମ୍ଭବ ନ ଥିଲା।
କେବଳ ଇନ୍ଦ୍ର ଲାଲ୍ ନୁହନ୍ତି, ତାଙ୍କ ଭଳି ୫୦ ଜଣ ବ୍ୟକ୍ତି ଓ ବହୁ ସଂଗଠନ ଭାରତର ନୂଆ ସମ୍ବିଧାନ ନିମନ୍ତେ ବହୁ ଉପାଦେୟ ପରାମର୍ଶ ଓ ପ୍ରସ୍ତାବ ଦେଇଥିଲେ। ସେମାନେ ଦେଇଥିବା ଅଧିକାଂଶ ପ୍ରସ୍ତାବରେ ଉଲ୍ଲେଖ ଥିଲା- ଗଣତନ୍ତ୍ର ଯେମିତି ସୁଦୃଢ଼ ଭିତ୍ତି ଉପରେ ସ୍ଥାପନ ହୁଏ, ତାହା ସୁନିଶ୍ଚିତ ହେବା ଉଚିତ। ଆଉ କେତେକ ଲେଖିଥିଲେ, ମୁକ୍ତ ଓ ଗଣତାନ୍ତ୍ରିକ ଭାରତର ସମ୍ବିଧାନ ଏପରି ହେବା ଉଚିତ, ଯାହା ଦୁର୍ବଳ ଓ ପଛୁଆ ବର୍ଗଙ୍କ ସମେତ ପ୍ରତ୍ୟେକ ଭାରତୀୟଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦେଉଥିବ। ପୁଣି କେତେକ ଅଧିକାର, ସୀମିତ ସ୍ବାଧୀନତା ଓ ସମାନତା ଉପରେ ଭିନ୍ନ ଭିନ୍ନ ମତପୋଷଣ କରିଥିଲେ। ଏ ସବୁ ପ୍ରସ୍ତାବ କୌଣସି ଗୋଟିଏ ସମ୍ପ୍ରଦାୟ ଅଥବା ସଙ୍ଗଠନରେ ସୀମିତ ନ ଥିଲା; ତାହା ଥିଲା ବ୍ୟାପକ ଓ ବିବିଧ।
ଅଧିକାଂଶ ପତ୍ରର ଭାଷା ଥିଲା ଇଂରାଜୀ
ସାକ୍ଷରତା ହାର ଅପେକ୍ଷାକୃତ ସ୍ବଳ୍ପ ଥାଇ ସୁଦ୍ଧା ଭାରତ ସ୍ବାଧୀନତାର ପ୍ରାରମ୍ଭିକ କାଳରେ ଜନସାଧାରଣଙ୍କ ମଧ୍ୟରେ ଉଲ୍ଲେଖନୀୟ ରାଜନୈତିକ ସଚେତନତା ଆସିଯାଇଥିଲା। କେମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍କର୍ତ୍ତୃକ ପ୍ରକାଶିତ ନିବନ୍ଧ ‘ଜନତା ଓ ଭାରତର ସମ୍ବିଧାନ ନିର୍ମାଣ’ରେ ଐତିହାସିକ ଅର୍ଣ୍ଣିତ ସାହାଣୀ ସମ୍ବିଧାନ ପ୍ରସ୍ତୁତିରେ ସାଧାରଣ ଜନତାଙ୍କ ଭୂମିକା ପ୍ରସଙ୍ଗ ବିସ୍ତୃତଭାବେ ବର୍ଣ୍ଣନା କରିଛନ୍ତି। ଏଭଳି ଅଧ୍ୟୟନ ନିମନ୍ତେ ସେ ଅଭିଲେଖାଗାରରେ ଗଚ୍ଛିତ ୧୬ଟି ପୃଥୁଳକାୟ ନଥିକୁ ପୁଙ୍ଖାନୁପୁଙ୍ଖ ପଢ଼ିଥିଲେ। ସେଥିରେ ସମ୍ବିଧାନ ପ୍ରସ୍ତୁତି ସଂକ୍ରାନ୍ତ ସହସ୍ରାଧିକ ପତ୍ର, ଟେଲିଗ୍ରାମ୍, ପ୍ରସ୍ତାବ, ପୁସ୍ତିକା ଓ ବିବୃତି ଇତ୍ୟାଦି ଥିଲା। ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଉଛି, ସେ ସବୁର ବହୁଳାଂଶ ଇଂରାଜୀରେ ଲିଖିତ ଓ ଟାଇପ୍ ହୋଇଥିଲା। ମାତ୍ର ଅଳ୍ପ କେଇଟି ପତ୍ର/ପ୍ରସ୍ତାବ ପ୍ରାନ୍ତୀୟ ଭାଷାରେ ଆସିଥିଲା ଏବଂ ହସ୍ତଲିଖିତ ପତ୍ରସଂଖ୍ୟା ବି ନଗଣ୍ୟ ଥିଲା। ଏହାଛଡ଼ା, ନୂତନ ସମ୍ବିଧାନ ଗଠନ ପ୍ରକ୍ରିୟା ଆରମ୍ଭର ଅବ୍ୟବହିତ ପୂର୍ବରୁ ୧୯୪୬ ଅଗଷ୍ଟ ମାସରୁ ଦେଶର ଅଧିକାଂଶ ସମ୍ବାଦପତ୍ର ଭବିଷ୍ୟତ ସମ୍ବିଧାନର ବୈଶିଷ୍ଟ୍ୟ ଉପରେ ଜନସାଧାରଣ ଓ ବିଭିନ୍ନ ସଙ୍ଗଠନର ମତାମତ ନିୟମିତ ପ୍ରକାଶ କେଲ। ‘ପାଠକଙ୍କ ମତାମତ’ ଓ ‘ସମ୍ପାଦକଙ୍କୁ ପତ୍ର’ ବିଭାଗରେ ସେସବୁ ମନ୍ତବ୍ୟ ପ୍ରକାଶ ପାଇଥିଲା।
ଜଣେ ବି ମହିଳା ଚିଠି ଲେଖି ନଥିଲେ!
ଯଦିଓ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ସମ୍ବିଧାନ ପ୍ରସ୍ତୁତି ଲାଗି ମତ ପ୍ରେରଣରେ ସେମାନେ ସକ୍ରିୟ ନ ଥିଲେ। ସମ୍ବିଧାନ ସଭାକୁ ପ୍ରେରିତ ପତ୍ରାବଳିରେ କୌଣସି ମହିଳାଙ୍କ ମତ ନ ଥିଲା। କେବଳ ଦୁଇଟି ଆଦିବାସୀ ମହିଳା ସଙ୍ଗଠନ ପତ୍ର ଦେଇଥିଲା। କିନ୍ତୁ, ସରକାରୀ ରେକର୍ଡରେ ନ ଥିଲେ ବି ଅଖିଳ-ଭାରତୀୟ ମହିଳା ସମ୍ମିଳନୀ ସମ୍ବିଧାନ ଗଠନ ପ୍ରକ୍ରିୟାରେ ସକ୍ରିୟ ଥିଲା। ଏହାର ସଦସ୍ୟାମାନେ ନିର୍ଦ୍ଦିଷ୍ଟ ଦାବି ନିମନ୍ତେ ଅଭିଯାନ ଚଳାଇବା ସହିତ ସମ୍ବିଧାନ ସଭାର ସଦସ୍ୟମାନଙ୍କୁ ଭେଟିଥିବା ସୂଚନା ମିଳେ। ଉଲ୍ଲେଖଯୋଗ୍ୟ, ୨୯୯ ସଭ୍ୟବିଶିଷ୍ଟ ସମ୍ବିଧାନ ସଭାରେ ୧୫ ଜଣ ମହିଳା ସଦସ୍ୟ ଥିଲେ। ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ନିର୍ବାଚିତ ହୋଇଥିଲେ। ତେବେ ସେ ସଦସ୍ୟତାରୁ ଇସ୍ତଫା ଦେଇ ଗାନ୍ଧିଜୀଙ୍କ ସାଂପ୍ରଦାୟିକ ସଦ୍ଭାବନା ପଦଯାତ୍ରାରେ ସାମିଲ ହୋଇଥିଲେ।
ଲକ୍ଷେ ପାର୍ସୀଙ୍କର ୩ ପ୍ରତିନିଧି, ୩୦ ଲକ୍ଷ ଗୁର୍ଖାଙ୍କ ପାଇଁ ଶୂନ!
ସମ୍ବିଧାନ ସଭାର ସାମ୍ବିଧାନିକ ଉପଦେଷ୍ଟା କମିଟିରେ ଜୈନ ସମ୍ପ୍ରଦାୟ ପ୍ରତିନିଧିଙ୍କ ଅନୁପସ୍ଥିତି ଯୋଗୁଁ ଭାରତର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଜୈନ ସଙ୍ଗଠନ ଟେଲିଗ୍ରାମ୍ ଓ ପତ୍ର ଜରିଆରେ ଉଦ୍ବିଗ୍ନତା ପ୍ରକାଶ କରିଥିଲେ। ସେମାନଙ୍କ ସମ୍ପ୍ରଦାୟରୁ ଅନ୍ୟୂନ ଜଣେ ପ୍ରତିନିଧି ରଖାଯାଉ ବୋଲି ନିବେଦନ କରିଥିଲେ। ଅଖିଳ ଭାରତ ଗୁର୍ଖା ଲିଗ୍ ଭଳି ସଙ୍ଗଠନର ଅଧ୍ୟକ୍ଷ ଲେଖିଥିଲେ ଯେ, ଭରତରେ ୧ ଲକ୍ଷରୁ କମ୍ ଥିବା ପାର୍ସୀମାନଙ୍କର ତିନିଜଣ ପ୍ରତିନିଧି ଥିବାବେଳେ ୩୦ ଲକ୍ଷ ଗୁର୍ଖାମାନଙ୍କର ଆଦୌ ପ୍ରତିନିଧି ନ ରହିବା ବଡ଼ ଅନ୍ୟାୟ। ସେହିପରି, କେତେକ ଜାତି, ସମାଜ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ସ୍ବୀକୃତି ଦାବିକରି ସମ୍ବିଧାନ ସଭାରେ ପ୍ରତିନିଧିତ୍ବ ଚାହିଥିଲେ। ଏହାଛଡ଼ା ଅଖିଳ ଭାରତୀୟ ଖ୍ରୀଷ୍ଟିଆନ୍ ସମ୍ମିଳନୀ, କେନ୍ଦ୍ରୀୟ ଇହୁଦୀ ବୋର୍ଡ, ବମ୍ବେ ଓ ବଙ୍ଗ ପ୍ରାଦେଶିକ ବୌଦ୍ଧ ସଂଘ ଓ ଅଖିଳ-ଭାରତ ମୋମିନ୍ ସମ୍ମିଳନୀ ଭଳି ଅନ୍ୟାନ୍ୟ ଧାର୍ମିକ ଧାରାକୁ ପ୍ରତିନିଧିତ୍ବ କରୁଥିବା ସଂଗଠନ ମଧ୍ୟ ସମପ୍ରକାରର ନିବେଦନ କରିଥିଲେ। ଅନ୍ୟ ପକ୍ଷରେ ବିଭିନ୍ନ ଜାତିର ସଂଗଠନ ଓ ପେସାଦାର ସଙ୍ଗଠନ ମଧ୍ୟ ଉପଦେଷ୍ଟା କମିଟିରେ ପ୍ରତିନିଧିତ୍ବ କରିବା ପାଇଁ ବ୍ୟାପକ ଚାପ ସୃଷ୍ଟି କରିଥିଲେ। ପ୍ରାପ୍ତ ତଥ୍ୟରୁ ଜଣାପଡ଼େ, ଅନ୍ୟୂନ ୧୫୦ ସଙ୍ଗଠନ ଏବଂ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତି ସମ୍ବିଧାନ ସଭା ଉପଦେଷ୍ଟା କମିଟିର ସଦସ୍ୟ ହେବା ପାଇଁ ଅନୁରୋଧ ପତ୍ର ଲେଖିଥିଲେ।
ଏହାପରେ ସାମ୍ବିଧାନିକ ଉପଦେଷ୍ଟା କମିଟି କାର୍ଯ୍ୟାଳୟ ଏ ସମସ୍ତ ପିଟିସନ୍, ପୁସ୍ତିକା ଓ ବିବରଣୀ ସବୁ ଅନୁଧ୍ୟାନ କରିଥିଲା। ସମ୍ବିଧାନ ସଭା ସଚିବାଳୟ ଏତେ ସଂଖ୍ୟକ ପ୍ରସ୍ତାବ ଓ ବିବରଣୀ ଆସିବ ବୋଲି ଆଶା କରି ନ ଥିଲା। ପ୍ରାପ୍ତ ପ୍ରସ୍ତାବଗୁଡ଼ିକ ପ୍ରତି ଦୃଷ୍ଟି ଦେବା ପାଇଁ ସହକାରୀ ସଚିବ କେ. ଭି. ପଦ୍ମନାଭନ୍ ରିସର୍ଚ ଅଫିସର୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଳ୍ପ କିଛି ଦିନ ପରେ ସେ ଏ ବିଷୟରେ ନୋଟ୍ ଦାଖଲ କଲେ। ସେଥିରେ ସେ ଲେଖିଥିଲେ ଯେ, ସଙ୍ଗଠନରୁ ଆସିଥିବା ପତ୍ରାବଳି ସବୁ ପ୍ରତିନିଧିତ୍ବ ଦାବି ସମ୍ବନ୍ଧୀୟ। ବ୍ୟକ୍ତିବିଶେଷ ଦେଇଥିବା ପ୍ରସ୍ତାବଗୁଡ଼ିକରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ନୂଆ ପ୍ରସଙ୍ଗ ବିଷୟକ ସାରାଂଶ ପ୍ରସ୍ତୁତ କଲେ ତାହା କାର୍ଯ୍ୟରେ ଲାଗିପାରେ। ବ୍ୟକ୍ତିବିଶେଷ ଓ ସଙ୍ଗଠନଗୁଡ଼ିକରୁ ଆସିଥିବା ପ୍ରସ୍ତାବ ଉପରେ ସମ୍ବିଧାନ ସଭା ସଚିବାଳୟ ଆଲୋଚନା କରିବା ସହିତ କେତେକ ପ୍ରସ୍ତାବ ସମୀକ୍ଷା କରିଥିଲା। ସବୁସତ୍ତ୍ବେ, ସାମ୍ବିଧାନିକ ଢାଞ୍ଚା ରୂପରେଖ ଦେବାରେ ସର୍ବସାଧାରଣଙ୍କର ଏହି ପ୍ରସ୍ତାବଗୁଡ଼ିକୁ କିଭଳି ବ୍ୟବହାର କରାଯାଇଥିଲା, ତାହାର ଠୋସ୍ ପ୍ରମାଣ ଗବେଷକଙ୍କ ହସ୍ତଗତ ହୋଇନାହିଁ।
ଲୋକଙ୍କ ହାତରେ ପ୍ରଥମ ଚିଠା ସମ୍ବିଧାନ
ଦେଶର ବିଭିନ୍ନ ପ୍ରାନ୍ତର ସାଧାରଣ ଲୋକ, ବିଶେଷଜ୍ଞ ଓ ସଂଗଠନର ମତାମତ ସଂଗ୍ରହ ପରେ ପ୍ରସ୍ତାବିତ ସମ୍ବିଧାନ ଲେଖନ କାର୍ଯ୍ୟ ଲାଗି ସମ୍ବିଧାନ ସଭା ୧୯୪୭ ମସିହା ଅଗଷ୍ଟ ୨୯ ତାରିଖରେ ଡ. ଭୀମ ରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ କମିଟି ଗଠନ କରିଥିଲା। ସଭାର ସାମ୍ବିଧାନିକ ଉପଦେଷ୍ଟା ବି. ଏନ୍. ରାଉ ବିଭିନ୍ନ କମିଟିର ରିପୋର୍ଟ ଏବଂ ସମ୍ବିଧାନ ସଭାର ଆଲୋଚନା ନିଷ୍କର୍ଷ ଆଧାରରେ ଚିଠା ସମ୍ବିଧାନ ପ୍ରସ୍ତୁତ କରି ୧୯୪୭ ଅକ୍ଟୋବରରେ ଏହାକୁ ଡ୍ରାଫ୍ଟିଙ୍ଗ୍ କମିଟି (ଚିଠା ପ୍ରସ୍ତୁତକାରୀ ସମିତି)କୁ ହସ୍ତାନ୍ତର କରିଥିଲେ। ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା ଏବଂ ଏହା ଉପରେ ବ୍ୟାପକ ପର୍ଯ୍ୟାଲୋଚନା ପରେ ୧୯୪୮ ମସିହା ଫେବ୍ରୁଆରି ୨୧ରେ ଡ୍ରାଫ୍ଟିଙ୍ଗ୍ କମିଟି ପ୍ରସ୍ତାବିତ ସମ୍ବିଧାନକୁ ସମ୍ବିଧାନ ସଭାକୁ ପରବର୍ତ୍ତୀ କାର୍ଯ୍ୟଧାରା ଲାଗି ହସ୍ତାନ୍ତର କରିଥିଲା।
ସମ୍ବିଧାନ ସଭାର ସଭାପତିଙ୍କ ନିକଟରେ ପ୍ରସ୍ତାବିତ ଚିଠା ସମ୍ବିଧାନ ଦାଖଲ କରାଯିବା ପରେ ଏହାକୁ ପ୍ରକାଶ କରି ସର୍ବସାଧାରଣଙ୍କ ମଧ୍ୟରେ ପ୍ରସାରଣ କରାଯାଇଥିଲା। ଅନେକ ମନ୍ତବ୍ୟ, ସମାଲୋଚନା ଓ ପ୍ରସ୍ତାବ ଆସିଲା। କେନ୍ଦ୍ର ସମ୍ବିଧାନ କମିଟି, ପ୍ରାଦେଶିକ ସମ୍ବିଧାନ କମିଟି ଓ ଡ୍ରାଫ୍ଟିଙ୍ଗ୍ କମିଟିର ସଦସ୍ୟଙ୍କୁ ନେଇ ଗଠିତ ସ୍ବତନ୍ତ୍ର କମିଟି ସେସବୁକୁ ତନଖି କଲେ। ଡ୍ରାଫ୍ଟିଙ୍ଗ୍ କମିଟି ଏସବୁ ମତମନ୍ତବ୍ୟକୁ ଗ୍ରହଣ କରି ୧୯୪୮ ମାର୍ଚ ୨୩, ୨୪, ୨୭ ଓ ଅକ୍ଟୋବର ୧୮ ତାରିଖରେ ଆଲୋଚନା ଆୟୋଜନ କଲା। ୧୯୪୮ ଅକ୍ଟୋବର ୨୬ରେ କମିଟି ଚିଠା ସମ୍ବିଧାନର ପୁନଃମୁଦ୍ରଣ କରି ସଂଶୋଧନ ହୋଇଥିବା ଧାରାସମ୍ବଳିତ ପୃଷ୍ଠା ସଂଯୋଜିତ କରି ୧୯୪୮ ଫେବ୍ରୁଆରି ୨୧ରେ ପୁନଶ୍ଚ ଦାଖଲ କରାଗଲା।
ତୃତୀୟ ପଠନ ପରେ ପରିସମାପ୍ତି
ଦ୍ବିତୀୟ ପଠନ ସମୟରେ ସମ୍ବିଧାନ ସଭା ପ୍ରସ୍ତାବିତ ସମ୍ବିଧାନର ପ୍ରତ୍ୟେକ ଧାରାରେ ଥିବା ଆଇନଗୁଡ଼ିକୁ ତନ୍ନ ତନ୍ନ କରି ଆଲୋଚନା କଲା। ୧୯୪୮ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏହି ବ୍ୟାପକ ଆଲୋଚନା ଚାଲିଲା। ଏଥିରେ ଅଧିକାଂଶ ସଂଶୋଧନ ପ୍ରସ୍ତାବ ରଦ୍ଦ କରାଗଲା। ବିତର୍କ ଶେଷ ହେବା ପରେ ଡ୍ରାଫ୍ଟିଙ୍ଗ୍ କମିଟି ସମ୍ବିଧାନ ସଭା ନିଷ୍ପତ୍ତି ଅନୁଯାୟୀ ଆବଶ୍ୟକ ସଂଶୋଧନ କଲା।
୧୯୪୯ ନଭେମ୍ବର ୩ରେ ସମ୍ବିଧାନ ସଭା ପୁନରାୟ ସଂଶୋଧିତ ଡ୍ରାଫ୍ଟ୍ ସମ୍ବିଧାନ ସଭାପତିଙ୍କ ନିକଟରେ ଦାଖଲ କଲା। ତା’ପରେ ୧୯୪୯ ନଭେମ୍ବର ୧୪ରେ ଏହାକୁ ଉପସ୍ଥାପନ କରାଗଲା।
ତା’ପରେ ହେଲା ଡ୍ରାଫ୍ଟ ସମ୍ବିଧାନର ତୃତୀୟ ପଠନ, କିନ୍ତୁ ଏଥିରେ ସାମାନ୍ୟ ବିତର୍କ ହୋଇଥିଲା। ୧୯୪୯ ନଭେମ୍ବର ୨୬ରେ ତୃତୀୟ ପଠନ ଶେଷ ହେଲା ଏବଂ ୧୯୫୦ ଜାନୁଆରି ୨୪ରେ ସମ୍ବିଧାନର ଚୂଡ଼ାନ୍ତ ସଂସ୍କରଣ ସମ୍ବିଧାନ ସଭା ସଦସ୍ୟମାନଙ୍କଦ୍ବାରା ସ୍ବାକ୍ଷରିତ ଓ ପ୍ରଣୀତ ହେଲା। ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରସ୍ତୁତ କରାଯାଇଥିବା ସମ୍ବିଧାନ ପରିଶେଷରେ ୧୯୫୦ ଜାନୁଆରି ୨୬ରେ କାର୍ଯ୍ୟକାରୀ କରାଗଲା। ପୂରା ପ୍ରକ୍ରିୟାର ଅବଧି ଥିଲା ୨ ବର୍ଷ, ୧୧ ମାସ ଓ ୧୮ ଦିନ ଏବଂ ଏଥିରେ ୬.୪ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା।