କାମ କରୁଥିବା ବେଳେ ଇଟା ଭାଟି ବ୍ୟବସାୟୀଙ୍କୁ ମିଳିଲା ୧.୨୦ କୋଟି ଟଙ୍କାର ହୀରା

ଭୋପାଲ: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ ୨୬.୧୧ କ୍ୟାରେଟର ହୀରା ମିଳିଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ହୀରାର ମୂଲ୍ୟ ୧.୨୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ପାନ୍ନା ସହରର କିଶୋରଗଞ୍ଜ ଅଞ୍ଚଳରେ  ସୁଶୀଲ ଶୁକ୍ଳା  ବସବାସ କରନ୍ତି। ସେ ଇଟାଭାଟି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ନିକଟରେ ସୁଶୀଲ ଶୁକ୍ଳା ତାଙ୍କର ଜଣେ ସହଯୋଗୀଙ୍କ ସହିତ କୃଷ୍ଣ କଲ୍ୟାଣପୁର ଅଞ୍ଚଳରେ ଥିବା ଖଣି ଖାଦାନରେ କାମ କରୁଥିଲେ। ଏହି ସମୟରେ ସେ ଏକ ପଥର ପାଇଥିଲେ। ଏହି ପଥର ସାଧାରଣ ପଥର ଠାରୁ ଭିନ୍ନ ଦେଖାଯାଉଥିବାରୁ ତାକୁ ସାଇତି ରଖିଥିଲେ। ପରେ ଗ୍ରାମବାସୀଙ୍କୁ ଏହି ପଥର ଦେଖାଇବା ବେଳେ ସେମାନେ ଏହାକୁ ହୀରା ପଥର ବୋଲି କହିଥି‌ଲେ। ଯାହାପରେ ସୁଶୀଳ ଉକ୍ତ ହୀରାକୁ ଧରି ସରକାରୀ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ବି ଉକ୍ତ ପଥରକୁ ହୀରା ବୋଲି ଚିହ୍ନଟ କରିଥିଲେ। ସୁଶୀଳ ଯେତେବେଳେ ନିଶ୍ଚିତ ହୋଇଯାଇଥିଲେ କି ସେ ପାଇଥିବା ପଥର ସାଧାରଣ ପଥର ନୁହେଁ, ଏକ ହୀରା ପଥର ଖୁସିରେ ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ।

ଏହି ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି, କିଛି ଦିନ ଭିତରେ ଉକ୍ତ ହୀରାର ନିଲାମ ଡକାଯିବ। ଏହାପରେ ସରକାରୀ ରୟାଲିଟି ଓ ଟିକସକୁ ବାଦ ଦେଇ ବାକି ଟଙ୍କା ସୁଶୀଲଙ୍କୁ ଦିଆଯିବ।

ସୁଶୀଲ କହନ୍ତି, ‘ମୋର ପରିବାର ଦୀର୍ଘ ୨୦ ବର୍ଷ ହେଲା ଖଣି ଖନନ କାର୍ଯ୍ୟରେ ଲାଗିଛନ୍ତି। ହେଲେ ପ୍ରଥମଥର ପାଇଁ ମୋତେ ଏଭଳି ମୂଲ୍ୟବାନ ପଥର ହୀରା ମିଳିଛି। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ହୀରା ନିଲାମ ପରେ ମୋତେ ଯାହା ବି ଟଙ୍କା ମିଳିବ, ସେହି ଟଙ୍କାରେ ମୁଁ ଗୋଟିଏ ବ୍ୟବସାୟ ଆରମ୍ଭ କରିବି ବୋଲି ସ୍ଥିର କରିଛି।’

ସମ୍ବନ୍ଧିତ ଖବର