କିଛି ଦିନ ତଳେ ବରଫାଚ୍ଛାଦିତ ଆଣ୍ଟାର୍କଟିକା ମହାଦେଶର ମ୍ୟାକ୍ମର୍ଡୋ ଉପତ୍ୟକାରେ ପ୍ରବାହିତ ରକ୍ତିମ ପ୍ରପାତ ବିଷୟରେ ଆମେ ଆଲୋଚନା କରିଥିଲେ। ତେବେ ପେରୁରେ ପ୍ରବାହିତ ଏକ ନଦୀ ତାହାର ଉତ୍ପତ୍ତିସ୍ଥଳରୁ ରକ୍ତବର୍ଣ୍ଣ ଧାରଣ କରିବାର ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବନି। ଅବଶ୍ୟ କଳିଙ୍ଗ ଯୁଦ୍ଧ ବେଳେ ମୃତ ସୈନିକଙ୍କ ରକ୍ତରେ ଦୟା ନଦୀର ଧାର ରକ୍ତରଞ୍ଜିତ ହୋଇଯିବା ସମ୍ପର୍କରେ ଆମେ ଜାଣିଛନ୍ତି। ସେହିପରି ମହାଭାରତରେ ମଧ୍ୟ ଦୁର୍ଯ୍ୟୋଧନଙ୍କର ରକ୍ତ ନଦୀ ସନ୍ତରଣ କଥା ଉଲ୍ଲେଖ ରହିଛି।
ମାତ୍ର ପେରୁର ଭିଲକାନୋଟା ପାର୍ବତ୍ୟାଞ୍ଚଳରେ ପ୍ରବାହିତ ପାଲକ୍ବେଲା ପୁକାମାୟୁ ନଦୀର ଧାର ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରାକୃତିକ ଭାବେ ଏପରି ରକ୍ତିମ ହୋଇଥାଏ। ପେରୁର କୁସ୍କୋ ସହରଠାରୁ ଶହେ କିମି ଦୂରରେ ଅବସ୍ଥିତ ଅତି ପରିଚିତ ପାଲକୋୟୋ ଇନ୍ଦ୍ରଧନୁ ପାହାଡ଼ରୁ ବାହାରିଥିବା ଏହି ନଦୀଟିର ରକ୍ତ ବର୍ଣ୍ଣ ବର୍ଷା ଋତୁରେ (ଡିସେମ୍ବରରୁ ଏପ୍ରିଲ ଯାଏ) ସ୍ପଷ୍ଟ ବାରିହୁଏ। ତେବେ ନଦୀଟିର କେବଳ ଉପରମୁଣ୍ଡରେ ଉତ୍ପତ୍ତିସ୍ଥଳରୁ ପାଞ୍ଚ କିମି ନିମ୍ନ ଅବବାହିକା ଯାଏ ଏହା ଏପରି ରକ୍ତିମ ହୋଇଥାଏ। ପରେ ଏହା ଅନ୍ୟାନ୍ୟ ଶାଖା ନଦୀ ମିଶିବା ପରେ ଧୀରେ ଧୀରେ ତାହା ମାଟିଆ ରଙ୍ଗର ହୋଇଯାଇଥାଏ। ତେବେ କୌଣସି ଅଲୌକିକ ଘଟଣା ନୁହେଁ, ବରଂ ସଂପୃକ୍ତ ଅଞ୍ଚଳର ମୃତ୍ତିକା ଲୌହ ଅକ୍ସାଇଡ୍ ଖଣିଜରେ ଭରପୂର ଥିବାରୁ ପୁକାମାୟୁ ନଦୀର ରଙ୍ଗ ଲାଲ୍ ହୋଇଥାଏ। ବହୁ ଆଗରୁ ପୁକାମାୟୁର ଏପରି ରକ୍ତିମ ଚିତ୍ର ଅନ୍ଲାଇନ୍ରେ ଉପଲବ୍ଧ ହୋଇଥିବା ବେଳେ ଅନେକ ଏହାକୁ ଫଟୋ ଏଡିଟିଂର କମାଲ ବୋଲି ଭାବୁଥିଲେ। ମାତ୍ର ଏହାର ପ୍ରାକୃତିକ ବୈଶିଷ୍ଟ ସମ୍ପର୍କରେ ଜଣାପଡ଼ିବା ପରେ ସେଠାକୁ ବର୍ଷା ଦିନେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/3-23.jpg)