ଗଞ୍ଜାମରେ କଲବଲ କରୁଛନ୍ତି ମାଟିଆଗୁଣ୍ଡି ଓ ଜଉପୋକ

ଭଂଜନଗର : ଭଲ ବର୍ଷା ଚାଷୀ ମୁହଁରେ ଫୁଟାଇଥିଲା ହସ। ଉତ୍ତମ ଧାନ ଅମଳ ନେଇ ଚାଷୀ ମନରେ ନୂଆ ଆଶା ମଧ୍ୟ ସଞ୍ଚାର ହୋଇଥିଲା। ଧାରକରଜ କରି ଚାଷ କାମ ମଧ୍ୟ ଆରମ୍ଭ ହେଲା। ହେଲେ ବାର୍‌ହା ପଲ ପ୍ରଥମେ ଦାଉ ସାଧି ଫସଲ ନାଶ କରିବା ପରେ ଏବେ ଜଉ, ମାଟିଆଗୁଣ୍ଡି ପୋକ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ୨୨ଟି ବ୍ଲକର ସ୍ଥିତି। ସବୁଠି ପୋକ ଲାଗି ଧାନ କ୍ଷତିଗ୍ରସ୍ତ ହେବା ପରେ ଚାଷୀ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଛି। ଅସନ୍ତୋଷ ଚାଷୀ ବ୍ଲକ ଓ ତହସିଲ ଏବଂ କୃଷି ବିଭାଗ କାର୍ଯର୍୍ୟାଳୟ ସାମ୍ନାରେ ଅଗାଡ଼ି ଧାନ ବିଡ଼ା ଆଣି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେପଟେ ଗ୍ରାମାଂଚଳର ଚାଷୀ ମାନେ ସଠିକ ଭାବେ ରୋଗ ପୋକ ଦମନ ସଂପର୍କରେ ସଚେତନ ନଥିବାରୁ ୨ରୁ ୩ ପ୍ରକାର ଔଷଧ ପ୍ରୟୋଗ କରୁଛନ୍ତି।

ବିଭାଗୀୟ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାନୁସାରେ, ଜିଲ୍ଲାର ୨୨ଟି ବ୍ଲକରେ ୨ଲକ୍ଷ ୧୬ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। ଗଂଜାମ ଜିଲ୍ଲାରେ  ୬ଟି କୃଷି ଜିଲ୍ଲା ଅଧିକାରୀଙ୍କ ଅଧୀନରେ ଥିବା ୨୨ଟି ବ୍ଲକରେ ୧୦ହଜାରରୁ ଅଧିକ ହେକ୍ଟର ଜମିରେ ଏହି ରୋଗ ପୋକ ବ୍ୟାପିବାରେ ଲାଗିଛି। ଚଳିତ ବର୍ଷ ଭଲ ପାଗ ସହ ବର୍ଷା ମଧ୍ୟ ହୋଇଥିଲା। ଧାନର କେଣ୍ଡା ଗୁଡିକ ବି ସୁନ୍ଦର ଭାବେ ବାହାରିଥିଲା। ଉତ୍ତମ ଅମଳ ନେଇ ଚାଷୀ ବେଶ୍‌ ଆଶାବାଦୀ ବି ଥିଲେ। ତେବେ ଗତମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଏବଂ ଏହା ପରେ ପୋକ ଯେମିତି ଦାଉ ସାଧିଲା।

ଭଂଜନଗର  କୃଷି ଜିଲ୍ଲା ଅଧିକାରୀଙ୍କ ଅଧୀନରେ ୨୫୦୦ ହେକ୍ଟର, ଦିଗପହଣ୍ଡି  କୃଷି ଜିଲ୍ଲା ଅଧିକାରୀଙ୍କ ଅଧିନରେ ୪୦୦୦ ହେକ୍ଟର, ଆସିକା କୃଷି ଜିଲ୍ଲା ଅଧିକାରୀଙ୍କ ଅଧୀନରେ ୨୦୦୦ ହେକ୍ଟର, ଛତ୍ରପୁର କୃଷି ଜିଲ୍ଲା ଅଧିକାରୀଙ୍କ ଅଧୀନରେ ୧୧୦୦ ହେକ୍ଟର, ଖଲ୍ଲିକୋଟ କୃଷି ଜିଲ୍ଲା ଅଧିକାରୀଙ୍କ ଅଧୀନରେ ୯୦୦ ହେକ୍ଟର, ବ୍ରହ୍ମପୁର କୃଷି ଜିଲ୍ଲା ଅଧିକାରୀଙ୍କ ଅଧୀନରେ ୪୫୦ ହେକ୍ଟର ଏଭଳି ଭାବେ ମୋଟ ୧୦୯୫୦ ହେକ୍ଟର ଜମିରେ ବିଭିନ୍ନ ରୋଗ ପୋକ ଲାଗିଥିବା କୃଷ ବିଭାଗ ପ୍ରାଥମିକ ଆକଳନ କରାଯାଇଛି। ତେବେ ଏହାର ପରିମାଣ ଅଧିକ ମଧ୍ୟ ହୋଇପାରେ ବୋଲି ଗଞ୍ଜାମ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ମନୋଜ ବେହେରା ସୂଚନା ଦେଇଛନ୍ତି।  ତେବେ ସରକାରୀ ଭାବେ ୭ହଜାର ୫୪୫ ହେକ୍ଟର ଜମିରେ ରୋଗ ପୋକ ହୋଇଥିବା ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀ ମାନେ ହାତଉଧାର, ବ୍ୟାଙ୍କରୁ ଋଣ ଆଦି କରି ଚାଷ କରିଥିବା ବେଳେ ଏଭଳି ଜଟିଳ ସ୍ଥିତିକୁ ନେଇ ଭାଙ୍ଗି ପଡିଛନ୍ତି।

ଜିଲ୍ଲାର ଭଂଜନଗର, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ବୁଗୁଡା, ଧରାକୋଟ, ସୋରଡା, ଶେରଗଡ, ଆସିକା, କବିସୂର୍ଯ୍ୟନଗର, ହିଂଜିଳି, ଦିଗପହଣ୍ଡି, ପୁରୁଷୋତ୍ତମପୁର, ବେଗୁନିଆପଡା ଆଦି ବ୍ଲକରେ ବେଶି ମାତ୍ରାରେ ଏହି ରୋଗ ପୋକର ପ୍ରଭାବ ପରିଲକ୍ଷିତ ହୋଇଛି ବୋଲି ଜିଲ୍ଳା କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ କହିବାକୁ ଗଲେ ସରକାରୀ ଅଧିକାରୀ ଓ ଜନପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।

ଚାଷୀମାନେ ରୋଗ ପୋକକୁ ନେଇ ଚିନ୍ତାରେ ଥିବା ବେଳେ ଗତ କିଛି ଦିନ ହେବ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀପଲଙ୍କ ଆତଙ୍କ ଯେମିତି କଟା ଘା’ରେ ଚୂନ ସଦୃଶ ପାଲଟିଛି।

‘ଅନୁମୋଦିତ ଔଷଧ ବ୍ୟବହାର କରିନାହାନ୍ତି ଚାଷୀ’

ଭୁବନେଶ୍ୱର : ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଚକଡ଼ା ପୋକ। ଏହାକୁ ନେଇ ପଶ୍ଚିମରୁ ଉପକୂଳ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଗଲାଣି। ପୋକ ଦାୟରୁ କିଭଳି ଫସଲକୁ ରକ୍ଷା କରିହେବ ସେଥିପାଇଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ କୃଷି ବିଭାଗ ମଧ୍ୟ ବିଚଳିତ ହୋଇପଡ଼ିଛି। କୃଷି ମନ୍ତ୍ରୀ ଡ. ଦାମୋଦର ରାଉତ ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି। ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲା ଗସ୍ତ କରି ତଦନ୍ତ ଜାରି ରଖିଛି। ଏଥିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ଗତ ୨୯ ତାରିଖରେ ଏକ ପ୍ରତିନିଧି ଦଳ ମଧ୍ୟ ସମ୍ବଲପୁର ଏବଂ ବରଗଡ଼ ଗସ୍ତ କରି ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ନିର୍ଦେଶକ୍ରମେ ରୋଗ ଏବଂ ପୋକ ବିଭାଗରୁ ଜଣେ ଲେଖାଏ ପ୍ରଫେସର ଏହି ଦଳରେ ସାମିଲ ହୋଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଚାଷୀମାନେ ଜମିରେ ବ୍ୟବହାର କରିଥିବା କୀଟନାଶକ ଔଷଧ ସରକାର କିମ୍ବା ଓୟୁଏଟି ପକ୍ଷରୁ ଅନୁମୋଦିତ ହୋଇ ନ ଥିଲା। ଅନ୍ୟ କୌଣସି ସଂସ୍ଥାଠାରୁ ଚାଷୀମାନେ ସେହି ଔଷଧକୁ କିଣି ଜମିରେ ପ୍ରୟୋଗ କରିଛନ୍ତି। ସମ୍ପୃକ୍ତ ଔଷଧର କୌଣସି ପ୍ରଭାବ ରୋଗପୋକ ଉପରେ ପଡ଼ି ନାହିଁ।

ଏଥିସହ କିଛି ଚାଷୀ ଜମିରେ ଅନୁମୋଦିତ କୀଟନାଶକ ଔଷଧ ପକାଇଥିଲେ ମଧ୍ୟ ତାହା କାମ ଦେଇ ନ ଥିବା ନଜରକୁ ଆସିଛି। ଅଧିକାଂଶ ଚାଷୀଙ୍କର ଅନୁମୋଦିତ ଔଷଧ କିନ୍ତୁ କାମ ଦେଇଛି। ଗବେଷଣାଲବ୍ଧ ଜ୍ଞାନରୁ ଅନୁମୋଦିତ ହୋଇଥିବା ଔଷଧ କାହିଁକି କାମ ଦେଇନି ତାହା ଉପରେ ଅନୁସନ୍ଧାନ ଜାରି ରହିଥିବା ନେଇ ବିଶେଷଜ୍ଞ କମିଟି ପକ୍ଷରୁ ସୂଚନା ମିଳିଛି। ଆହୁରି ଜଣାପଡ଼ିଛି ଯେ ଔଷଧ ପ୍ରୟୋଗ କରିବା ପରେ ମଧ୍ୟ ଜଳବାୟୁ ପରିବର୍ତନ ଦ୍ୱାରା ପୋକରୁ ନୂଆ ସ୍ପେନ୍‌ ବାହାରୁଛି। ତେଣୁ ଚକଡ଼ା ପୋକଙ୍କ ପ୍ରଭାବ ବଢ଼ୁଛି।

ଆଉ ଏକ ତଥ୍ୟରୁ ବି ପଦାକୁ ଆସିଛି। କେତେଜଣ ଚାଷୀ ଧାନ ଜମିରେ ଅନ୍ୟ ରୋଗ ପାଇଁ ପୂର୍ବରୁ ଔଷଧ ବ୍ୟବହାର କରିଥିଲେ। ପରବର୍ତୀ ସମୟରେ ଚକଡ଼ା ପୋକ ରୋକିବା ଲାଗି ଅନୁମୋଦିତ ଔଷଧ ପ୍ରୟୋଗ କରିଛନ୍ତି। ତେଣୁ ଔଷଧ କାମ ଦେଇନି।

କୃଷି ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ପ୍ରତିବର୍ଷ ଅକ୍ଟୋବର ମାସ ପ୍ରାରମ୍ଭରେ ବରଗଡ଼ ଜିଲ୍ଲାରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଅକ୍ଟୋବର ମାସ ଶେଷ ଏବଂ ନଭେମ୍ବର ଆରମ୍ଭରେ ତାପମାତ୍ରା କମିବା ସହ ଥଣ୍ଡା ପଡ଼ିବା ପରେ ପୋକଙ୍କ ପ୍ରଭାବ କମିଯାଇଥାଏ। ହେଲେ ଏଥର ତାପମାତ୍ରା ଅଧିକ ରହିଛି। ତେଣୁ ପୋକ ଅଧିକ ହେଉଛନ୍ତି। ତା’ ସାଙ୍ଗକୁ ହାଲକା ବର୍ଷା ହେବା ଦ୍ୱାରା ମଧ୍ୟ ପୋକ ବଢ଼ିଛନ୍ତି। ପୋକ ମୁଖ୍ୟତଃ ମାଟି ଉପରେ ଓ ଗଛ ମୂଳରେ ରହିଥାନ୍ତି। ଚାଷୀମାନେ ଗଛ ଉପରୁ ଔଷଧ ସ୍ପ୍ରେ କଲେ ତାହାର କୌଣସି ପ୍ରଭାବ ପଡ଼େ ନାହିଁ। ଏଥିପାଇଁ ଚାଷୀମାନେ ଧାନ ରୋଇବା ବେଳେ ପ୍ରତି ୫ ଧାଡ଼ି ପରେ ଗୋଟିଏ ଧାଡ଼ି ଛାଡ଼ିବାକୁ ଆମେ ପରାମର୍ଶ ଦେଇଥାଉ। ଏହି ଧାଡ଼ିରେ ଯାଇ ଚାଷୀମାନେ ଜମିରେ ରୋକପୋକ ଯାଞ୍ଚ କରିବା ସହ ଔଷଧ ପ୍ରୟୋଗ କରିଥାନ୍ତି।

ସମ୍ବନ୍ଧିତ ଖବର