ଘଞ୍ଚ ଜଙ୍ଗଲ ଭିତରୁ ଅଚେତ ହୋଇ ପଡ଼ିଥିବା ମାଲିକଙ୍କୁ ଏପରି ଖୋଜି ପାଇଲା ପୋଷା କୁକୁର

ନୂଆଦିଲ୍ଲୀ: ନିକଟରେ ଜଙ୍ଗଲକୁ ଯାଇ ଅଚେତ ହୋଇପଡ଼ିଥିବା ମାଲିକଙ୍କୁ ଖୋଜି ଆଣିଛି ତାଙ୍କ ପୋଷାକୁକୁର। ମାଲିକଙ୍କ ନାମ ଶେଖରାପ୍ପା ଓ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଶେଖରାପ୍ପା ଗତ ଶନିବାର ଘରକୁ ଫେରି ନଥିଲେ। ଏହାପରେ ଶିବମୋଗାର ହୋସାନଗର ଅଞ୍ଚଳ‌ରେ ଥିବା ତାଙ୍କ ପରିବାରଲୋକ ଓ ଗ୍ରାମବାସୀ ଶେଖରାପ୍ପାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରି ଦେଇଥିଲେ। ଘଣ୍ଟା ଘଣ୍ଟା ଖୋଜାଖୋଜି ପରେ ମଧ୍ୟ ବୃଦ୍ଧଙ୍କ କୌଣସି ସୂଚନା ପାଇ ନଥିଲେ।

ଏଭଳି ସମୟରେ ଶେଖରାପ୍ପାଙ୍କ ପୋଷା କୁକୁର ଗ୍ରାମବାସୀ ଓ ପରିବାରଲୋକଙ୍କୁ ଜଙ୍ଗଲର ଏମିତି ଏକ ସ୍ଥାନକୁ ନେଇଯାଇଥିଲା। ଯେଉଁଠାରେ ଶେଖରାପ୍ପା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ସଙ୍ଗେସଙ୍ଗେ ଗ୍ରାମବାସୀ ଶେକରାପ୍ପାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶେଖରାପ୍ପାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଖରା ଓ ଦୁର୍ବଳତା ହେତୁ ସେ ଅଚେତ ହୋଇ ପଡ଼ିଥିବା ଡାକ୍ତର କହିଥିଲେ। ଚିକିତ୍ସା ପ‌ରେ ଏବେ ସେ ସୁସ୍ଥ ଅଛନ୍ତି।

ଶେଖରପ୍ପା କହିଛନ୍ତି, ‘ ଯେ  ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୁଁ କୁକୁରର ଯତ୍ନ ନେବି। ପରିତ୍ୟକ୍ତ ମାଈ କୁକୁର ସାତ ବର୍ଷ ପୂର୍ବେ ମୋର ଘରେ ଆଶ୍ରୟ ନେଇଥିଲା । ତାର ନାମ  ‘ଟମି’ ରଖାଯାଇଥିଲା। ଆଜି ସେ ମୋର ଜୀବନ ବଞ୍ଚାଇ ଦେଇଛି।’

ପ୍ରକାଶିତ ରିପୋର୍ଟ ମୁତାବକ, ହୋସାନଗର ଅଞ୍ଚଳରେ ବସବାସ କରୁଥବା ଶେଖରପ୍ପା ସକାଳ ୬ ଟାରେ ତାଙ୍କ ଘରଠାରୁ ୨ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ଯାଇ ପ୍ରତିଦିନ ସକାଳ ୧୦ଟା ସୁଦ୍ଧା ଘରକୁ ଫେରି ଆସନ୍ତି। ଗତ ଶନିବାର ସେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ଏହାପରେ ଶେଖରାପ୍ପା ସ୍ତ୍ରୀ ଓ ଝିଅ ପଡ଼ିଶାଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ।

୫୦ରୁ ଅଧିକ ଗ୍ରାମବାସୀ ମିଶି ବହୁ ସମୟ ଧରି ଖୋଜାଖୋଜି କରିଥିଲେ ସୁଦ୍ଧା ଶେଖରାପ୍ପାଙ୍କ କୌଣସି ସୂଚନା ମିଳି ନଥିଲା। ତେବେ ୧୫ବର୍ଷ ଧରି ଶେଖରାପ୍ପା ଜଙ୍ଗଲକୁ କାଠ ଆଣିବାକୁ ଯାଇଥାଆନ୍ତି। ମଝିରେ ମଝିରେ ତାଙ୍କ ପୋଷା କୁକୁର ଟମି ବି ତାଙ୍କ ସହ ଜଙ୍ଗଲକୁ ଯାଇଥାଏ।

ତେବେ ଲୋକେମାନେ ଖୋଜାଖୋଜି କରୁଥିବା ବେଳେ କେମିତି ଜାଣି ପାରି ଟମି ବି ତାର ମାଲିକଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲା।  କୁକୁର ତାର ମାଲିକ ଯେଉଁ ସ୍ଥାନକୁ କାଠ ଆଣିବାକୁ ଯାଆନ୍ତି, ସେଇ ସ୍ଥାନକୁ ଦୌଡ଼ି ଯାଇଥିଲା। ଆଉ ସେଠାରେ  ଶେଖରପ୍ପାଙ୍କୁ ଅଚେତା ଅବସ୍ଥାରେ ପଡ଼ିଥିବା ଦେଖି ଜୋରଜୋରରେ ଭୁକିବା ଆରମ୍ଭ କରିଥିଲା।

କୁକୁରର ଭୁକିବା ଶବ୍ଦ ଶୁଣି ଗ୍ରାମବାସୀ ଓ ଶେଖରାପ୍ପାଙ୍କ ସ୍ତ୍ରୀ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଆଉ ସେଠାରେ ଶେଖରାପ୍ପା ପଡ଼ିଥିବା ଦେଖିବାକୁ ପାଇଥିଲେ। କୁକୁରର ଏଭଳି କାମ ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

 

ସମ୍ବନ୍ଧିତ ଖବର