ନୂଆଦିଲ୍ଲୀ: ଏକ ପୋଷାକୁକୁର ଯେଉଁ କାମ କରି ଦେଖାଇଛି ତାହାକୁ ଜଣେ ମଣିଷ କରିବା କଷ୍ଟ ହୋଇପାରେ। ପୋଷାକୁକୁର ଏକ ମହତ କାମ କରି ତାର ମାଲିକାଣୀଙ୍କ ଜୀବନ ବଞ୍ଚାଇ ଦେଇଥିବାର ଖବର ସାମ୍ନାକୁ ଆସିଛି। ଏହି ଖବର ବି ଏବେ ଚର୍ଚ୍ଚାରେ ରହିଥିବା ବେଳେ ଉକ୍ତ କୁକୁରକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
ଘଟଣାଟି ହେଉଛି ଏପରି, ଲୁସି ହମଫ୍ରେ ନାମକ ମହିଳା ତାଙ୍କୁ କିଡନି କିଏ ଦେବ ତାହାର ଅନ୍ବେଷଣରେ ଥିଲେ। ଏନେଇ ସେ ନିଜ ନାମ ଡାକ୍ତରଖାନାର କିଡନି ଆବଶ୍ୟକତା ତାଲିକାରେ ଲେଖାଇଥିଲେ। କିନ୍ତୁ ଅନେକ ବର୍ଷ ବିତି ଯାଇଥିଲେ ବି ତାଙ୍କୁ କୌଣସି କିଡନି ଦାତା ମିଳୁ ନଥିଲେ। ଶେଷରେ ତାଙ୍କ ପୋଷାକୁକୁର ମାଲିକାଣୀଙ୍କ ପାଇଁ କିଡନି ଦାତାଙ୍କୁ ଖୋଜି ଆଣିଛି। ଯିଏକି ୨.୨କୋଟି ଲୋକଙ୍କ ମଧ୍ୟରୁ ଜଣେ ଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଲୁସି ତାଙ୍କ ପୋଷାକୁକୁରକୁ ସମୁଦ୍ରକୂଳକୁ ବୁଲାଇବାକୁ ନେଇ ଯାଇଥିଲେ। ଏହି ସମୟରେ କୁକୁର କିଛି ଦୂରରେ ଥିବା ଏକ ଅଜଣା ମହିଳାଙ୍କ ପାଖକୁ ଦୌଡ଼ି ଯାଇଥିଲା। ଆଉ ଉକ୍ତ ମହିଳା ଜଣକ ସେଠାରୁ ଯିବାକୁ ଚେଷ୍ଟା କରୁଥିଲେ ବି କୁକୁର ତାଙ୍କୁ ଯିବାକୁ ଦେଉ ନଥିଲା। ତାଙ୍କୁ କ୍ରମାଗତ ଭାବେ ଶୁଙ୍ଘିବାରେ ଲାଗିଥିଲା।
ଏହି ଅଜଣା ବ୍ୟକ୍ତିଙ୍କ ନାମ ଥିଲା କେଟି ଜେମ୍ସ। କୁକୁର ତାଙ୍କୁ ଛାଡ଼ୁ ନଥିବାରୁ ଲୁସି କେଟିଙ୍କ ପାଖକୁ ଧାଇଁ ଯାଇଥିଲେ। ଆଉ କଥା ହୋଇଥିଲେ। କଥା ହେଉହେଉ ଲୁସି ତାଙ୍କ ଅସୁବିଧା ବିଷୟରେ କେଟିଙ୍କୁ ଜଣାଇଥିଲେ। ଏହାପରେ ଦୁହେଁ ନମ୍ବର ଦିଆ ନିଆ ହୋଇଥିଲେ।
କେଟି ଲୁସିଙ୍କୁ କହିଲେ,‘ ମୁଁ କାହାକୁ ଯଦି ମୋର କିଡନି ଦାନ କରିବି, ଆଉ ମୋ କିଡନିରେ ଜଣେ ଯଦି ସୁସ୍ଥ ଜୀବନ ବଞ୍ଚି ପାରିବ, ତେବେ ଏହାଠାରୁ ଜୀବନରେ ବଡ଼ ଖୁସି କ’ଣ ହୋଇପାରେ।’
ଏହାପରେ କେଟିଙ୍କ ସମସ୍ତ ଡାକ୍ତରୀ ପରୀକ୍ଷା କରାଗଲା। ଆଶ୍ଚର୍ଯ୍ୟର କଥା କେଟିଙ୍କ ରିପୋର୍ଟ ସବୁ ଲୁସିଙ୍କ ସହିତ ଖାପଖାଇଗଲା। ଏହି ଘଟଣାକୁ ନେଇ ଲୁସି କହନ୍ତି, ‘ଡାକ୍ତର କହିଥିଲେ ସମ୍ପୂର୍ଣ୍ଣ ଭାବେ କିଡନି ମେଳ ଖାଇବା ସମ୍ଭାବନା ବହୁତ କମ। ଏମିତି କ୍ଷେତ୍ରରେ ଦେଖିବାକୁ ଗଲେ ୨.୨ କୋଟି ଲୋକଙ୍କ ମଧ୍ୟରୁ ଜଣେ ମିଳି ଥାଆନ୍ତି, ଯାହକି ମୋ ପୋଷା କୁକୁର ପାଇଁ ସମ୍ଭବ ହୋଇ ପାରିଛି। ଇତିମଧ୍ୟରେ ମୋର କିଡନି ପ୍ରତିରୋପଣ ହୋଇଯାଇଛି। ଆଉ ମୁଁ ସୁସ୍ଥ ବି ଅଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/dogs.jpg)