ଗୁଳି ଶବ୍ଦ ଶୁଣି ଧାଇଁ ଆସିଲା ପୋଷାକୁକୁର, ନିଜ ଜୀବନ ଦେଇ ମାଲିକଙ୍କୁ ବଞ୍ଚାଇଲା

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରେ ଏକ ପୋଷା କୁକୁର ନିଜ ଜୀବନ ଦେଇ ତାର ମାଲିକଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ଚାନ୍ଦପୁର ଥାନା ଅଞ୍ଚଳସ୍ଥ ପାଡଲା ଗ୍ରାମରେ ଚାଷୀ ସରଦାର ଲଖବିନ୍ଦର ସିଂହ ବସବାସ କରନ୍ତି।  ଗତରାତିରେ କେହି କିଛି ବୁଝିବା ପୂର୍ବରୁ ଆକ୍ରମଣକାରୀ ସରଦାର ଲଖବିନ୍ଦର ସିଂହଙ୍କ ଘରେ ଜୋରଜବରଦସ୍ତ ପଶି ଆକ୍ରମଣ କରିଥିଲେ।

ଏମିତି କି ଲଖବିନ୍ଦର ସିଂହଙ୍କ ଉପରକୁ ଗୁଳି ଚଲାଇବାକୁ ଚେଷ୍ଟା କରିଥିଲେ। ଗୁଳି ଶବ୍ଦ ଶୁଣି ଲଖବିନ୍ଦରଙ୍କ ପୋଷାକୁକୁର ଘଟଣାସ୍ଥଳକୁ ଧାଇଁ ଆସିଥିଲା। ଫଳରେ କୁକୁର ଶରୀରରେ ଆକ୍ରମଣକାରୀଙ୍କ ଗୁଳି ବାଜିଥିଲା। ଏହି ଗୁଳିରେ ପୋଷାକୁକୁରର ଜୀବନ ଚାଲି ଯାଇଥିଲା। ଗ୍ରାମବାସୀ ଗୁଳି ଶବ୍ଦ ଶୁଣି ଲଖବିନ୍ଦର ସିଂହଙ୍କ ଘରକୁ ଧାଇଁ ଆସିବାରୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତ କୁକୁର ଶରୀରକୁ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ସରଦାର ଲଖବିନ୍ଦର ସିଂହଙ୍କୁ ଆକ୍ରମଣକାରୀ କାହିଁକି ହତ୍ୟା କରିବାକୁ ଚାହୁଁଥିଲେ। ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ‌‌ସେଦିଗରେ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର