ମିଠାର ନାଁ ପେଠା: ତାଜ୍‌ମହଲ୍‌ ପରି ଆଗ୍ରାର ଅନ୍ୟତମ ଆକର୍ଷଣ

ଭାରତୀୟମାନଙ୍କ ଖାଦ୍ୟ ରୁଚିରେ ବିବିଧତା ଏବଂ ସ୍ୱତନ୍ତ୍ରତା ଭରି ରହିଛି। ଭାରତର ପ୍ରାୟ ପ୍ରତ୍ୟେକ ସ୍ଥାନର ସ୍ୱତନ୍ତ୍ର ଖାଦ୍ୟ ସେହି ସ୍ଥାନକୁ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଛି। ଏଇ ଯେମିତି ଆଗ୍ରା ସହରର ପେଠା ଭାରତରେ ବେଶ୍‌ ପ୍ରସିଦ୍ଧ। ଏଠାର ଦର୍ଶନୀୟ ସ୍ଥାନ ତାଜମହଲ ଭଳି ‘ପେଠା’ ପରି ଖାଦ୍ୟ ମଧ୍ୟ ଆଗ୍ରାର ଅନ୍ୟତମ ଆକର୍ଷଣ ବୋଲି କୁହାଯାଇପାରେ। ଏହା ଉତ୍ତର ଭାରତର ଏକ ପାରମ୍ପରିକ ମିଠା। ସାଧାରଣତଃ ଆଗ୍ରା ନାଁ ଶୁଣିଲେ ଅନେକଙ୍କ ମନରେ ତାଜମହଲର ସୌନ୍ଦର୍ଯ୍ୟମୟ ଦୃଶ୍ୟପଟ ଓ ଏହାକୁ ନେଇ ଯୋଡ଼ା ହୋଇଥିବା କିଛି ରୋଚକମୟ କଥା ସାମ୍ନାକୁ ଆପେ ଆପେ ଚାଲିଆସେ। ତେବେ ଯେଉଁମାନେ ମିଠା ପ୍ରେମୀ ସେମାନେ ଆଗ୍ରା କଥା ଶୁଣିଲେ ଟିକେ ନିଆରା ଢଙ୍ଗରେ ଏହାର ସୌନ୍ଦର୍ଯ୍ୟ ତଥା ସ୍ୱାଦକୁ ବଖାଣିଥାନ୍ତି। ବିଶେଷକରି ଆଗ୍ରା ଷ୍ଟେସନ୍‌ରେ ପେଠା ବିକ୍ରି ହେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ। ଏମିତିକି ଅନେକ ଲୋକ ଷ୍ଟେସନ୍‌ରେ ଓହ୍ଲେଇ ପେଠା କିଣି ଘରକୁ ମଧ୍ୟ ଆଣିଥାନ୍ତି। ଦେଶର ବିଭିନ୍ନ କୋଣରୁ ଏହି ସ୍ଥାନକୁ ଆସୁଥିବା ଭାରତୀୟଙ୍କ ପାଖରେ ପେଠା ପ୍ରତି ଯଥେଷ୍ଟ ଆଗ୍ରହ ଦେଖିବାକୁ ମିଳିଥାଏ। ଏମିତିରେ ଖାଦ୍ୟ ଶେଷରେ ମିଠାଟିଏ ଖାଇଲେ ଖାଇବା ପୂରା ହେବା ପରି ମନେହୁଏ। ଏ ଦୃଷ୍ଟିରୁ ଆଗ୍ରା ଭ୍ରମଣରେ ଯାଇଥିବା ପର୍ଯ୍ୟଟକ କେବଳ ତାଜମହଲ ଦେଖି ସନ୍ତୁଷ୍ଟ ହୋଇଯିବା ଠିକ୍‌ ହେବ ନାହିଁ। ବରଂ ପେଠା ପରି ଏକ ମିଠା ଖାଇବା ପରେ ଆଗ୍ରା ଭ୍ରମଣର ଏକ ସନ୍ତୁଷ୍ଟି ତାକୁ ମିଳିଥାଏ।
ପେଠା ଏକ ପ୍ରକାରର ଜେଲି ସଦୃଶ ଦେଖାଯାଏ। ଏହା ଦେଖିବାକୁ ଯେପରି ଆକର୍ଷଣୀୟ ସେହିପରି ନରମ ଓ ସ୍ୱାଦିଷ୍ଠ ମଧ୍ୟ। ବିଶେଷ କରି ଏହା ପାଣିକଖାରୁରୁ ତିଆରି ହୋଇଥାଏ। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଏହା ମିଠାର ସବୁଠାରୁ ଶୁଦ୍ଧ ରୂପ। କାରଣ ଏହା କେବଳ ଫଳ, ଚିନି ଶିରା ଓ ପାଣିର ସମ୍ମିଶ୍ରଣରେ ହୋଇଥାଏ। ଇତିହାସ ଅନୁଯାୟୀ ଶାହାଜାହାନଙ୍କ ଶାସନକାଳ ସମୟରେ ରାଜକୀୟ ରୋଷେଇ ଗୃହରେ ପେଠା ସାଧାରଣତଃ ପ୍ରସ୍ତୁତ ହେଉଥିଲା।

କୁହାଯାଏ, ପେଠାର ସୃଷ୍ଟି ତାଜମହଲ ପରି ପୁରୁଣା। ଏହାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କିମ୍ବଦନ୍ତୀ ମଧ୍ୟ ରହିଛି। ଏକଥା ହୁଏତ କେହି କେହି ଜାଣିଥିବେ। ମୋଗଲ ସାମ୍ରାଜ୍ୟର ରାଜକୀୟ ରୋଷେଇ ଗୃହରେ ଏହାର ଆବିଷ୍କାର ପ୍ରଥମଥର କରାଯାଇଥିଲା। କୁହାଯାଏ ସମ୍ରାଟ ଶାହାଜାହାନ ଥରେ ନିଜର ରୋଷେୟାଙ୍କୁ ଏକ ମିଷ୍ଟାନ୍ନ ତିଆରି କରିବା ପାଇଁ ଆଦେଶ ଦେଇଥିଲେ। ଏମିତିକି ସେହି ସ୍ୱାଦିଷ୍ଠ ମିଠାର ରଙ୍ଗ ଓ ରୂପ ତାଜମହଲର ମାର୍ବଲ ଭଳି ଧଳା ଓ ଶୁଦ୍ଧ ହୋଇଥିବା ଦରକାର ବୋଲି ମଧ୍ୟ କହିଥିଲେ। ସମ୍ରାଟ ଏହି ସ୍ୱତନ୍ତ୍ର ମିଠାର ଆୟୋଜନ ତାଜମହଲର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୨୧୦୦୦ ଶ୍ରମିକଙ୍କ ନିମନ୍ତେ କରିଥିଲେ। ଏଥିପାଇଁ ସେ ୫୦୦ ଜଣ ରୋଷେୟାଙ୍କୁ ମଧ୍ୟ ନିୟୋଜିତ କରିଥିଲେ। ଏହା ମଧ୍ୟ କୁହାଯାଏ ଶାହାଜାହାନଙ୍କ ଶାସନକାଳ ସମୟରେ ଏହି ନରମ ଶର୍କରାଯୁକ୍ତ ମିଠା ତାଜମହଲ ନିର୍ମାଣରେ ସାମିଲ୍‌ ହୋଇଥିବା ହଜାର ହଜାର ଶ୍ରମିକଙ୍କୁ ଶକ୍ତି ପ୍ରଦାନ କରିବାରେ ଏକ ମୂଳ ଉତ୍ସ ପାଲଟିଥିଲା। ଆଜି ମଧ୍ୟ ପେଠାର ସେହି ପାରମ୍ପରିକ ସ୍ୱାଦ ଓ ରୂପ ସେମିତି ହିଁ ରହିଛି। ଏବେ ମଧ୍ୟ ଏହାକୁ ପାରମ୍ପରିକ ରୀତିରେ ତିଆରି କରାଯାଉଛି। ପ୍ରଥମେ ପାଣି କଖାରୁ ବା ଲାଉରୁ ଏହାକୁ ତିଆରି କରାଯାଇଥାଏ ଓ ପରେ ଏହାକୁ ଛିଦ୍ରିତ ଡିସିଡେଡ୍‌ ଏବଂ ଗୋଲାପ ସ୍ୱାଦଯୁକ୍ତ ଚିନି ଶିରାରେ ପକାଇ ପ୍ରସ୍ତୁତ କରାଯାଇଥାଏ। ଚିନି ଶିରା ଭଲ ଭାବେ ମିଶିଯିବା ପରେ ଏହାକୁ ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦିଆଯାଏ। ଏହି ପ୍ରଣାଳୀକୁ ‘‘ଜୋସ୍‌ ଲେନା’’ ବୋଲି କୁହାଯାଇଥାଏ।
ପେଠାର ଚାହିଦା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଆଗ୍ରାର ନୂରୀ ଗେଟ୍‌ ପାଖାପାଖି ଅଞ୍ଚଳରେ ୭୦୦ରୁ ଅଧିକ କୁଟୀର ରହିଛି ଯେଉଁଠି ବିଭିନ୍ନ ପ୍ରକାରର ଏବଂ ଭିନ୍ନ ସ୍ୱାଦର ପେଠା ଦେଖିବାକୁ ମିଳିଥାଏ। ମିଠା ପ୍ରେମୀମାନଙ୍କ ଦାବିକୁ ପୂରଣ କରିବା ପାଇଁ ଏଠାରେ ବିଭିନ୍ନ ପ୍ରକାରର ପେଠା ତିଆରି କରାଯାଉଛି। ଆଗ୍ରାର ସବୁଠାରୁ ପ୍ରସିଦ୍ଧ ଓ ଅଧିକ ବିକ୍ରି ହେଉଥିବା ପେଠା ହେଉଛି ପାଞ୍ଚି ପେଠା। ଏହା ସତ ଯେ ପେଠାର ଆବିଷ୍କାର ମୋଗଲ ସାମ୍ରାଜ୍ୟ ସମୟରୁ ଆରମ୍ଭ ହୋଇଥିଲା। ହେଲେ ନିକଟ ଅତୀତରେ ପାଞ୍ଚି ନାମକ ଜଣେ ବ୍ୟକ୍ତି ଏହାର ବିଭିନ୍ନ ରୂପ ବାହାର କରିଥିଲେ। ଯାହାଙ୍କ ପ୍ରକୃତ ନାମ ହେଉଛି ସେଠ୍‌ ପଞ୍ଚମ ଲାଲ ଗୋୟାଲ୍‌। ବର୍ତ୍ତମାନ ସମୟରେ ପୂର୍ବ ଅପେକ୍ଷା ଭିନ୍ନ ସ୍ୱାଦର ଓ ଆକର୍ଷଣୀୟ ପେଠା ଦେଖିବାକୁ ମିଳୁଛି। ପ୍ରାୟତଃ ୫୦ ପ୍ରକାରର ପେଠା ବଜାରରେ ଦେଖିବାକୁ ମିଳୁଛି। ଯେମିତିକି ଅଙ୍ଗୁର, ଆମ୍ବ, କମଳା, ସପୁରୀ, ଚକୋଲେଟ୍‌, ଚେରି, ନଡ଼ିଆ, କେଶର ଓ ଆଲ୍‌ମଣ୍ଡ୍‌ ଭଳି ଅନେକ ପ୍ରକାରର ପେଠା ଦେଖିବାକୁ ମିଳୁଛି। ଏହା ଯେ ଖାଲି ଆଗ୍ରାରେ ପ୍ରସିଦ୍ଧ ତାହା ନୁହେଁ ସାରା ଭାରତରେ ଏହା ବେଶ୍‌ ଲୋକପ୍ରି୍ରୟତା ହାସଲ କରିଛି। ଏହା ଏକ ପ୍ରକାରର ମିଠା ହେଲେ ମଧ୍ୟ ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରପୂର ହୋଇ ରହିଛି।

ସମ୍ବନ୍ଧିତ ଖବର