ଭୁବନେଶ୍ୱର : ପେଟ୍ରୋଲ ଟାଙ୍କିରେ ଛାତି ଥରା ବିସ୍ଫୋରଣ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ବିସ୍ଫୋରଣ ଘଟିବା ପରେ ପରେ କ୍ୟାପିଟାଲ ହସ୍ପିଟାଲରେ ଭିଡ଼ ଜମିଥିଲା। ଆହତଙ୍କ ପରିଜନଙ୍କ କାନ୍ଦ ବୋବାଳିରେ ହସ୍ପିଟାଲ ପରିସର ଫାଟି ପଡ଼ିଥିଲା। କେତେକ ଆହତଙ୍କର ପରିଜନ ଖବର ପାଇନଥିବାରୁ ହସ୍ପିଟାଲ ମଧ୍ୟ ପହଞ୍ଚି ପାରିନଥିଲେ। ଚିକିତ୍ସାଧୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ନେତା, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କର ଭିଡ଼ ଜମିଥିଲା। ସଙ୍କଟାପନ୍ନ ଅବସ୍ଥାରେ ଦୁଇ ଆହତଙ୍କୁ ତୁରନ୍ତ କଟକ ପଠା ଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଆହତଙ୍କୁ ମାଗଣାରେ ଚିକିତ୍ସା କରା ଯାଇଥିବା କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ୮ଟି ୧୦୮ ଓ ୫ଟି ୧୦୨ ଆମ୍ବୁଲାନ୍ସକୁ ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ପାଇଁ ନିୟୋଜିତ କରାଯାଇଥିଲା।
ଦୁଇ ଗୁରୁତର ଗଲେ କଟକ
ପ୍ରଚଣ୍ଡ ବିସ୍ଫୋରଣରେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣା ଯାଇଥିଲା। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଉଭୟଙ୍କୁ ତୁରନ୍ତ କଟକ ପଠା ଯାଇଛି। ସେମାନେ ହେଉଛନ୍ତି ସତ୍ୟ ନାୟକ ଓ ଉତ୍ତରପ୍ରଦେଶ ଲକ୍ଷ୍ମୀପୁରର ହର୍ଷବର୍ଦ୍ଧନ ଶ୍ରୀବାସ୍ତବ। ଉଭୟଙ୍କର ଶରୀରରୁ ମାଂସ ଖସି ଯାଇଥିବା ବେଳେ ଆଖିରେ ଗଭୀର କ୍ଷତ ଲାଗିଛି। ରାତି ସୁଦ୍ଧା ଉଭୟଙ୍କର ଚେତା ଫେରି ନାହିଁ। ଅନ୍ୟ ଆହତମାନେ ହେଉଛନ୍ତି ଚିତ୍ତରଞ୍ଜନ ବେହେରା, ଗୋକୁଳ ନାୟକ, ସାଇ କିସାନ, ଚନ୍ଦ୍ରମଣୀ ବେହେରା, ଦିବାକର ମାଣିକ, ଅଲେଖ ମଲ୍ଲିକ, ଜ୍ଞାନେନ୍ଦ୍ର ଦାସ, ବ୍ରହ୍ମାନନ୍ଦ କୁଣ୍ଡୁ, ସ୍ବପ୍ନାରାଣୀ ଦାସ ଓ ସାହିର ହୁସେନ୍। ଏମାନଙ୍କ ମଧ୍ୟରେ କେତେକ ତେଲ ପକାଇବାକୁ ଯାଇଥିଲେ। ଆଉ କେତେକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଆହତ ହୋଇଥିଲେ।
/sambad/media/post_attachments/wp-content/uploads/2020/10/m45-300x208.jpg)
ଅଳ୍ପକେ ବର୍ତ୍ତିଲେ ଟ୍ୟାଙ୍କର ଡ୍ରାଇଭର
ପେଟ୍ରୋଲ ଟାଙ୍କିର ଥିବା ଟ୍ୟାଙ୍କର ଚଳାନ୍ତି ବଡ଼ମ୍ବା ନରସିଂହପୁରର ଗୋକୁଳ ନାୟକ। ଆଜି ସକାଳେ ସେ ଜଟଣୀରୁ ତେଲ ଭର୍ତ୍ତି ଟ୍ୟାଙ୍କର ଆଣି ଟାଙ୍କିରେ ପହଞ୍ଚିଥିଲେ। ପ୍ରଥମେ ଗ୍ୟାସ୍ ଅନ୍ଲୋଡ୍ ହେବା ପରେ ଏହି ତେଲ ଅନ୍ଲୋଡ୍ ହୋଇଥାନ୍ତା। ସେ ଟାଙ୍କିରେ ଅପେକ୍ଷା କରିଥିଲେ। ପାଖାପାଖି ଗୋଟାଏ ବେଳେ ମାଟିତଳେ ଥିବା ସିଏନ୍ଜି ଟାଙ୍କିରେ ନିଆଁ ଲାଗିଥିଲା। ବିପଦ ଆଶଙ୍କା କରି ସେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ିବା ଆରମ୍ଭ କରିଥିଲେ। ନିଆଁ ହୁତ୍ ହୁତ୍ ଜଳୁଥାଏ। ତାଙ୍କର ମନେ ପଡ଼ିଲା କି ତେଲ ଭର୍ତ୍ତି ଟ୍ୟାଙ୍କର ଟାଙ୍କି ଭିତରେ ଅଛି। କିଛି ନ ଭାବି ସେ ପୁଣି ଥରେ ଟାଙ୍କି ଭିତରକୁ ଦଉଡ଼ି ଯାଇ ଟ୍ୟାଙ୍କର ଚଳାଇ ବାହାରକୁ ପଳାଇ ଆସିଥିଲେ। ପାଖାପାଖି ୫୦ ମିଟର ଦୂରରେ ରଖି ଓହ୍ଲାଉଥିବା ବେଳେ ଘଟିଥିଲା ବିସ୍ଫୋରଣ। ଇଟା, ଗୋଡ଼ିର ବଡ଼ ବଡ଼ ଖଣ୍ଡ ଆସି ତାଙ୍କ ଦେହରେ ମାଡ଼ ହୋଇଥିଲା। ସେ ଆହତ ହୋଇଥିଲେ ମଧ୍ୟ ଜୀବନ ବଞ୍ଚିଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ବେଡ୍ରେ ଈଶ୍ବରଙ୍କୁ ଧନ୍ୟବାଦ ଦେଉଥିଲେ।
ବିସ୍ଫୋରଣ ପରେ ବେକାବୁ
ବିସ୍ଫୋରଣ ପରେ ବେକାବୁ ହୋଇ ପଡ଼ିଥିଲା ଟ୍ରାଫିକ୍। ଯିଏ ଯୁଆାଡ଼େ ପାରିଥିଲେ ଦଉଡ଼ିଥିଲେ। ଆଉ କେହି କେହି କୌତୁହଳବଶତଃ ହୋଇ ଫଟୋ ଉଠାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋପବନ୍ଧୁ ଛକ, ରାଜଭବନ ଛକ ଓ ଏଲ୍ଆଇସି ଅଫିସ୍ ପଟୁ ଲୋକମାନଙ୍କର ସୁଅ ଛୁଟିଥିଲା। ଗାଡ଼ି ରାସ୍ତା ଉପରେ ରଖି କେତେକ ଫଟୋ ଉଠାଇବା ପାଇଁ ପହଞ୍ଚି ଯାଇଥିବାରୁ ସେଠାରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ସମେତ ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର, ଏସିପି ସ୍ବସ୍ତିକ ପଣ୍ଡା ପ୍ରମୁଖ ସଦଳବଳ ପହଞ୍ଚିଥିଲେ। ଆହତଙ୍କୁ ହସ୍ପିଟାଲ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସକୁ ବାଟ କଢ଼ାଇବା ସହ ଲୋକଙ୍କୁ ସେଠାରୁ ହଟାଇଥିଲେ। ଏତେ ଭିଡ଼ ହୋଇଥିଲା ଯେ, ମୃଦୁ ଲାଠି ଚାଳନା ମଧ୍ୟ କରିବାକୁ ପୁଲିସ ବାଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/petrol-pump-balst-bbsr-8.jpg)