ଆକାଉଣ୍ଟକୁ ୭୬ ଲକ୍ଷ ଟଙ୍କା ଆସିବା ପରେ ୫ ଦିନ ମଉଜ କରି ଉଡାଇଦେଲେ ୩୫ ଲକ୍ଷ, ୬ ଦିନକୁ ଘଟିଲା କିଛି ଏମିତି…

ନୂଆଦିଲ୍ଲୀ: ଭୁଲରେ ଆକାଉଣ୍ଟକୁ ଚାଲି ଆସିଲା ୭୬ ଲକ୍ଷ ଟଙ୍କା । ୫ ଦିନ ଖର୍ଚ୍ଚ କରି ଉଡାଇଲେ, ଆଉ ୬ ଦିନରେ ସବୁକିଛି ବଦଳିଗଲା । କିଛି ଏଭଳି ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି । ଲକ୍ଷ୍ନୌର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଭାଗ୍ୟ ରାତାରାତି ବଦଳିଗଲା । ଯେତେବେଳେ ବ୍ୟାଙ୍କର ଭୁଲ କାରଣରୁ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ୭୬ ଲକ୍ଷରୁ ଅଧିକ ଟଙ୍କା ଆସିଗଲା । ଆଉ ଏହି ଟଙ୍କା ଆକାଉଣ୍ଟକୁ ଆସିବା ପରେ ମହଙ୍ଗା କାର ସାଙ୍ଗକୁ ଗହଣା ଓ ଦାମୀ ବାଇକ କିଣିଥିଲେ କର୍ମଚାରୀ ଜଣକ । ପାଞ୍ଚ ଦିନ ମଧ୍ୟରେ ୩୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । କିନ୍ତୁ ଏହି ଖୁସି ବେଶି ଦିନ ତିଷ୍ଠି ନଥିଲା ।

ଯେତେବେଳେ ବ୍ୟାଙ୍କ ନିଜର ଭୁଲ ଜାଣିପାରିଲା ସେତେବେଳେ ସଙ୍ଗେ ସଙ୍ଗେ ଏନେଇ ଥାନାରେ ଅଭିଯୋଗ କରିଥିଲା । ଯାଞ୍ଚରୁ ଜଣାପଡିଥିଲା ଯେ, ବ୍ୟାଙ୍କର ତ୍ରୁଟି ଓ ସର୍ଭର ଖରାପ କାରଣରୁ ୧୫ ଦିନ ପୂର୍ବରୁ ପେଟ୍ରୋଲ ପମ୍ପରେ କାମ କରୁଥିବା କରନ ଶର୍ମାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଆକାଉଣ୍ଟରେ ୭୬ ଲକ୍ଷ ଟଙ୍କା ଜମା ହୋଇଥିଲା । ହଠାତ୍ ଏତେ ଟଙ୍କା ଆକାଉଣ୍ଟକୁ ଆସିବା ପରେ କରନ ଏହି ଟଙ୍କା ବିଭିନ୍ନ ଉପାୟରେ ଖର୍ଚ୍ଚ କରିବା ଆରମ୍ଭ କରିଥିଲେ । କିନ୍ତୁ ନିଜ ଆକାଉଣ୍ଟରେ ଏତେ ଟଙ୍କା କେମିତି ଆସିଲା ସେ ବାବଦରେ କୌଣସି ସୂଚନା ବ୍ୟାଙ୍କକୁ ଦେଇନଥିଲେ ।

ଆକାଉଣ୍ଟରେ ଥିବା ଟଙ୍କାରେ କରନ ସଙ୍ଗେ ସଙ୍ଗେ ନିଜ ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କାର ଏକ ଦାମୀ କାର, ୧୮.୫୦ ଲକ୍ଷ ଟଙ୍କାର ସୁନା-ରୂପାର ଗହଣା, ମୋବାଇଲ, ବାଇକ ଓ ଅନ୍ୟ ସାମଗ୍ରୀ କିଣିବା ବାବଦକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ କରନଙ୍କ ନାଁରେ ଅଭିଯୋଗ କରାଯାଇଛି । ଆଉ ମାମଲା ରୁଜୁ ହେବା ପରେ ପୁଲିସ କରନଙ୍କ ଠାରୁ ବାଇକ ଓ ଗହଣା ସମେତ ୪୧.୨୧ ଲକ୍ଷ ଟଙ୍କା ଜବତ କରିଛି । ଏହାସହ ଉଭୟ କରନ ଓ ତାଙ୍କ ପତ୍ନୀଙ୍କୁ ଜେଲ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର