ଫାଲଗୁନ ଶୁକ୍ଳପକ୍ଷ ଦଶମୀ ଫଗୁଦଶମୀ ଭାବରେ ପ୍ରସିଦ୍ଧ। ଫଗୁ ‘ଫଲ୍‌ଗୁ’ ଶବ୍ଦର ଅପଭ୍ରଂଶ। ଫଲ୍‌ଗୁର ଅନ୍ୟ ପ୍ରତିଶବ୍ଦ ଅବିର। ଏହାର ରଙ୍ଗ ଲାଲ। ଏକଦା ଏକପ୍ରକାରର ବଣୁଆ ଲାଲ ଅଦାର ଗୁଣ୍ଡରେ ଏହା ତିଆରି ହେଉଥିଲା। ସେହିପରି ଆଉ ଏକ ପ୍ରାକୃତିକ ରଙ୍ଗ ଥିଲା କୁଙ୍କୁମ। ଏହା ଥିଲା ବସନ୍ତର ରଙ୍ଗ। ଏ ଦୁଇ ରଙ୍ଗର ବର୍ଣ୍ଣନା ଆମ ସାହିତ୍ୟରେ ପ୍ରଚୁର ପରିମାଣରେ ଅଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ‘ଲାବଣ୍ୟବତୀ’ରେ ଏହାର ସୁନ୍ଦର ବର୍ଣ୍ଣନା ଦେଇ ଲେଖିଛନ୍ତି, ‘କୁଙ୍କୁମ ପିଚିକା ବାଜି ଜରଜର ସୁନ୍ଦର ଉରଜ କାହାର/ କନକାଚଳରୁ କିବା ହରିତାଳ ପ୍ରବାହ ହେଉଛି ବାହାର।’’ ସେହିପରି କବିବର ରାଧାନାଥ ରାୟ ‘ପାର୍ବତୀ’ରେ ଲେଖିଛନ୍ତି, ‘ଫଗୁ ବର୍ଣ୍ଣୋଦକେ ସର୍ବାଙ୍ଗ ରଞ୍ଜିତ ବିହରନ୍ତି ଯୁବାଦଳ।’’

Advertisment

ପରମ୍ପରାକ୍ରମେ ଏହି ଫଗୁ ଓ ଅବିର ବସନ୍ତ ଋତୁ ସହ ଯୋଡ଼ି ହୋଇଛି। ବସନ୍ତର ଅନ୍ୟ ନାମ ଫଗୁଣ। ଫଗୁଣ ଫାଲଗୁନ ଶବ୍ଦର ଅପଭ୍ରଂଶ। ଏହି ମାସର ପୂର୍ଣ୍ଣମୀରେ ଚନ୍ଦ୍ର ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହାର ନାମ ଫାଲଗୁନ ହୋଇଛି। କିନ୍ତୁ ଫଗୁ ବା ଅବିର ଏ ମାସର ବର୍ଣ୍ଣବିଭା ସହିତ ଏପରି ଭାବରେ ଜଡ଼ିତ ଯେ ମନେହୁଏ ସତେଯେମିତି ଫଲ୍‌ଗୁ ବା ଫଗୁରୁ ଏ ମାସର ନାମକରଣ ହୋଇଛି। ଯୋଗେଶ ଚନ୍ଦ୍ର ରାୟ ତାଙ୍କ ‘ପୂଜା ପାର୍ବଣ’ ପୁସ୍ତକରେ ଏ ସଂପର୍କରେ ଲେଖିଛନ୍ତି- ଦୋଳ ଉତ୍ସବ ପ୍ରଥମେ ଚଳୁଥିଲା। ପରେ ଏହା ସହିତ ବସନ୍ତ ପ୍ରବେଶ ଜନିତ ଉତ୍ସବ ଏବଂ ତା’ର ପରବର୍ତ୍ତୀ ସମୟରେ ମଦନ ଉତ୍ସବ ଯୁକ୍ତ ହୋଇଛି। ଦୋଳ ସମୟରେ ଲୋହିତ ଫଗୁ ଦେଇ ଶାଳଗ୍ରାମରୂପୀ ସବିତାଙ୍କର ଅଙ୍ଗ ଭୂଷିତ କରାଯାଏ।

ଋଗ୍‌ବେଦରେ ସବିତା ହିରଣ୍ୟଦ୍ୟୁତି, ହିରଣ୍ୟପାଣି। ତାଙ୍କର ରଥ ହିରଣ୍ୟମୟ। ଶୀତକାଳର ବାଳରବି ଲୋହିତ ବର୍ଣ୍ଣ ଦେଖାଯାଆନ୍ତି। ଲୋହିତଚୂର୍ଣ୍ଣ ଦେଇ ତାହା ଜ୍ଞାପିତ ହୁଏ। ଏହିପରି ଦୋଳ ଉତ୍ସବ ଫଲ୍‌ଗୁ ଉତ୍ସବ ହୋଇଛି। ବୋଧହୁଏ ପିଚକାରୀ ଦ୍ବାରା ଲୋହିତବର୍ଣ୍ଣ ନିକ୍ଷେପ ସବିତାଙ୍କର ହିରଣ୍ୟ ରଶ୍ମିର ଅନୁକରଣ। ଏହିପରି ଭାବରେ ବସନ୍ତୋତ୍ସବ ହୋଇଯାଇଛି ଫଗୁ ଓ ଫଗୁଣର ପର୍ବ। ଫଗୁଦଶମୀ ସେହି ପର୍ବର ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ମହା ସମାରୋହରେ ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ।