‘ଫଲ୍‌ଗୁ’ କହିଲେ ଆମେ ବୁଝୁ ଗୟାଠାରେ ଥିବା ଅନ୍ତଃସଲିଳା ନଦୀକୁ। ସେହି ଅଗଭୀର ନଦୀଶଯ୍ୟାରେ ପିତୃଲୋକଙ୍କୁ ପିଣ୍ଡଦାନ କରାଯାଏ। କିନ୍ତୁ ‘ଫଲ୍‌ଗୁ’ର ଆଉ ଦୁଇଟି ଅର୍ଥ- ‘ବସନ୍ତ କାଳ’ ଓ ‘ଅବିର’ ବା ‘ଲୋହିତବର୍ଣ୍ଣର ଚୂର୍ଣ୍ଣ’। ଦୋଳପୂର୍ଣ୍ଣିମା ଅବସରରେ ଯେଉଁ ବସନ୍ତ ଉତ୍ସବ ହୁଏ, ସେଥିରେ ଏହି ‘ଅବିର’ ଓ ‘ଫଗୁ’ରେ ରଙ୍ଗଖେଳ ହୁଏ। ଏହାର ଲୋକପ୍ରିୟ ନାମ ‘ହୋଲି’। ଆମ ଦେଶର ଅନେକ ଅଞ୍ଚଳରେ ଏହିଦିନ ହୁଏ ‘ହୋଲିକା ଦହନ’। କଥିତ ଅଛି, ଯେ ‘ହୋଲିକା’ ହେଉଛି ଦୈତ୍ୟ ହିରଣ୍ୟକଶିପୁର ଭଉଣୀ। ତାହାର ଦହନ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ।

Advertisment

ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରକାଶିତ ‘ଶ୍ରୀମନ୍ଦିର ସମାଚାର’ (୧୯୭୦, ମାର୍ଚ୍ଚ)ରୁ ସୂଚିତ ହୁଏ, ଯେ ଏହି ‘ହୋଲିକା’ ହେଉଛି ଉତ୍କଳର ‘ମେଷା’। ସେ ସ୍ୱର୍ଗରେ ଦେବତାମାନଙ୍କର ବସନ୍ତ ଉତ୍ସବକୁ ପଣ୍ଡ କରୁଥିବାରୁ, ଦେବତାମାନେ ଶ୍ରୀକୃଷ୍ଣ, ରାଧା ଓ ଗୋପାଙ୍ଗନାମାନଙ୍କୁ ନେଇ ମର୍ତ୍ତ୍ୟରେ ବସନ୍ତ ଉତ୍ସବ କଲେ। କିନ୍ତୁ ମେଷା ବସନ୍ତ, ହାଡ଼ଫୁଟି, ମିଳିମିଳା ଆଦି ନାନା ବିସ୍ଫୋଟକ ରୋଗ ସୃଷ୍ଟି କରି ମର୍ତ୍ତ୍ୟଲୋକର ଏହି ଉତ୍ସବରେ ବିଘ୍ନ ସୃଷ୍ଟି କଲା। କୃଷ୍ଣ ଏହା ଜାଣି, ଫାଲଗୁନ ଶୁକ୍ଳ ଦଶମୀରେ ‘ଚର୍ଚ୍ଚରୀ’ ବା ‘ଚାଚେରୀ’ ଯାତ୍ରା କଲେ। ନାନା ବର୍ଣ୍ଣର ଔଷଧୀୟ ଉପାଦାନରେ ନିର୍ମିତ ‘ଫଲ୍‌ଗୁ’ (ଫଗୁ ବା ଅବିର) ଉଡ଼ାଇ ଉଡ଼ାଇ ଏହିସବୁ ବିସ୍ଫୋଟକ ରୋଗକୁ ପ୍ରତିହତ କଲେ। ଏହିପରି ଭାବରେ, ନଗର ଭ୍ରମଣ କରି, ଶେଷରେ ହୋଲିକା ରହୁଥିବା ସ୍ଥାନକୁ ଆସି ତା’ ଘରକୁ ପୋଡ଼ିଦେଲେ।
ତାହାରି ଅନୁରୂପେ, ଏବେ ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରା ବା ଚାଚେରୀଲୀଳାରେ ଅନୁଷ୍ଠିତ ହେଉଛି ‘ମେଷାମନ୍ଦିର ଦାହ’ ବା ‘ମେଣ୍ଢାକୁଡ଼ିଆ ପୋଡ଼ି’। ଏହି ମେଣ୍ଢାକୁଡ଼ିଆ ପୋଡ଼ିର ଅଗ୍ନି “ବିଷ୍ଣୁ ରୁଦ୍ର ସମୁଦ୍ଭୂତ ମହାଶନ ହୁତାଶନ” ବୋଲି ‘ଶ୍ରୀମନ୍ଦିର ସମାଚାର’ରେ ଉଲ୍ଲେଖ ଅଛି। ଏହି ଯାତ୍ରାର ‘ଫଲ୍‌ଗୁ ଦାନ’ ବା ଅବିର ଖେଳ ‘ଲୋକଯାତ୍ରା ହିତାର୍ଥାୟ’ ଅର୍ଥାତ୍ ଲୋକମଙ୍ଗଳକାରୀ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ଅଛି।