ଆଗକୁ ଆସୁଛି ରଜ ପର୍ବ, ଯାହାର ବିଶେଷ ଆକର୍ଷଣ ହେଉଛି ଦୋଳି ଖେଳ। ତେବେ ନେଦରଲାଣ୍ଡରେ ୨୦୧୯ ମସିହାରେ ଏହି ସମୟରେ ଜୁନ୍ ୧୫ରୁ ଜୁନ୍ ୨୨ ଯାଏ ପାଳିତ ହୋଇଥିଲା ‘ଧାରଣକ୍ଷମ ସପ୍ତାହ’ ଯେଉଁଥିରେ ଦୋଳିକୁ ଏକ ବିଶେଷ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା। ଏହି ଉପଲକ୍ଷେ ନେଦରଲାଣ୍ଡର ରେଳବାଇ ବିଭାଗ ଦେଶର ବୃହତ୍ତମ ଷ୍ଟେସନ ଅଟ୍ରେକ୍ଟ ସେଣ୍ଟ୍ରାଲର ୧୬ଟି ଯାକ ପ୍ଲାଟଫର୍ମରେ ଅଭିନବ ଦୋଳିମାନ ସ୍ଥାପନ କରିଥିଲେ। ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଏହି ଦୋଳିଗୁଡ଼ିକର ବିଶେଷତ୍ବ ହେଲା, ଯାତ୍ରୀମାନେ ଏଥିରେ ଦୋଳି ଖେଳିବାର ମଜା ନେବା ସହିତ ନିଜର ମୋବାଇଲ ଫୋନ୍କୁ ମଧ୍ୟ ଚାର୍ଜ କରିପାରିବେ। ଏଠାରେ ଦୈନିକ ପାଖାପାଖି ୯୦୦ ଟ୍ରେନ୍ ଦେଇ ୧,୭୦,୦୦୦ ଯାତ୍ରୀ ଯା’ଆସ କରିଥା’ନ୍ତି। ତେବେ ଅପେକ୍ଷାରତ ଯାତ୍ରୀମାନଙ୍କ ଅବସର ବିନୋଦନ ପାଇଁ ଏହି ଦୋଳିଗୁଡ଼ିକ ଖଞ୍ଜାଯାଇଛି।
ଯାତ୍ରୀମାନେ ଏଥିରେ ଦୋହଲିବା ଦ୍ବାରା ସେଥିରେ ଖଚିତ ଡାଇନାମୋରୁ ବିଦ୍ୟୁତ୍ ସଂଗୃହୀତ ହୋଇ ମୋବାଇଲ୍ ଫୋନ୍, ଇଅରଫୋନ୍ ଓ ଲାପଟପ୍ ଆଦି ସୂକ୍ଷ୍ମ ବୈଦ୍ୟୁତିକ ଉପକରଣକୁ ଚାର୍ଜ କରିହେଉଛି। ‘ଶକ୍ତି ପାଇଁ ଖେଳ’ ନାମରେ ପରିଚିତ ଏହି ବ୍ୟବସ୍ଥାକୁ ସମୟକ୍ରମେ ନେଦର୍ଲାଣ୍ଡ୍ର ବିଭିନ୍ନ ଟ୍ରେନ୍ ଷ୍ଟେସନ୍ରେ ଲଗାଯାଇଛି। ଏହା ଏପରି ଲୋକପ୍ରିୟ ହୋଇଛି ଯେ ବେଳେ ବେଳେ ଯାତ୍ରୀମାନେ ଦୋଳି ଖେଳ ସାଙ୍ଗକୁ ଫୋନ୍ ରିଚାର୍ଜର ଦ୍ବୈତ ଲାଭ ଉଠାଇବା ପାଇଁ ନିଜ ସମୟର ଟ୍ରେନ୍ ଛାଡ଼ି ପରବର୍ତ୍ତୀ ଟ୍ରେନ୍କୁ ଅପେକ୍ଷା କରୁଛନ୍ତି। ବଡ଼ କଥା ହେଲା, ଏହି ଅଭିନବ ବ୍ୟବସ୍ଥା ଦ୍ବାରା ପରିବେଶ ଅନୁକୂଳ ଉପାୟରେ ଆଧୁନିକ ଜୀବନଚର୍ଯ୍ୟାର ଆବଶ୍ୟକତା ମଧ୍ୟ ମେଣ୍ଟିପାରୁଛି।