ବେଳେ ବେଳେ ଆମମାନଙ୍କ ଭିତରୁ କେହି କେହି ଫୋନ୍ରେ କଥା ହେଲା ବେଳେ ନେଟ୍ଵର୍କ ସମସ୍ୟାରେ ବିରକ୍ତି ପ୍ରକାଶ କରି ହେଉ ଅଥବା ଅପରପକ୍ଷର ପ୍ରତିକ୍ରିୟାରେ ଉତ୍କ୍ଷିପ୍ତ ହୋଇ କିମ୍ବା ଫୋନ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ହାତରେ ଧରିଥିବା ଫୋନ୍ଟିକୁ ଫିଙ୍ଗି ଦେଇଥା’ନ୍ତି। ମାତ୍ର ଫିନ୍ଲାଣ୍ଡ ପରି ଦେଶରେ ଫୋନ୍ ଫିଙ୍ଗିବା ଏକ ସରକାରୀ କ୍ରୀଡ଼ାର ମାନ୍ୟତା ପାଇବା ସହ ସେଠାରେ ବାର୍ଷିକ ଫୋନ୍ ଫିଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଖବର କାନକୁ ଅଖାଡୁଆ ଲାଗିଲେ ବି ସତ। ଏଭଳି ବିଚିତ୍ର କ୍ରୀଡ଼ାର ଆୟୋଜନ ପଛରେ ଫିନ୍ଲାଣ୍ଡର ଫେନୁଲିଙ୍ଗିଆ ନାମକ ଅନୁବାଦ ଓ ଭାଷାନ୍ତର ବ୍ୟାଖ୍ୟା କମ୍ପାନିର ଏକ ମହତ୍ ଉଦ୍ଦେଶ୍ୟ ରହିଥିଲା। ସଂପୃକ୍ତ କମ୍ପାନି ୨୦୦୦ ମସିହା ବେଳେ ତାହାର କର୍ମଚାରୀ ଓ ଅନ୍ୟମାନଙ୍କ ମନରୁ ହତାଶାଭାବ ଦୂର କରିବା ପାଇଁ ଏପରି ମୋବାଇଲ୍ ଫୋନ୍ ଫିଙ୍ଗିବାକୁ ଏକ ଉପାୟ ଭାବେ ବିଚାରିଥିଲା।
ଅବଶ୍ୟ ଏଥିରେ କେହି ନିଜର ଫୋନ୍ ନଫିଙ୍ଗି ସେମାନଙ୍କୁ କମ୍ପାନି ଯୋଗାଇଥିବା ଫୋନ୍ ଫୋପାଡୁଥିଲେ। ଫୋନ୍କୁ ଯିଏ ଯେତେ ଅଧିକ ଦୂର ଫିଙ୍ଗି ପାରୁଥିଲା, ତଦନୁସାରେ ବିଜେତା ବଛାଯାଉଥିଲା। ଲୋକଙ୍କ ମନରେ ଏହି ପ୍ରତିଯୋଗିତା ବେଶ କୌତୂହଳ ସୃଷ୍ଟି କରିବା ସହ ଦିନକୁ ଦିନ ଲୋକପ୍ରିୟ ହେବାକୁ ଲାଗିଲା। ବିଶେଷ କରି ୨୨୦ ଗ୍ରାମ୍ରୁ ୪୦୦ ଗ୍ରାମ୍ ଓଜନ ଭିତରର ଯେ କୌଣସି ଫୋନ୍କୁ ଫିଙ୍ଗିବା ପାଇଁ କିଛି କିଛି ନୀତି ନିୟମ ମଧ୍ୟ କରାଗଲା। ତେଣୁ ୨୦୦୦ ମସିହା ପରଠାରୁ ପ୍ରତିବର୍ଷ ଫିନ୍ଲାଣ୍ଡରେ ଅଗଷ୍ଟ ମାସରେ ଏପରି ମୋବାଇଲ୍ ଫୋନ୍ ଫିଙ୍ଗା ବିଶ୍ବ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଛି। ଏଥିରେ ଅଷ୍ଟ୍ରିଆ, ବେଲଜିଅମ୍, ଚେକୋସ୍ଲୋଭାକିଆ ଏବଂ ଆମେରିକା ଆଦି ଦେଶ ଭାଗ ନେଉଛନ୍ତି। ବେଲଜିଅମ୍ର ଡ୍ରାଇଜ୍ ଫିରମାନ୍ସ ୨୦୧୪ରେ ସର୍ବାଧିକ ୧୧୦.୪୨ ମିଟର ଦୂରକୁ ମୋବାଇଲ୍ ଫୋନ୍ ଫିଙ୍ଗି ଏହି କ୍ରୀଡ଼ାର ରେକର୍ଡ ସ୍ଥାପନ କରିଥିଲେ ଯାହାକୁ ଏ ପର୍ଯ୍ୟନ୍ତ କେହି ଭାଙ୍ଗିନାହାନ୍ତି।