ଅତୀତର ଚରିତ୍ର ଓ ଘଟଣାକୁ ଇଚ୍ଛା ଓ ସୁବିଧା ଅନୁସାରେ ବଦଳାଇଦେଇ ବାୟୋପିକ୍ ଓ ଐତିହାସିକ ଚଳଚ୍ଚିତ୍ର ଭାବେ ଉପସ୍ଥାପନ କରିବାର ଏକ ଧାରା ଜାରି ରହିଥିବାବେଳେ ‘ଫୁଲେ’ ସିନେମାଟି ତଥ୍ୟ ଓ ସତ୍ୟ ପ୍ରତି ନିଷ୍ଠାବାନ ରହିବା ଏହାର ସବୁଠାରୁ ସ୍ବତନ୍ତ୍ର ଦିଗ। ତେବେ ଅସଲ ଚରିତ୍ରମାନେ ଯେତେ ଗୁରୁତ୍ବପୂର୍ଣ୍ଣ ଓ ପ୍ରାସଙ୍ଗିକ ହେଲେ ବି ସିନେମା କାହାଣୀର ଉପସ୍ଥାପନା ଶୈଳୀ ଉପରେ ତାହାର ପ୍ରଭାବ ନିର୍ଭର କରେ। ସେ ଦୃଷ୍ଟିରୁ ‘ଫୁଲେ’ ଦୁର୍ବଳ ମନେ ହୁଏ। ପୁଣି ଏହି କାହାଣୀ ଊନବିଂଶ ଶତାବ୍ଦୀର ଘଟଣାମାନ ଦେଖାଇବା ବେଳେ ଆଜିର ସମାଜକୁ ଉପଦେଶ ଦେଉଥିବା ଭଳି ଲାଗିଥାଏ।
ସମାଜ ସଂସ୍କାରକ ଜ୍ୟୋତିରାଓ ଫୁଲେ ଏବଂ ତାଙ୍କ ପତ୍ନୀ ତଥା ଭାରତର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀବାଈ ଫୁଲେଙ୍କ ନାରୀ ଶିକ୍ଷା ପ୍ରସାର, ବିଧବା ବିବାହ, ଜାତିଭେଦ ଦୂରୀକରଣ ଉଦ୍ୟମର ସାହସିକ ଦିଗକୁ ‘ଫୁଲେ’ ସିନେମା ଅତିରଞ୍ଜନ ବା ଅତିନାଟକୀୟତା ବିନା ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିଛି। କିନ୍ତୁ ସେମାନଙ୍କ ସାହସିକତା, ଉଦ୍ଦେଶ୍ୟ ଓ ଦୂରଦର୍ଶିତା ପଛର ପ୍ରେରଣା ଏବଂ ପରିସ୍ଥିତିର ସୂକ୍ଷ୍ମ ଜଟିଳତାକୁ ଦେଖାଇବା ପ୍ରତି ବିଶେଷ ଧ୍ୟାନ ଦିଆଯାଇନାହିଁ, ଯେଉଁ କାରଣରୁ ସେମାନଙ୍କ ପ୍ରତିବଦ୍ଧତା ପଛର ଦୃଢ଼ତାକୁ ଦର୍ଶକ ଅନୁଭବ କରିପାରେ ନାହିଁ। ଜ୍ୟୋତିରାଓଙ୍କ ଚରିତ୍ରରେ ପ୍ରତୀକ ଗାନ୍ଧୀଙ୍କ ପ୍ରଦର୍ଶନ ଅନ୍ୟ ସମସ୍ତଙ୍କ ଅଭିନୟକୁ ନିଷ୍ପ୍ରଭ କରିଦେଇଛି। ସାବିତ୍ରୀବାଈଙ୍କ ଭୂମିକାରେ ପତ୍ରଲେଖାଙ୍କ ସଂଳାପ ଆବୃତ୍ତି ଅନେକ ସ୍ଥାନରେ କୃତ୍ରିମ ମନେ ହୁଏ।
ସେହିପରି ଅନ୍ୟ ପାର୍ଶ୍ବ ଚରିତ୍ରରେ ଅଭିନୟରେ କୌଣସି ଦୁର୍ବଳତା ନ ଥିଲେ ବି ନିରସ ଚିତ୍ରନାଟ୍ୟ ଓ ଶବ୍ଦଗ୍ରହଣରେ ଅସଙ୍ଗତି ବିଭିନ୍ନ ଦୃଶ୍ୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରିଦେଇଛି। ଏହି ସିନେମାର କେତେକ ରୋମାଞ୍ଚକର ଦୃଶ୍ୟରେ ଜ୍ୟୋତିରାଓ ତତ୍କାଳୀନ ଜାତିଭେଦର ପ୍ରଥାକୁ ଖୁବ୍ ଯୁକ୍ତିଯୁକ୍ତ ଭାବେ ପରାସ୍ତ କରିଛନ୍ତି। ଇଂରେଜଙ୍କ ହାତରେ ମାତ୍ର ଶହେ ବର୍ଷର ପରାଧୀନତା ବଦଳରେ ଚାରି ଶହ ବର୍ଷ ଧରି ଯେଉଁ ପରାଧୀନତା ଦେଶକୁ ଆକ୍ରାନ୍ତ କରି ରଖିଛି ତା’ ବିରୋଧରେ ଲଢ଼ିବାର ଦୃଢ଼ୋକ୍ତି ଅତ୍ୟନ୍ତ ପ୍ରଭାବଶାଳୀ। ସେ ଲଢ଼େଇ କୌଣସି ବ୍ୟକ୍ତି ବା ସଂପ୍ରଦାୟ ବିରୋଧରେ ନୁହେଁ ବୋଲି ମଧ୍ୟ ଜ୍ୟୋତିବା ନିଜେ ସ୍ପଷ୍ଟ କରିଦେଇଛନ୍ତି। ସେ ଯାହାର ବିରୋଧ କରୁଥିଲେ ତାହା ଥିଲା ‘ବ୍ରାହ୍ମଣବାଦ’ ବା ଗୋଟିଏ ଜାତିକୁ ଶ୍ରେଷ୍ଠ ଓ ଅନ୍ୟମାନଙ୍କୁ ନିକୃଷ୍ଟ ବୋଲି ଦର୍ଶାଉଥିବା ବିଚାର। ଜ୍ୟୋତିରାଓ ଯେତେବେଳେ ବ୍ରାହ୍ମଣଙ୍କ ବିନା ଦଳିତ ବରକନ୍ୟାଙ୍କ ବିବାହ ସଂପନ୍ନ କରୁଛନ୍ତି ସେତେବେଳେ ତାଙ୍କୁ କୋର୍ଟରେ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରତିପକ୍ଷ ଓକିଲ ଯୁକ୍ତି ବାଢୁଛନ୍ତି ଯେ ଉକ୍ତ ବିବାହ ଯୋଗୁଁ ବ୍ରାହ୍ମଣଙ୍କ ବୃତ୍ତିଗତ କ୍ଷତି ହେଉଛି, ତେଣୁ ବ୍ରାହ୍ମଣ ବିନା ବିବାହ କଲେ ବି ପାଉଣା ଦେବାକୁ ପଡ଼ିବ। ସେତେବେଳେ ବାରିକଙ୍କ ଉଦାହରଣ ଦେଇ କୋର୍ଟରେ ଜ୍ୟୋତିବା ମାମଲା ଜିଣୁଛନ୍ତି। ନିଜ ଘରରେ ଜାତି ନିର୍ବିଶେଷରେ ସମସ୍ତଙ୍କ ପାଇଁ କୂଅ ଖୋଳାଇବାର ପ୍ରକରଣ ଦର୍ଶକଙ୍କୁ ଭାବପ୍ରବଣ କରିବା ସୁନିଶ୍ଚିତ, ଏଥିପାଇଁ ଯେ ଆଜି ବି ପାଣିକୁ ନେଇ ଜାତିଭେଦ ଭିନ୍ନ ରୂପରେ ଉଜ୍ଜୀବିତ ରହିଛି। ସେହିପରି ଇଂରେଜୀ ଭାଷାର ଗୁରୁତ୍ବ ଓ ସେହି କାରଣରୁ ସଂସ୍କୃତ ଭାଷା ବିପନ୍ନ ହେବା ଭଳି ପ୍ରସଙ୍ଗକୁ ଏହି ସିନେମାରେ ସ୍ଥାନ ମିଳିଛି।
ଯାବତୀୟ ଦୋଷଦୁର୍ବଳତା ସତ୍ତ୍ବେ ଏହି ସିନେମା ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଦଳିତ ଆନ୍ଦୋଳନ ପୁରୋଧାଙ୍କ ଜୀବନର ପ୍ରମୁଖ ଘଟଣାଗୁଡ଼ିକୁ ପ୍ରଥମ ଥର ପାଇଁ ସର୍ବଭାରତୀୟ ଦର୍ଶକଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ କରାଯାଇଛି। ସିନେମା ଶେଷରେ ଜ୍ୟୋତିବାଙ୍କୁ ‘ମହାତ୍ମା’ ଉପାଧି ମିଳିବା ପରେ ସେ କହୁଛନ୍ତି- ‘ଏ ସଂଘର୍ଷର ଅନ୍ତ ନାହିଁ। ଏ ଦେଶ ଜାତି ଓ ଧର୍ମ ଭିତ୍ତିରେ ଲଢ଼ିବା ଜାରି ରଖିବ।’ ଆମ ସମାଜ ଯେ ପର୍ଯ୍ୟନ୍ତ ଜାତିବାଦୀ ହୋଇ ରହିବ ଜ୍ୟୋତିରାଓଙ୍କ ଏ କଥାଟି ଆମର ବିବେକକୁ ଦଂଶନ କରିଚାଲିଥିବ।
‘ଫୁଲେ’
ନିର୍ଦେଶକ: ଅନନ୍ତ ନାରାୟଣ ମହାଦେବନ
ମୁଖ୍ୟ ଚରିତ୍ରରେ: ପ୍ରତୀକ ଗାନ୍ଧୀ, ପତ୍ରଲେଖା