ମୋ ବାପା ଜଣେ ପୋଷ୍ଟମ୍ୟାନ୍। ମାଆ ଜଣେ ଗୃହିଣୀ। ମୋ ପରିବାରର କେହି ଡାକ୍ତରୀ ପାଠ ପଢ଼ିନଥିଲେ। ମୁଁ ମୋ ପରିବାରର ପ୍ରଥମ ଡାକ୍ତର ହେବାକୁ ଚାହୁଥିଲି କାରଣ ମୁଁ ମୋ ଭଳି ଲୋକଙ୍କ କଥା ଶୁଣିପାରିବି ଏବଂ ସେମାନଙ୍କ ବିଷୟରେ ଜାଣି ସେମାନଙ୍କୁ ସାହାଯ୍ୟ କରିପାରିବି’ ବୋଲି କୁହନ୍ତି ଜଣେ ଦିବ୍ୟାଙ୍ଗ ଡାକ୍ତରୀ ଛାତ୍ରୀ ଅର୍ଚ୍ଚନା ବିଜୟ। ଦୁଇ ଦୁଇ ଥର ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବି ତାଙ୍କୁ ପ୍ରଥମେ ମେଡିକାଲରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ହେଲେ ଏବେ ସେ କେରଳର କୋଟାୟାମସ୍ଥିତ ସରକାରୀ ମେଡିକାଲ କଲେଜର ୪ର୍ଥ ବର୍ଷର ମେଡିସିନ୍ ବିଭାଗର ଛାତ୍ରୀ।
ଅର୍ଚ୍ଚନାଙ୍କ ମତରେ, ଶାରୀରିକ ତଥା ମାନସିକ ରୋଗକୁ ଭଲ କରିବାରେ ପ୍ରେମ ଓ ସହାନୁଭୂତି ହେଉଛି ଏକ ଶକ୍ତିଶାଳୀ ଔଷଧ। ପିଲାଦିନେ ସେ ମେରୁଦଣ୍ଡରେ ମସ୍କୁଲାର୍ ଆଟ୍ରୋଫି ନାମକ ଏକ ବଂଶଗତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଯାହା ଶରୀରର ମାସଂପେଶୀକୁ ଦୁର୍ବଳ କରିବା ସହ ଚାଲିବା ଶକ୍ତିକୁ ନଷ୍ଟ କରିଦେଇଥାଏ। ତାଙ୍କ ପିତାମାତା ଡାକ୍ତରଙ୍କ ସହ ପରାମର୍ଶ କରି ଏହା ଫିଜିଓଥେରାପି ଦ୍ବାରା ଭଲ ହୋଇପାରିବ ବୋଲି ନିଶ୍ଚିତ ହେଲେ। ବୟସ ତୁଳନାରେ ତାଙ୍କର ଶାରୀରିକ ବୃଦ୍ଧି ଅତ୍ୟନ୍ତ ଧୀର ଥିଲା। ୫ବର୍ଷ ବୟସରେ ସେ ଚାଲିବା ଆରମ୍ଭ କଲେ। ଅନ୍ୟ ପିଲାମାନେ ବାହାରେ ଖେଳୁଥିବା ବେଳେ ସେ ଜୀବନର ଅଧିକାଂଶ ସମୟ ଡାକ୍ତରଖାନା ଓ ଡାକ୍ତରଙ୍କ ପାଖରେ ସାରୁଥିଲେ। ତାଙ୍କ ସହିତ ଏପରି ଅନେକ ଘଟଣା ଘଟିଛି ଯେଉଁଠି ସ୍ବାସ୍ଥ୍ୟସେବାରେ ଟିକିଏ ସହାନୁଭୂତିର ଅଭାବ ରହିଛି ବୋଲି ସେ ହୃଦ୍ବୋଧ କରିଛନ୍ତି। ‘ଏହା ସତ ଯେ, ଆମ ଦେଶର ଡାକ୍ତରମାନେ ପ୍ରକୃତରେ ବହୁତ ବ୍ୟସ୍ତ ଏବଂ ସେମାନଙ୍କ ମଧ୍ୟରୁ କେତେକ ଅତ୍ୟଧିକ ପରିଶ୍ରମୀ ଓ ଚାପଗ୍ରସ୍ତ। ବର୍ଷ ବର୍ଷ ଧରି ଯେତେବେଳେ ମୁଁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଅପେକ୍ଷା କରିଥିଲି, ସେତେବେଳେ ମୁଁ ଅନୁଭବ କଲି ଯେ, ରୋଗୀଙ୍କ ଚିକିତ୍ସା ପଦ୍ଧତିରେ ପରିବର୍ତ୍ତନ ହେବା ଆବଶ୍ୟକ ଏବଂ ଏହିଠାରୁ ହିଁ ମୁଁ ମୋ ଜୀବନର ଲକ୍ଷ୍ୟ ପାଇଲି’ ବୋଲି କୁହନ୍ତି ଅର୍ଚ୍ଚନା।
ଅର୍ଚ୍ଚନା ଭଲ ଭାବରେ ଜାଣିଥିଲେ, ଜଣେ ଭିନ୍ନକ୍ଷମ ଭାବେ ଡାକ୍ତର ହେବାର ସ୍ବପ୍ନ ଦେଖିବା ସହଜ କଥା ନୁହେଁ। ହେଲେ ଏହା ଅସମ୍ଭବ ବୋଲି ମଧ୍ୟ ମନେହେଉ ନଥିଲା। ନିଜର ବାଲ୍ୟ ସମୟକୁ ମନେପକାଇ ସେ କୁହନ୍ତି, ସ୍କୁଲ୍ରେ ପାଠ ପଢ଼ିବା ବେଳେ ସେ କିପରି ଶୌଚାଳୟ ବ୍ୟବହାର କରିବାକୁ ହଇରାଣ ହେଉଥିଲେ। ବହୁସମୟ ଧରି ଯିବା ଆସିବା ଏବଂ ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ତାଙ୍କର ମେରୁଦଣ୍ଡରେ କଷ୍ଟ ହେଉଥିଲା। ଯାହାଫଳରେ ସେ ଶ୍ରେଣୀଗୃହ ପାଠପଢ଼ାକୁ ହାତଛଡ଼ା କରୁଥିଲେ। କାରଣ ତାଙ୍କ କଲେଜରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଲିଫ୍ଟ କିମ୍ବା ରାମ୍ପ୍ର ବ୍ୟବସ୍ଥା ନଥିଲା। ଏ ବାବଦରେ ସେ ଅନେକଥର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ମଧ୍ୟ ଅସଫଳ ହୋଇଥିଲେ। ଧୀରେ ଧୀରେ ତାଙ୍କ ପ୍ରଚେଷ୍ଟାରେ ଭିନ୍ନକ୍ଷମଙ୍କ ସୁବିଧା ପାଇଁ ତଳ ମହଲାରେ ସୁବନ୍ଦୋବସ୍ତ କରାଗଲା ଏବଂ ସେମାନଙ୍କୁ ପାଠପଢ଼ା ପାଇଁ ଉଚିତ ସୁଯୋଗ ମିଳିଲା। ଏହିପରି ଭାବରେ ସେ ତାଙ୍କ ଉଦ୍ୟମରେ ସଫଳ ହେଲେ। ବର୍ତ୍ତମାନ ତାଙ୍କ ସ୍ବପ୍ନ ପୂରଣ ହେବାକୁ ଆଉ କିଛି ଦୂର ବାକି ଅଛି। ଜଣେ ସଫଳ ଡାକ୍ତର ହୋଇ ନିଜର ପାରୁପର୍ଯ୍ୟନ୍ତ ଭିନ୍ନକ୍ଷମ, ଅବହେଳିତ, ବୃଦ୍ଧ ଓ ଦୁଃଖୀ ଲୋକଙ୍କୁ ପ୍ରେମ ଓ ସହାନୁଭୂତି ସହିତ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ଚ୍ଚନା।