ସୂର୍ଯ୍ୟପୃଷ୍ଠର ପ୍ରକୃତ ରୂପ ହାଣ୍ଡିରେ ଫୁଟୁଥିବା ଗରମ ପାଣି ପରି
ହାଓ୍ଵାଇ ଦ୍ୱୀପରେ ସ୍ଥାପିତ ‘ଡାନିଏଲ୍ କେ ଇନୋଇ ସୋଲାର୍ ଟେଲିସ୍କୋପ୍’ ନିକଟରେ ୩୦ କିଲୋମିଟର ଦୂରରୁ ଦିଶୁଥିବା ସୂର୍ଯ୍ୟପୃଷ୍ଠର ଚିତ୍ର ରିଲିଜ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୃଥିବୀ ଠାରୁ ୧୪୯ କିଲୋମିଟର୍ ଦୂରରେ ଥିବା ପ୍ରାୟ ୮୭୦, ୦୦୦ ମାଇଲ୍ ବ୍ୟାସବିଶିଷ୍ଟ ତାରକା ସୂର୍ଯ୍ୟ ପୃଷ୍ଠର ଏହି ଚିତ୍ର ବୈଜ୍ଞାନିକମାନଙ୍କ ପାଇଁ ଖୁବ୍ ଗରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଏହି ଫଟୋରେ ସୂର୍ଯ୍ୟପୃଷ୍ଠରେ ଦିଶୁଥିବା ‘ସେଲ୍’ ବା କୋଷ ପରି ଆକୃତିଗୁଡ଼ିକ ପ୍ରକୃତରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ ଅଞ୍ଚଳ ପରି ହେବ। ଅର୍ଥାତ୍ ଗୋଟିକର ଆକାର ପ୍ରାୟ ୧୮ ମାଇଲ୍ ହେବ। ଏହି କୋଷଗୁଡ଼ିକରୁ ଉଦ୍ଗାରି ହେଉଛି ଫୁଟନ୍ତା ଉତ୍ତପ୍ତ ତରଳ ପଦାର୍ଥ ଓ ବାଷ୍ପ, ଯାହାକୁ ବିଜ୍ଞାନ-ଭାଷାରେ ‘ପ୍ଲାଜ୍ମା’ କୁହାଯାଏ।
ଏହି କୋଷଗୁଡ଼ିକର ଉଜ୍ଜ୍ୱଳ କେନ୍ଦ୍ରଗୁଡ଼ିକ ହିଁ ସେଥିରୁ ନିର୍ଗତ ହେଉଥିବା ଉତ୍ତପ୍ତ ତରଳ ପଦାର୍ଥର ଦୃଶ୍ୟ। କୋଷ ଚାରିପଟେ ଦିଶୁଥିବା ଫାଟଗୁଡ଼ିକରେ ନିର୍ଗତ ପ୍ଲାଜ୍ମା ଥଣ୍ଡା ହୋଇ ପୁଣି ଭିତରକୁ ପଶିଯାଉଛି। ଠିକ୍ ଯେମିତି ହାଣ୍ଡିରେ ପାଣି ଗରମ କଲେ ଗବ ଗବ ହୋଇ ଫୋଟକା ହୁଏ ଓ କ୍ଷଣିକରେ ଫୁଟି ଯାଇ ପୁଣି ପାଣିରେ ମିଶିଯାଏ।
ଏହି ଉତ୍ତପ୍ତ ଫୁଟନ୍ତା ପ୍ଲାଜ୍ମାର ଚଳନ ହିଁ ହେଉଛି ସୂର୍ଯ୍ୟର ଗୋପନ ରହସ୍ୟ। ଏହାର କାରଣ ହେଉଛି ପ୍ଲାଜ୍ମା ବୈଦ୍ୟୁତିକ ଭାବେ ଚାର୍ଜ ହୋଇଥିବାରୁ ଏହାର ଚଳନ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରି ପାରେ। ସୂର୍ଯ୍ୟର ଏହି ଚୁମ୍ବକୀୟ କ୍ଷେତ୍ର ହିଁ ସୌର ଝଡ଼ ସୃଷ୍ଟିର କାରଣ। ସୌର ଝଡ଼ ପୃଥିବୀର କୃତ୍ରିମ ଉପଗ୍ରହ ଏବଂ ପାଓ୍ଵାର୍ ଗ୍ରିଡ୍ ସବୁକୁ ଅକାମି କରି ପାରିବ।
ସୂର୍ଯ୍ୟ ପୃଷ୍ଠକୁ ଅନୁଧ୍ୟାନ କରିବା ପାଇଁ ଏହି ଟେଲିସ୍କୋପ୍ ଉତ୍ତୋଳନ କରୁଥିବା ଫଟୋ ଖୁବ୍ ସହାୟକ ହେବ। ସୂର୍ଯ୍ୟ ପୃଷ୍ଠର କେଉଁ ଠାରେ ଏହି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଛି ଏବଂ କେବେ ବିପଜ୍ଜନକ ସୌର ଝଡ଼ ସୃଷ୍ଟି ହେବ ତାହା ବୈଜ୍ଞାନିକମାନେ ଅନୁଧ୍ୟାନ କରି ଜାଣି ପାରିବେ।
ହାଓ୍ଵାଇ ଦ୍ୱୀପ ମାଉଇ ଠାରେ ଥିବା ୩୦୦୦ ମିଟର ଉଚ୍ଚ ଆଗ୍ନୟଗିରି ହାଲିଆକାଲା ଶୀର୍ଷରେ ଏହି ଦୂରବିକ୍ଷଣ ଯନ୍ତ୍ର ସ୍ଥାପନ କରାଯାଇଛି। ଏଥିରେ ଖଞ୍ଜାଯାଇଥିବା ୪ ମିଟର୍ ବିଶିଷ୍ଟ ମୁଖ୍ୟ ଦର୍ପଣଟି ବିଶ୍ୱର ସବୁ ଦୂରବିକ୍ଷଣରେ ଲାଗିଥିବା ଦର୍ପଣ ଠାରୁ ବଡ଼। ଏହାଛଡ଼ା ଏହି ଦୂରବିକ୍ଷଣ ଯନ୍ତ୍ରରେ ଅନେକ ଯନ୍ତ୍ରପାତି ରହିଛି ଯାହା ଉଜ୍ଜ୍ୱଳ ଏବଂ ରଙ୍ଗବିହୀନ ଆଲୋକର ଉପାଦାନକୁ ମଧ୍ୟ ଅଧ୍ୟୟନ କରିପାରିବ। ସେଥିରୁ ସୂର୍ଯ୍ୟ ମଣ୍ଡଳର ଚୁମ୍ବକୀୟ ବଳ ବିଷୟରେ ସୂଚନା ମିଳିବ। (ଏସ୍ପି)