ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣ ଅବତାର-୬

ଦେବକୀଙ୍କ ଅଷ୍ଟମଗର୍ଭ ବା ସର୍ବବ୍ୟାପକ ଅନନ୍ତ ଚେତନାର ଆଭାସକୁ କଂସରୂପୀ ମୋକ୍ଷକାମନା କବଳରୁ ବଞ୍ଚାଇ ରଖିବାପାଇଁ ହୁଏ ପ୍ରୟାସ। ଏହି ଚେତନାର ପୂର୍ଣ୍ଣତାର ଆଭାସକୁ ଜୀବନୀଶକ୍ତି ବସୁଦେବ ଲୁଚାନ୍ତି ଗୋକୁଳ ବା ଗୋପପୁରରେ। ଏହି ଶିଶୁ ବା ପୂର୍ଣ୍ଣତାର ପ୍ରାରମ୍ଭିକ ଆଭାସ, ଗୁପ୍ତରେ ବଞ୍ଚି ରହେ ନନ୍ଦ ଓ ଯଶୋଦାଙ୍କ ପାଖରେ। ‘ନନ୍ଦ୍‌’ ବା ‘ନନ୍ଦି’ ଧାତୁରୁ ଜାତ ‘ନନ୍ଦ’ ଶବ୍ଦର ଅର୍ଥ, ଆନନ୍ଦିତ ହେବା ବା ଆନନ୍ଦିତ କରିବା। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏହା ହେଉଛି ସାଧନାରୁ ଜାତ ଆନନ୍ଦ, ଯାହା ଶରୀରରେ ବ୍ୟାପ୍ତ ହୋଇଥାଏ। ‘ଯଶଃ’ ସହ ‘ଦା’ ଧାତୁର ମିଶ୍ରଣରେ ତିଆରି ହୋଇଛି ‘ଯଶୋଦା’ ଶବ୍ଦ। ଏହାର ଅର୍ଥ, ଯାହା ଯଶ ଦିଏ। ‘ଯଶ’ର ଅର୍ଥ, ଯାହା ସଂସାରରେ ବ୍ୟାପ୍ତ ହୁଏ। ତେଣୁ ପିଣ୍ଡବ୍ରହ୍ମାଣ୍ଡରେ ଆନନ୍ଦଦାୟକ ଚେତନାକୁ ବ୍ୟାପ୍ତି ପ୍ରଦାନ କରୁଥିବା ତତ୍ତ୍ୱ ହେଉଛି ଯଶୋଦା। ଏମାନଙ୍କ ପାଖରେ ଗୁପ୍ତରେ ବଢ଼ିବାକୁ ଛାଡ଼ି ଦିଆଯାଏ ଏହି ଅଷ୍ଟମ ସନ୍ତାନଙ୍କୁ।

ଏହି ଅଷ୍ଟମ ସନ୍ତାନଙ୍କର ନାମ ରଖାଯାଏ କୃଷ୍ଣ। ‘କୃଷ୍‌’ ଧାତୁ, ଯାହାର ଅର୍ଥ ଜୟ କରିବା, ସେଥିରୁ ଗଠିତ ହୋଇଛି ‘କୃଷ୍ଣ’ ଶବ୍ଦ। ଏହି ଚେତନାର ଆଭାସ ପିଣ୍ଡବ୍ରହ୍ମାଣ୍ଡର ପାର୍ଥକ୍ୟରୂପୀ ମାୟା ଉପରେ ବିଜୟ ଲାଭ କରିବା ପାଇଁ ଉଦ୍ଦିଷ୍ଟ। ‘କୃଷ୍ଣ’ ଶବ୍ଦର ଅର୍ଥ, କଳା ରଙ୍ଗ ଏବଂ ଅନ୍ଧକାର ମଧ୍ୟ। ଅନ୍ଧକାର ବା କାଳିମାର ଘନଘଟାରେ ସମସ୍ତ ରଙ୍ଗଗତ ପାର୍ଥକ୍ୟର ବିଲୁପ୍ତି ଘଟିଥାଏ। ଏହା ହେଉଛି ଅନ୍ଧକାରର ଏକାତ୍ମତା ପାଖରେ ସଂସାରର ରଙ୍ଗିନ ବିବିଧତାର ପରାଜୟ। କୃଷ୍ଣ ନାମ, ଚେତନାର ପୂର୍ଣ୍ଣତାର ଆଭାସକୁ ସୂଚାଏ। ଏହାର ଗର୍ଭରେ ଧୀରେ ଧୀରେ ସମସ୍ତ ପାର୍ଥକ୍ୟ ଲୀନ ହେବା ଆରମ୍ଭ କରନ୍ତି। ଅର୍ଥାତ୍ ଏହା ସେମାନଙ୍କ ଉପରେ ବିଜୟଲାଭ କରି ସେମାନଙ୍କୁ ଆତ୍ମସାତ୍ କରିଦିଏ।
କୃଷ୍ଣରୂପୀ ସର୍ବବ୍ୟାପକ ଅନନ୍ତ ଚେତନା, ପ୍ରଥମେ ଗୋକୁଳ ଓ ପରେ ବୃନ୍ଦାବନରେ ବଢ଼େ। ‘ଗୋ’ମାନଙ୍କର ସମୂହ ହେଉଛି ଗୋକୁଳ ବା ଗୋପପୁର। ‘ଗମ୍‌’ ଧାତୁରୁ ନିର୍ମିତ ‘ଗୋ’ ଶବ୍ଦର ଅର୍ଥ, ଯେ ଯଥେଷ୍ଟ ବିଚରଣ କରେ। ଏହାକୁ ଇନ୍ଦ୍ରିୟସମୂହ ବା ଦୃଷ୍ଟି ବି କୁହାଯାଇପାରେ। ବୃନ୍ଦାବନର ଅନ୍ୟ ନାମ ବ୍ରଜ। ‘ବ୍ରଜ୍‌’ ଧାତୁର ଅର୍ଥ, ଗମନ କରିବା ବା ବିଚରଣ କରିବା। ‘ବୃଣ୍‌’ ଧାତୁ, ଯାହାର ଅର୍ଥ ପ୍ରୀତି କରିବା- ତାହା ତିଆରି କରେ ‘ବୃନ୍ଦାବନ’ ଶବ୍ଦ। ଏଥିରୁ ସ୍ପଷ୍ଟ ହୁଏ, ଯେ ଚେତନାର ପୂର୍ଣ୍ଣତାର ଆଭାସକୁ ମୋକ୍ଷକାମନାରୂପୀ କଂସ ହାତରୁ ବଞ୍ଚାଇ ରଖାହୁଏ ପିଣ୍ଡବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ସାଧନାଲବ୍‌ଧ ଆନନ୍ଦ ଓ ପ୍ରୀତିପ୍ରଦ ଅନୁଭୂତି ମଧ୍ୟରେ।

ସମ୍ବନ୍ଧିତ ଖବର