ବ୍ରହ୍ମାଣ୍ଡର ପ୍ରତ୍ୟେକ ତତ୍ତ୍ୱ କୌଣସି ନା କୌଣସି କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଯେକୌଣସି ତତ୍ତ୍ୱର କର୍ମକୁ ଦର୍ଶାଉଥିବା ପଦକୁ ବ୍ୟାକରଣରେ କ୍ରିୟା ବୋଲି କୁହାଯାଏ। କ୍ରିୟା ଶବ୍ଦ ‘କୃ’ ଧାତୁରୁ ନିର୍ମିତ, ଯାହାର ଅର୍ଥ ‘କରିବା’। ‘ସଂସ୍କୃତ’ ବ୍ୟାକରଣ ଅନୁଯାୟୀ କ୍ରିୟା ଶବ୍ଦଟି ସ୍ତ୍ରୀଲିଙ୍ଗ। ଏହା ସୂଚାଏ, ଯେ ସମସ୍ତ ପ୍ରକାରର କ୍ରିୟା ପାଖରେ ମାତୃତ୍ୱ ଅଛି। କ୍ରିୟା ନୂତନ ସୃଜନ କରିପାରେ। ଏକଥା ସତ୍ୟ। କାରଣ କ୍ରିୟା ନଥିଲେ ଏହି ବ୍ରହ୍ମାଣ୍ଡ ଚିରନୂତନ ଓ ଜୀବନ୍ତ ହୋଇ ରହି ପାରିବ ନାହିଁ। କ୍ରିୟା ହେଉଛି ସମସ୍ତ ନୂତନ ସର୍ଜନର ମାତା। ବ୍ୟାକରଣ ବର୍ଣ୍ଣିତ କ୍ରିୟା ସୃଷ୍ଟିର ଏହି ସର୍ବବ୍ୟାପକ ସର୍ଜନକାରୀ ମାତୃତ୍ୱ ବା ଆଦିମାତାଙ୍କର ଆଭାସ ପ୍ରଦାନ କରେ।
ଜନ୍ମ-ମୃତ୍ୟୁର କର୍ମଚକ୍ରରୁ ମୁକ୍ତ ହେବା ପିଣ୍ଡବ୍ରହ୍ମାଣ୍ଡ ସାଧନାର ଲକ୍ଷ୍ୟ ବୋଲି କୁହାଯାଏ। କର୍ମବନ୍ଧନ ବା ଜନ୍ମମୃତ୍ୟୁର ଚକ୍ର ହେଉଛି ଏହି କ୍ରିୟାର ପ୍ରତିଫଳ। ଯେକୌଣସି କ୍ରିୟା ଆଉ ଗୋଟିଏ କ୍ରିୟାର ବୀଜ ସୃଷ୍ଟି କରେ। ଏଥିରୁ ସୃଷ୍ଟିହୁଏ ପ୍ରାରବ୍ଧ, ସଞ୍ଚିତକର୍ମ ଓ କ୍ରିୟମାଣ କର୍ମ। ଏଥିରୁ ପୁଣି ଥରେ ଜନ୍ମ ନିଏ ନୂତନ କ୍ରିୟା। ଏହି ଚକ୍ର ଏହିଭଳି ଜାରି ରହିଥାଏ। ଏହି ଚକ୍ର-ବନ୍ଧନରୁ ମୁକ୍ତ ହେବାର ଉପାୟ ମିଳେ କ୍ରିୟାର ପ୍ରକୃତ ଦର୍ଶନରୁ। ସେଇଥିପାଇଁ କ୍ରିୟାକୁ ଯୋଗ ବା ଯୁକ୍ତାବସ୍ଥାର ପ୍ରାପ୍ତିର ଉପାୟ ଭାବେ ମାନ୍ୟତା ମିଳିଛି। ପିଣ୍ଡବ୍ରହ୍ମାଣ୍ଡ ସାଧନାର ଏକ ବହୁଳ ବ୍ୟବହୃତ ପ୍ରତିଶବ୍ଦ ହେଉଛି କ୍ରିୟାଯୋଗ।
କ୍ରିୟାଯୋଗ-ସିଦ୍ଧମାନେ କହନ୍ତି, ପ୍ରତ୍ୟେକ ‘କ୍ରି’ ବା କର୍ମ ମଧ୍ୟରେ ‘ୟା’କୁ ଅନୁଭବ କରିବା ହେଉଛି କ୍ରିୟାଯୋଗ। ‘ୟା’ ଧାତୁର ଅର୍ଥ- ଗତି ବା ଯାତ୍ରା। ସାଧକଙ୍କୁ ନିଜର ଓ ସଂସାରର ସମସ୍ତ କର୍ମର ମୂଳ ଉତ୍ସ ବା ଏଗୁଡ଼ିକର ଯାତ୍ରାର ଆରମ୍ଭ କେଉଁଠାରୁ ତାହା ଅନୁଭବ କରିବାକୁ ହୁଏ- ଯେ ଏହି ଅନ୍ତହୀନ ଲାଗୁଥିବା କ୍ରିୟା ଶୃଙ୍ଖଳର ଶେଷ କେଉଁଠି। ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ସାଧକ ନିର୍ବିକଳ୍ପ ଅନୁଭୂତି ଆଡ଼କୁ ଅଗ୍ରସର ହେବାରେ ଲାଗନ୍ତି। ଧୀରେଧୀରେ ଅନୁଭବ ହୁଏ, ଯେ ସବୁ ‘କ୍ରି’ର ‘ୟା’ ହେଉଛି ଚିରନ୍ତନ ବ୍ରାହ୍ମୀସ୍ଥିତି। ଏହି ଏକାତ୍ମତାର ଦର୍ଶନ ସାଧକଙ୍କୁ ସମାଧିର ନିକଟବର୍ତ୍ତୀ କରାଏ। ଆଉ ଏକ ଅର୍ଥରେ, ସମସ୍ତ କ୍ରିୟାକୁ ଏକାକାର କରିବା ବା ଏକ ବୋଲି ଅନୁଭବ କରିବା ହେଉଛି କ୍ରିୟାର ଯୁକ୍ତାବସ୍ଥା ବା କ୍ର୍ରିୟାଯୋଗ। ଏହା ମଧ୍ୟ ସର୍ବବ୍ୟାପକ ବ୍ରାହ୍ମୀସ୍ଥିତିର ନିକଟବର୍ତ୍ତୀ ହେବାକୁ ହିଁ ଅନ୍ୟ ଶବ୍ଦରେ ବର୍ଣ୍ଣନା କରେ। କ୍ରିୟାଯୋଗ ମାଧ୍ୟମରେ ଏହି ସ୍ଥିତି ପ୍ରାପ୍ତ ହେଲେ ସାଧକଙ୍କର ଚେତନାର ପାର୍ଥକ୍ୟଦର୍ଶନ ବୃତ୍ତି ଲୋପ ପାଇଥାଏ ଏବଂ ସେ ମହର୍ଷି ପତଞ୍ଜଳିଙ୍କ ବଣ୍ଣିଁତ ‘ଚିତ୍ତବୃତ୍ତି ନିରୋଧ’ ଯୋଗସ୍ଥିତି ପ୍ରାପ୍ତ କରନ୍ତି।