ଶ୍ରୀମଦ୍‌ଭଗବଦ୍‌ଗୀତାରେ ଭଗବାନ ଶ୍ରୀକୃଷ୍ଣ ତପସ୍ୟାକୁ ଏକପ୍ରକାର ଯଜ୍ଞ ଭାବେ ସୂଚାଇଛନ୍ତି। ‘ତପ୍‌’ ଧାତୁରୁ ସୃଷ୍ଟି ହୋଇଛି ତପସ୍ୟା ଶବ୍ଦ। ଏହାର ଅର୍ଥ ଉତ୍ତପ୍ତ ବା ଗରମ କରିବା। ଯେକୌଣସି ବସ୍ତୁ ଗରମ ହେଲେ ତାହାର ସ୍ୱରୂପ ଓ ସ୍ଥିତି ବିଲୟ ହେବା ଆରମ୍ଭ କରେ। ଉତ୍ତାପ ବଢ଼ି ଚାଲିଲେ ଏହା ପ୍ରଜ୍ୱଳନର କାରଣ ହୁଏ। ତାହାଦ୍ୱାରା ବସ୍ତୁର ପୃଥକ୍ ସ୍ଥିତି ନାଶ ହୋଇଯାଏ। ତାପର ଏହି ଗୁଣକୁ ତପସ୍ୟାର ଭିତ୍ତି ଭାବେ ଗ୍ରହଣ କରାଯାଇଛି। ସେଇଥିପାଇଁ ତପସ୍ୟା ହେଉଛି ଯଜ୍ଞ। ତାପରୁ ସୃଷ୍ଟ ଅଗ୍ନି ନିଜେ ନିଜକୁ ଦହନ କରି ନିଜ ପରିଚୟକୁ ନିଃଶେଷ କରି ଦେଇପାରେ।

Advertisment

ପିଣ୍ଡ ବ୍ରହ୍ମାଣ୍ଡ ସାଧନା ମଧ୍ୟ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ସମାନ ଉପାୟ ଅବଲମ୍ବନ କରେ। କେବଳ ଆବଶ୍ୟକ ନିଜ ପିଣ୍ଡ ବ୍ରହ୍ମାଣ୍ଡ ଭିତରେ ତାପ ସୃଷ୍ଟି କରିବା। ଏହା ହେଉଛି ତପସ୍ୟା। ସିଦ୍ଧ ସାଧକମାନଙ୍କ ମତରେ, ପିଣ୍ଡବ୍ରହ୍ମାଣ୍ଡରେ ଦୁଇଟି ଉପାୟରେ ତାପ ସୃଷ୍ଟି କରାଯାଏ। ତାହା ହେଲା- ପ୍ରାଣାୟାମ ଓ ଧ୍ୟାନ। ତାପ ସୃଷ୍ଟି ପାଇଁ ଘର୍ଷଣ ବା ସଂଘର୍ଷ ନିତାନ୍ତ ଆବଶ୍ୟକ। ପ୍ରାଣାୟାମ ଓ ଧ୍ୟାନର ଚେଷ୍ଟା ହେଉଛି ସେହି ଘର୍ଷଣ ବା ସଂଘର୍ଷ। ସ୍ଥୂଳ ଶରୀର ପାଇଁ ପ୍ରାଣାୟାମରୂପୀ ତାପକୁ ତପସ୍ୟାଯଜ୍ଞର ଅଗ୍ନି ଭାବେ ବ୍ୟବହାର କରାଯାଏ। ମନର ଆହୁତି ପାଇଁ ଏହି ଯଜ୍ଞରେ ଧ୍ୟାନର ପ୍ରଚେଷ୍ଟା ବ୍ୟବହୃତ ହୁଏ। ଏହି ଦୁଇ ତାପ ମାଧ୍ୟମରେ ସାଧକ ମଧ୍ୟରେ ଥିବା ପାର୍ଥକ୍ୟ ଚେତନାର ବିଲୟ ହୁଏ।

ସୁଦୀର୍ଘ ପ୍ରାଣାୟାମ ଦ୍ୱାରା ସାଧକ ସର୍ବପ୍ରଥମେ ନିଜ ଶରୀରର ସଂପୂର୍ଣ୍ଣତାକୁ ପ୍ରାଣର ବ୍ୟାପ୍ତି ମାଧ୍ୟମରେ ଅନୁଭବ କରନ୍ତି। ସେ ଜାଣି ପାରନ୍ତି, ଯେ ସମସ୍ତ କୋଷିକା ପୃଥକ୍ ପୃଥକ୍ ହୋଇଥିଲେ ମଧ୍ୟ, ସେମାନେ ହେଉଛନ୍ତି ପ୍ରାଣଶକ୍ତିର ସ୍ଥୂଳ ରୂପାନ୍ତରଣ। ଏହି ଏକାତ୍ମତାର ଅନୁଭୂତି ପିଣ୍ଡବ୍ରହ୍ମାଣ୍ଡରେ ପାର୍ଥକ୍ୟ ଅନୁଭୂତିର ବିଲୟରେ ସହାୟକ ହୁଏ। ଧ୍ୟାନର ପ୍ରଚେଷ୍ଟା ମଧ୍ୟ ଏକ ତାପ ସୃଷ୍ଟିକାରୀ ସଂଘର୍ଷ ବା ଘର୍ଷଣ। ମନର ଗତି ଦୁଇ ପ୍ରକାର- ବହିର୍ମୁଖୀ ଓ ଅନ୍ତର୍ମୁଖୀ। ଧ୍ୟାନ କରିବାକୁ ବସିଲେ, ଏହି ଦୁଇଟି ମଧ୍ୟରେ ସଂଘର୍ଷ ବା ଘର୍ଷଣ ଆରମ୍ଭ ହୋଇଯାଏ। ଏହି ସଂଘର୍ଷରୁ ଜାତ ହୁଏ ଧ୍ୟାନାଗ୍ନି। ଆରମ୍ଭରେ ଏହି ଧ୍ୟାନାଗ୍ନିର ତାପ ବହିର୍ମୁଖୀ ମନର ବିଲୟ କରିଥାଏ। ଏହା ପରେ ଧ୍ୟାନାଗ୍ନିରେ ଜଳିବାକୁ ଆରମ୍ଭ କରେ ଅନ୍ତର୍ମୁଖୀ ମନ। ଏହି ପ୍ରଜ୍ୱଳନର ଆଲୋକରେ ପିଣ୍ଡବ୍ରହ୍ମାଣ୍ଡ ସାଧକ କିଞ୍ଚିତ୍ ଆତ୍ମଦର୍ଶନ ଲାଭ କରନ୍ତି। କିନ୍ତୁ ତପସ୍ୟା ଯଜ୍ଞର ଅଗ୍ନି ଏଇଠି ନିର୍ବାପିତ ହୁଏନାହିଁ। ଏହା ଜଳି ଜଳି ଅନ୍ତର୍ମୁଖୀ ମନକୁ ମଧ୍ୟ ନିଃଶେଷ କରିଦିଏ। ଏହାଦ୍ୱାରା ମନର ସଂପୂର୍ଣ୍ଣ ବିଲୟ ଘଟେ ଏବଂ ନିର୍ବିକଳ୍ପ ସମାଧି, ନିର୍ବାଣ ବା ମୁକ୍ତିର ଦ୍ୱାର ଖୋଲିବା ଆରମ୍ଭ ହୁଏ।