ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ମହାବିଦ୍ୟା ମାତଙ୍ଗୀ ହେଉଛନ୍ତି ଆଜ୍ଞାଚକ୍ରର ଆଉ ଏକ ଅନନ୍ୟ ରୂପ ଦର୍ଶନ। ‘ମାତଙ୍ଗ’ ଶବ୍ଦ ଶ୍ରେଷ୍ଠତା ବା ମଙ୍ଗଳବାଚକ। ଏହାର ସ୍ତ୍ରୀଲିଙ୍ଗ ହେଉଛି ‘ମାତଙ୍ଗୀ’। ମାତଙ୍ଗୀ ଶବ୍ଦର ଅର୍ଥ ହସ୍ତିନୀ ଓ ଚଣ୍ଡାଳୁଣୀ। ଆଜ୍ଞାଚକ୍ରରେ ଏହିସବୁ ଗୁଣର ଉପସ୍ଥିତିର ଦର୍ଶନ ହେଉଛି ମହାବିଦ୍ୟା ମାତଙ୍ଗୀଙ୍କ ଅନୁଭବ ଓ ଉପାସନା। ଆଜ୍ଞାଚକ୍ର ହେଉଛି ଜୀବନର ଉତ୍ସ। ତେଣୁ ଏହା ସମସ୍ତ ମଙ୍ଗଳକାରୀ ଜୀବନୀଶକ୍ତିର ଶ୍ରେଷ୍ଠତମ ପରିପ୍ରକାଶ। ମାତଙ୍ଗୀରୂପୀ ଆଜ୍ଞାଚକ୍ର ହସ୍ତୀର ଗୁଣ ବହନ କରେ। ଶରୀରସ୍ଥ ସ୍ନାୟୁ ବଣରେ ଆଜ୍ଞାଚକ୍ରର ଚେତନା ହାତୀ ଭଳି ବୁଲୁଥାଏ। ହାତୀ ଭଳି ଏହି ଆଜ୍ଞାଚକ୍ରସ୍ଥ ଚେତନା ଶାନ୍ତ, କିନ୍ତୁ ବେଳେ ବେଳେ ଉଗ୍ର ଅବସ୍ଥାରେ ସବୁକିଛିକୁ ନଷ୍ଟ କରିପାରେ।
ମାତଙ୍ଗୀଙ୍କୁ ଚଣ୍ଡାଳୁଣୀ ଭାବେ ମଧ୍ୟ ବର୍ଣ୍ଣନା କରାଯାଇଛି। ଚଣ୍ଡାଳ ବା ଚଣ୍ଡାଳୁଣୀ ବର୍ଜ୍ୟବସ୍ତୁକୁ ଦୂରେଇ ଦେଇ ପରିବେଶକୁ ପରିଷ୍କାର କରିଥାଆନ୍ତି। ଠିକ୍ ସେହିପରି, ମାତଙ୍ଗୀ ସ୍ଥିତିରେ ଆଜ୍ଞାଚକ୍ର ସାଧକଙ୍କ ମନରୁ ବର୍ଜ୍ୟ ଚିନ୍ତନଗୁଡ଼ିକୁ ପରିତ୍ୟାଗ କରିବାରେ ସହାୟକ ହୁଏ। ଏହାଦ୍ୱାରା ସାଧକଙ୍କ ସାଧନା ମାର୍ଗ ପରିଷ୍କୃତ ହୁଏ। ମାତଙ୍ଗୀଙ୍କର ଅନ୍ୟ ନାମ ଉଚ୍ଛିଷ୍ଟ ଚଣ୍ଡାଳୁଣୀ ବା ଉଚ୍ଛିଷ୍ଟ ମାତଙ୍ଗିନୀ। ଏହି ମହାବିଦ୍ୟାଙ୍କୁ ଉଚ୍ଛିଷ୍ଟ ଅର୍ପଣ କରାଯାଏ। ସାଧକ ମଧ୍ୟ ଆଜ୍ଞାଚକ୍ରକୁ ଉଚ୍ଛିଷ୍ଟ ଅର୍ପଣ କରିବାଦ୍ୱାରା ମାତଙ୍ଗୀଙ୍କ କୃପାଲାଭ କରେ। ଶରୀରରୂପୀ ପିଣ୍ଡବ୍ରହ୍ମାଣ୍ଡ ଚେତନାର ବିଭିନ୍ନ ପ୍ରକାରର ସ୍ୱାଦ ଉପଭୋଗ କରେ। ଏହି ସ୍ୱାଦର ସମ୍ଭାର ଉପଭୋଗ କରି କରି ବେଳେବେଳେ ମନ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇଯାଏ କିମ୍ବା ସନ୍ତୋଷଠାରୁ ଦୂରକୁ ଚାଲିଯାଏ। ଏହି ସମୟରେ ସାଧକଙ୍କୁ ଲାଗେ, ଏଭଳି କିଛି ଚେତନାର ସ୍ୱାଦ ଅଛି ଯାହାକୁ ସେ ଉପଭୋଗ କରିପାରୁ ନାହାନ୍ତି। ଉପଭୋଗ କରିବା ପାଇଁ କ୍ଷମତା ନଥିବା ଏହି ଚେତନାର ବଳିପଡ଼ିଥିବା ସ୍ୱାଦ ହେଉଛି ମହାବିଦ୍ୟା ମାତଙ୍ଗୀଙ୍କୁ ଅର୍ପଣ କରାଯାଉଥିବା ଉଚ୍ଛିଷ୍ଟ। ସାଧକ ଏହି ଉଚ୍ଛିଷ୍ଟ ଆଜ୍ଞାଚକ୍ରରୂପୀ ମାତଙ୍ଗୀଙ୍କୁ ଅର୍ପଣ କଲେ ବା ଏହାଙ୍କୁ ସେଠାରେ ଅନୁଭବ କଲେ, ସମସ୍ତ ଜ୍ଞାନ ପ୍ରାପ୍ତି ପାଇଁ ପ୍ରସ୍ତୁତ ହୁଏ। ଏଣୁ ତନ୍ତ୍ର ମତରେ ମାତଙ୍ଗୀଙ୍କୁ ବିଦ୍ୟା ପ୍ରଦାୟିନୀ ସରସ୍ୱତୀଙ୍କ ସହ ତୁଳନା କରାଯାଏ। ମାତଙ୍ଗୀଙ୍କ ବର୍ଣ୍ଣ ସବୁଜ, ତାହା ପ୍ରକୃତିର ସର୍ବବ୍ୟାପକ ଜୀବନ୍ତ ଅବସ୍ଥାକୁ ଦର୍ଶାଏ ଏବଂ ତାହା ପିଣ୍ଡବ୍ରହ୍ମାଣ୍ଡର କୋଣ ଅନୁକୋଣରେ ପରିବ୍ୟାପ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/5d64g65da4g6daggda.jpg)