ଏହି ମହାବିଦ୍ୟା କୁରୂପା ଓ ବିଧବା। ତାଙ୍କର କେଶ ଅସଜଡ଼ା, ଚର୍ମ ଲୋଳିତ ଓ ଚକ୍ଷୁ ରକ୍ତବର୍ଣ୍ଣ। ସେ ସମସ୍ତ କ୍ରୋଧ, ଦୁଃଖ, ଭୟ, ହତାଶା, ଅଶାନ୍ତି, ଅବିରତ କ୍ଷୁଧା ଓ ଅସରନ୍ତି ପିପାସାର ପରିଚୟ ବହନ କରନ୍ତି। ତାଙ୍କର ଘୋଟକବିହୀନ ଯାନରେ ଶୋଭା ପାଏ କାକଚିତ୍ରିତ ଧ୍ୱଜ। ସେ ନିଜର ଗୋଟିଏ କମ୍ପିତ ହସ୍ତରେ କୁଲା ଧାରଣ କରିଥିବା ବେଳେ, ଅନ୍ୟ ହସ୍ତ ଦ୍ୱାରା ଆଶୀର୍ବାଦ ପ୍ରଦାନ କରୁଥାଆନ୍ତି। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧ ସାଧକମାନଙ୍କ ମତରେ, ଏହି ମହାବିଦ୍ୟା ମଧ୍ୟ ଆଜ୍ଞାଚକ୍ରର ଏକ ସାଧନାଲବ୍ଧ ଦର୍ଶନ। ତେଣୁ ସେ ଉପାସ୍ୟା। ପୁରାଣ ମତରେ, ଥରେ ଦେବୀ ସତୀ କ୍ଷୁଧାତୁରା ହୋଇ ମହାଦେବଙ୍କୁ ଗିଳି ଦେଇଥିଲେ। ଏହାପରେ ସେ ପ୍ରାପ୍ତ ହୋଇଥିଲେ ଏହି ରୂପ।
ପିଣ୍ଡବ୍ରହ୍ମାଣ୍ଡ ସାଧନାରେ, ସାଧକ ଆଜ୍ଞାଚକ୍ର ଦର୍ଶନ ପରେ ଏହାର ଉତ୍ସ ବା ସର୍ବବ୍ୟାପକ ସତ୍ତାର ଅନୁଭବର ସ୍ଥିତି ବିସ୍ମୃତ ହୁଅନ୍ତି। ଏହା ହେଉଛି ଧୂମାବତୀ ସ୍ଥିତି। ପରଂବ୍ରହ୍ମ ସ୍ଥିତି ବିନା ବା ନିଜର ମୂଳ ଉତ୍ସକୁ ଭୁଲିବା ହେଉଛି ଆଜ୍ଞାଚକ୍ରର ବିଧବା ଅବସ୍ଥା। ଏହି ସମୟରେ ଆଜ୍ଞାଚକ୍ର ଅସ୍ଥିର, ସର୍ବଦା କମ୍ପମାନ। ‘ଧୂମ’ ଶବ୍ଦ ଆସିଛି ‘ଧୂ’ ଧାତୁରୁ, ଯାହାର ଅର୍ଥ କମ୍ପିବା। ଏହି କମ୍ପମାନ ବା ଅସ୍ଥିର ଅବସ୍ଥାରେ ଆଗକୁ ବାଟ ଦେଖାଯାଏ ନାହିଁ। ଆଜ୍ଞାଚକ୍ରରେ ଅନୁଭୂତ ହୁଏ ଏକ ବିଶେଷ ପ୍ରକାରର କାରଣହୀନ ବିରହ, ହତାଶା ଓ ଅଶାନ୍ତି। ସେଥିରୁ ଜନ୍ମ ନିଏ ନିଜ ଉପରେ କ୍ରୋଧ ଏବଂ ଭୟ ଓ ଦୁଃଖ। କିଛି ଗୋଟେ ପାଇବାପାଇଁ ଅସରନ୍ତି କ୍ଷୁଧା ଓ ପିପାସା ଭରିଯାଏ ସାଧକଙ୍କ ଆଜ୍ଞାଚକ୍ରରେ।
ସାଧକଙ୍କୁ ଲାଗେ, କୌଣସି ମାଧ୍ୟମ ତାଙ୍କୁ ଏହି ସ୍ଥିତିରୁ ମୁକ୍ତ କରିପାରିବ ନାହିଁ। ତେଣୁ ଧୂମାବତୀଙ୍କ ଯାନରେ ଘୋଡ଼ା ଯୋଚା ଯାଇନାହିଁ। କିନ୍ତୁ ଏହି ସ୍ଥିତି ହେଉଛି ଚେତନାର ନୂତନ ସକାଳର ଆଭାସ। ଏଣୁ, ଏହି ଯାନରେ ଲାଗିଛି କାକଧ୍ୱଜା। କାକ ହିଁ ଉଷାକାଳର ସୂଚନା ପ୍ରଦାନ କରେ। ଏହି ଧୂମାବତୀ ରୂପୀ ମହାବିଦ୍ୟା ସ୍ଥିତି ଦର୍ଶନ ନକରିବା ଯାଏ, କୌଣସି ପିଣ୍ଡବ୍ରହ୍ମାଣ୍ଡ ସାଧକ ଆଜ୍ଞାଚକ୍ରର ସହସ୍ରାର ସହ ସଂପର୍କକୁ ଅନୁଭବ କରିବା ଶକ୍ତି ପାଇ ପାରନ୍ତି ନାହିଁ। ସହସ୍ରାର ଚକ୍ରର ଅନୁଭୂତି ବା ଦର୍ଶନ ହେଉଛି, ସର୍ବବ୍ୟାପକ ଆଦିସ୍ଥିତିକୁ ଫେରିବାପାଇଁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ଶେଷ ସୋପାନ। ସେଇଥିପାଇଁ ମହାବିଦ୍ୟା ଧୂମାବତୀଙ୍କର ଗୋଟିଏ କମ୍ପିତ ହସ୍ତ ବରଦ ମୁଦ୍ରାରେ ଥାଏ। ଅନ୍ୟ କମ୍ପିତ ହସ୍ତରେ ସେ ଧରିଥିବା କୁଲା, ନିଜ ପାଇଁ ପ୍ରକୃତରେ କ’ଣ ଉପାଦେୟ ତାହା ବାଛିପାରିବା ଶକ୍ତିକୁ ଦର୍ଶାଏ। ଧୂମାବତୀ ମହାବିଦ୍ୟାଙ୍କ ଦର୍ଶନ ସାଧକଙ୍କ ପାଇଁ ଆନନ୍ଦଦାୟକ ନ ହୋଇଥିଲେ ମଧ୍ୟ, ଏହା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ଚରମ ଓ ପରମ ଅନୁଭୂତି ପାଇଁ ପ୍ରସ୍ତୁତ କରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/564g65d465gdgjgjgj.jpg)