ପିଣ୍ତ-ବ୍ରହ୍ମାଣ୍ତ ଦଶାବତାର

ଏହି ସୃଷ୍ଟି ହେଉଛି ପାର୍ଥକ୍ୟମାନଙ୍କର ସମାହାର। ମୂଳ ଅବ୍ୟକ୍ତ ହେଉଛି ଏହି ସମସ୍ତ ପାର୍ଥକ୍ୟର ଆଦିତତ୍ତ୍ୱ। ତେଣୁ ଏହି ପାର୍ଥକ୍ୟମାନଙ୍କ ମଧ୍ୟରେ ଏକପ୍ରକାରର ସନ୍ତୁଳନ ସ୍ୱାଭାବିକ ଭାବେ ବଜାୟ ରହେ। ଏହି ସନ୍ତୁଳନ ବାହ୍ୟ ବ୍ରହ୍ମାଣ୍ଡ ଓ ଜୀବନ୍ତ ପିଣ୍ଡବ୍ରହ୍ମାଣ୍ଡକୁ ବଞ୍ଚାଇ ରଖେ। କିନ୍ତୁ ବେଳେବେଳେ ସନ୍ତୁଳନ ବିଗିଡ଼ିଯାଏ। ସନ୍ତୁଳନ ନଷ୍ଟ ହେଲେ ଉଭୟ ବ୍ରହ୍ମାଣ୍ଡର ସ୍ଥିତି ବିପନ୍ନ ହୁଏ। ସେହି ସମୟରେ ସୃଷ୍ଟିର ପାଳନକର୍ତ୍ତା ବା ସନ୍ତୁଳନ ରକ୍ଷାକାରୀ ଶକ୍ତି, ଯାହାଙ୍କୁ ଆମେ ଭଗବାନ ବିଷ୍ଣୁ ନାମରେ ପୂଜାକରୁ, ସେ ବିଭିନ୍ନ ରୂପରେ ଅବତରିତ ହୋଇ ସୃଷ୍ଟିର ସନ୍ତୁଳନକୁ ରକ୍ଷା କରନ୍ତି। ବ୍ରହ୍ମାଣ୍ଡର ଏକକମାନଙ୍କ ମଧ୍ୟରେ ଅସନ୍ତୁଳନ ସୃଷ୍ଟିକରୁଥିବା ‘ଦୁଷ୍କୃତ’ମାନଙ୍କୁ ନାଶ କରନ୍ତି। ସାଧୁମାନଙ୍କୁ ପରିତ୍ରାଣ କରନ୍ତି।

‘ଦୁର’ ଓ ‘କୃତ’ର ମିଳନରେ ‘ଦୁଷ୍କୃତ’ ଶବ୍ଦର ସୃଷ୍ଟି। ତେଣୁ ଏହାର ଅର୍ଥ- ଦୂରକରିବା ବା ଅଲଗା ହେବା। ଏହା ବ୍ରହ୍ମାଣ୍ଡର ଧର୍ମ ବା ସବୁକିଛିକୁ ଧାରଣ କରି ରଖିଥିବା ନିୟମରୁ ବିଚ୍ୟୁତ ହେବାକୁ ଦର୍ଶାଏ। ସର୍ବବ୍ୟାପକ ସନ୍ତୁଳନ ରକ୍ଷାକାରୀ ନିୟମ ବା ଧର୍ମରୁ ବିଚ୍ୟୁତ ହେବା ହେଉଛି ‘ଦୁଷ୍କୃତ’। ‘ସାଧୁ’ ଶବ୍ଦ ଆସିଛି ‘ସାଧ୍‌’ ଧାତୁରୁ, ଯାହାର ଅର୍ଥ ନିଷ୍ପନ୍ନ କରିବା ବା ସମାଧାନ କରିବା। ଅବତାର ମାଧ୍ୟମରେ ସନ୍ତୁଳନ ରକ୍ଷାକାରୀ ଶକ୍ତି, ଅସନ୍ତୁଳନ ସୃଷ୍ଟିକାରୀ ଦୁଷ୍କୃତମାନଙ୍କୁ ବିନାଶ କରି, ସୃଷ୍ଟିର ସ୍ଥିତିକୁ ବିପନ୍ନ କରିଥିବା ସମସ୍ୟାର ସମାଧାନ କରନ୍ତି। ସୃଷ୍ଟିର ସନ୍ତୁଳନ ବା ଧର୍ମର ସଂସ୍ଥାପନ ପାଇଁ ବାରମ୍ବାର ଅବତରିତ ହୁଅନ୍ତି।

ପୁରାଣ ଅନୁସାରେ, ଭଗବାନ ବିଷ୍ଣୁଙ୍କର ୨୪ ଅବତାର। ଏଥି ମଧ୍ୟରେ ୧୦ଟି ଅବତାର ପ୍ରମୁଖ। ଏହି ଦଶଟି ଅବତାର ଏକ କ୍ରମବିକାଶ। ପୃଥିବୀ ପୃଷ୍ଠରେ ଜୀବନ୍ତ ପ୍ରାଣୀମାନଙ୍କର କ୍ରମବିକାଶ ଚାଲିଛି। ଏହି କ୍ରମବିକାଶ ମାଧ୍ୟମରେ ଆମ ଭଳି ମଣିଷ ସୃଷ୍ଟି ହୋଇଛନ୍ତି। ଜୀବନର କ୍ରମବିକାଶର ଆଭାସ ମିଳେ ଦଶାବତାର ମଧ୍ୟରେ। ଯଦି ଦଶାବତାର ଜୀବନ୍ତ ପ୍ରାଣୀମାନଙ୍କର କ୍ରମବିକାଶ, ତା’ହେଲେ ଏହାର ପରିଚୟ ନିଶ୍ଚିତ ଭାବେ ଆମ ପିଣ୍ଡବ୍ରହ୍ମାଣ୍ଡରେ ଅଛି। ପିଣ୍ଡବ୍ରହ୍ମାଣ୍ଡ ସାଧକମାନେ ଏହା ଅନୁଭବ କରନ୍ତି। ଦିବ୍ୟଦ୍ରଷ୍ଟା ସିଦ୍ଧମାନେ ଦଶାବତାରକୁ ସାଧନାର ଦଶଟି ସୋପାନ ଭାବେ ଗ୍ରହଣ କରନ୍ତି। ଚେତନାର ପାର୍ଥକ୍ୟପୂର୍ଣ୍ଣ ସ୍ଥିତିରୁ ମୂଳ ଅବ୍ୟକ୍ତ ସ୍ଥିତିକୁ ଫେରିବା ମାର୍ଗର ବିଭିନ୍ନ ସୋପାନ ହେଉଛି ଦଶାବତାର। ପିଣ୍ଡବ୍ରହ୍ମାଣ୍ଡ ସାଧକ ଏହି ସୋପାନଗୁଡ଼ିକରେ ବିଭିନ୍ନ ପ୍ରକାରର ଅସନ୍ତୁଳନକୁ ପାର କରି ଏକାତ୍ମତାର ସନ୍ତୁଳନ ଆଡ଼କୁ ଆଗେଇ ଥାଆନ୍ତି। ଏହା ଦଶାବତାରର ଧ୍ୟାନଲବ୍‌ଧ ଅନୁଭବ।

ସମ୍ବନ୍ଧିତ ଖବର