ମହାବିଦ୍ୟା ବଗଳାମୁଖୀ ଏକାଧାରରେ ଶାନ୍ତ ଏବଂ ଉଗ୍ର। ଧ୍ୟାନାବସ୍ଥାରେ ଆଜ୍ଞାଚକ୍ରର କ୍ରିୟମାଣ ଉଗ୍ର ଅବସ୍ଥା ଓ ନିଷ୍କ୍ରିୟ ଅକର୍ମ ଶାନ୍ତ ଅବସ୍ଥାକୁ ଏକତ୍ର ଅନୁଭବ କରିବା ହେଉଛି ବଗଳାମୁଖୀଙ୍କର ପ୍ରକୃତ ଦର୍ଶନ। ଏହି ମହାବିଦ୍ୟା ସମସ୍ତ ଶତ୍ରୁ ଭୟ ଦୂର କରନ୍ତି। ଏହାଙ୍କର ଅନୁଭବ ପ୍ରାପ୍ତ ହେଲେ ସାଧକ ବୁଝି ପାରନ୍ତି, ଯେ ପିଣ୍ଡବ୍ରହ୍ମାଣ୍ଡର ଉଭୟ ଶାନ୍ତ ଓ ଅଶାନ୍ତ ଅବସ୍ଥାର ମୂଳ ଉତ୍ସ ହେଉଛି ଆଜ୍ଞାଚକ୍ର। ଏହି ଅନୁଭବ ସହିତ ସାଧନାର ସମସ୍ତ ବାଧକ ବା ଶତ୍ରୁ ବିଲୀନ ହୋଇଯାଆନ୍ତି। ପାର୍ଥକ୍ୟ ଦର୍ଶନ ଦ୍ୱାରା ଇତସ୍ତତଃ ଧାବମାନ ମନର ସ୍ତମ୍ଭନ ହୁଏ। ବହିର୍ମୁଖୀ ମନ ଅନ୍ତର୍ମୁଖୀ ଚେତନାର ଅକ୍ତିଆରକୁ ଆସେ। ଦେବୀ ବଗଳାମୁଖୀ ରାକ୍ଷସର ଜିଭକୁ ଭିଡ଼ି ଧରିବା ଏହାକୁ ଦର୍ଶାଏ।

Advertisment

ଭାଷାତତ୍ତ୍ୱବିତ୍‌ଙ୍କ ମତରେ, ସଂସ୍କୃତ ଶବ୍ଦ ‘ବଲ୍‌ଗା’ ଯାହାର ଅର୍ଥ ଲଗାମ- ପରବର୍ତ୍ତୀ ସମୟରେ ଅପଭ୍ରଂଶ ହୋଇ ‘ବଗଲା’ ବା ‘ବଗଳା’ ହୋଇଛି। ବଗଳାମୁଖୀ ମହାବିଦ୍ୟା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ନିଜ ଚେତନାକୁ ଆଜ୍ଞାଚକ୍ରରେ ଅକ୍ତିଆର କରି ରଖିବାପାଇଁ ପ୍ରେରଣା ପ୍ରଦାନ କରନ୍ତି। ଚେତନାର ଉଭୟ ବାଞ୍ଛିତ ଓ ଅବାଞ୍ଛିତ କର୍ମ ବଗଳାମୁଖୀ ରୂପୀ ଆଜ୍ଞାଚକ୍ର ଦ୍ୱାରା ପରିଚାଳିତ। ଏକଥା ଅନୁଭବ କଲେ ହିଁ ଚେତନା ସ୍ଥିର ହୋଇ ଲଗାମ ଦ୍ୱାରା ଅନୁଶାସିତ ଅବସ୍ଥାକୁ ଆସେ। ଏହି ସ୍ଥିତି ଗଭୀର ଏକାଗ୍ରତା ଦ୍ୱାରା ସମ୍ଭବ ହୁଏ।

ଅନେକଙ୍କର ମତ- ବଗଳାମୁଖୀର ଅର୍ଥ, ଯାହାର ମୁଖ ବା ପରିଚୟ ବଗ ଭଳି। ଲମ୍ବା ଓ ମୁନିଆ ଥଣ୍ଟ ସହ ଏକାଗ୍ରତା ହେଉଛି ବଗର ପରିଚୟ। ଏହା ମାଧ୍ୟମରେ ସାଧକଙ୍କୁ ଶାନ୍ତ ଓ ଏକାଗ୍ର ହୋଇ ଲମ୍ବା ସମୟ ପାଇଁ ପ୍ରତୀକ୍ଷା କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ପ୍ରବର୍ତ୍ତା ଯାଇଛି। ବଗଙ୍କ ଭଳି ଏକାଗ୍ର ହେଲେ ହିଁ ଆଜ୍ଞାଚକ୍ରର ବଗଳାମୁଖୀ ମହାବିଦ୍ୟା ରୂପ ଦର୍ଶନ ପ୍ରାପ୍ତ ହୁଏ। ନିଜର ଅଭୀଷ୍ଟ ଧ୍ୟାନାନୁଭବ ପାଇବା ପାଇଁ ସାଧକଙ୍କୁ ଏକ ତୀକ୍ଷ୍‌ଣ ଲମ୍ବା ଥଣ୍ଟ ବ୍ୟବହାର କରିବାକୁ ହୁଏ। ସିଦ୍ଧ ଦିବ୍ୟଦ୍ରଷ୍ଟାଙ୍କ ମତରେ, ଆମର ମେରୁଦଣ୍ଡ ବଗର ଥଣ୍ଟ ସହିତ ତୁଳନୀୟ। ଏହି ମେରୁଦଣ୍ଡରୂପୀ ଥଣ୍ଟକୁ ବ୍ୟବହାର କରି, ଆଜ୍ଞାଚକ୍ର ସ୍ୱରୂପା ବଗଳାମୁଖୀ ପିଣ୍ଡବ୍ରହ୍ମାଣ୍ଡ ଭିତରୁ ଓ ବାହାରୁ ବିଭିନ୍ନ ଅନୁଭବ ଗ୍ରହଣ କରନ୍ତି। ଏହି ମହାବିଦ୍ୟାଙ୍କ ଦର୍ଶନ ସାଧକଙ୍କୁ ଅସାଧ୍ୟ ଲାଗୁଥିବା ଚରମ ଲକ୍ଷ୍ୟପ୍ରାପ୍ତି ପାଇଁ ସାହସ ଓ ପ୍ରେରଣା ପ୍ରଦାନ କରେ।