ବ୍ୟାକରଣର ମୂଳ ତତ୍ତ୍ୱମାନଙ୍କରେ ଛପି ରହିଛି ଆଧ୍ୟାତ୍ମିକ ସାଧନାର ଗୂଢ଼ ରହସ୍ୟ। ବ୍ୟାକରଣକୁ ବୁଝି ଏହାକୁ ଧ୍ୟାନରେ ବ୍ୟବହାର କଲେ ପିଣ୍ଡବ୍ରହ୍ମାଣ୍ଡ ସାଧନାର ମାର୍ଗ ସୁଗମ ଓ ଦ୍ରୁତ ହୋଇଥାଏ। ବ୍ୟାକରଣ ଶବ୍ଦ ‘ବି’ ଓ ‘ଆ’ ଉପସର୍ଗ ‘କୃ’ ଧାତୁ ଓ ‘ଅନ୍‌’ ପ୍ରତ୍ୟୟର ମିଳନରୁ ସୃଷ୍ଟି ହୋଇଛି। ପ୍ରଥମ ଉପସର୍ଗ ‘ବି’ ବିଭାଜନ ଓ ଭିନ୍ନତାକୁ ସୂଚାଏ। ଦ୍ୱିତୀୟ ଉପସର୍ଗ ‘ଆ’ର ଅର୍ଥ ହେଉଛି ଏକତ୍ର କରିବା, ସଂଗ୍ରହ କରିବା, ଅନ୍ତର୍ଭୁକ୍ତ କରିବା। ‘କୃ’ ଧାତୁର ଅର୍ଥ ବ୍ୟୁତ୍ପନ୍ନ ହେବା। ଏଥିରେ ମିଶିଛି କରଣ ବା ଅଧିକରଣ ପ୍ରତ୍ୟୟ ‘ଅନ୍‌’।

Advertisment

ତେଣୁ ବ୍ୟାକରଣ ହେଉଛି ସେହି ଶାସ୍ତ୍ର ଯାହା ସୃଷ୍ଟିର ତତ୍ତ୍ୱମାନଙ୍କର ବ୍ୟୁତ୍ପତ୍ତିକୁ ବୁଝାଏ। ଏହା ହେଉଛି ବ୍ରହ୍ମାଣ୍ଡର ତତ୍ତ୍ୱମାନଙ୍କର ବ୍ୟୁତ୍ପାଦକ ଓ ସଂପର୍କ ନିୟାମକ ଶାସ୍ତ୍ର। ଏହି ଶାସ୍ତ୍ର ମାଧ୍ୟମରେ ବାହ୍ୟ ବ୍ରହ୍ମାଣ୍ଡ ଓ ପିଣ୍ଡବ୍ରହ୍ମାଣ୍ଡର ବିଭିନ୍ନ ତତ୍ତ୍ୱମାନଙ୍କର କର୍ତ୍ତା, କର୍ମ, କ୍ରିୟା ଓ ସଂପର୍କ ନିରୂପିତ ହୁଏ। ଏହା ମାଧ୍ୟମରେ ତତ୍ତ୍ୱମାନଙ୍କର ନିର୍ମାଣ ଓ ଉପଯୋଗ ବିଷୟରେ ଜାଣି ହୁଏ। ସାଧାରଣ ଅର୍ଥରେ ଆମେ ବ୍ୟାକରଣକୁ ଶବ୍ଦମାନଙ୍କର ବ୍ୟୁତ୍ପତ୍ତି ନିର୍ଦ୍ଦେଶ କରୁଥିବା ଭାଷା ନିୟାମକ ଶାସ୍ତ୍ର ଭାବେ ଗ୍ରହଣ କରୁ। ଅନନ୍ତ ବ୍ରହ୍ମାଣ୍ଡ ମଧ୍ୟରେ ପ୍ରତ୍ୟେକ ଭାଷା ମଧ୍ୟ ଏକ ଏକ ଅନନ୍ୟ ପିଣ୍ଡବ୍ରହ୍ମାଣ୍ଡ। ପୁଣି ଥରେ ମନେ ପକାଇ ଦେବା ଉଚିତ ଯେ ବ୍ରହ୍ମାଣ୍ଡର ସବୁ କିଛି ଉତ୍ପନ୍ନ ହୋଇଛି ମୂଳ ଆଦିତତ୍ତ୍ୱରୁ। ତେଣୁ ସବୁ ପିଣ୍ଡବ୍ରହ୍ମାଣ୍ଡରେ ଲୁଚି ରହିଛି ସେହି ଆଦିତତ୍ତ୍ୱର ସମସ୍ତ ପରିଚୟ। ସେଇଥିପାଇଁ ଯେ କୌଣସି ତତ୍ତ୍ୱ ବା ଛୋଟ ବ୍ରହ୍ମାଣ୍ଡର ବ୍ୟାକରଣକୁ ବୁଝିଲେ ଆମେ ସେହି ଆଦିତତ୍ତ୍ୱର ସର୍ବବ୍ୟାପକ ଅନୁଭବର ନିକଟତର ହେବା।

ଏହି କାରଣରୁ ମହର୍ଷି ପାଣିନି ଓ ମହର୍ଷି ପତଞ୍ଜଳିଙ୍କ ଭଳି ସମାଧିସ୍ଥିତି ପ୍ରାପ୍ତ ସିଦ୍ଧପୁରୁଷ ବ୍ୟାକରଣକୁ ଏତେଟା ମହତ୍ତ୍ୱ ଦେଇଥିଲେ। ସେମାନେ ଅନୁଭବ କରିଥିଲେ, ଯେ ଭାଷାର ବ୍ୟାକରଣ ଓ ବ୍ରହ୍ମାଣ୍ଡର ବ୍ୟାକରଣ ମଧ୍ୟରେ ପାର୍ଥକ୍ୟ ନାହିଁ। ଭାଷାର ବ୍ୟାକରଣକୁ ବୁଝି ସାଧକ ଏହାକୁ ଧ୍ୟାନ ମାଧ୍ୟମରେ ପିଣ୍ଡବ୍ରହ୍ମାଣ୍ଡରେ ଅନୁଭବ କରିପାରିବେ। ବ୍ୟାକରଣ ଦ୍ୱାରା ଭାଷାର ଉଚ୍ଛୃଙ୍ଖଳତା ନିବାରିତ ହୁଏ ଏବଂ ଭାଷା ଓ ଶବ୍ଦ ସମ୍ବନ୍ଧୀୟ ସାଧାରଣତଃ ଅବୋଧ୍ୟ ବିଷୟମାନ ସ୍ପଷ୍ଟ ରୂପେ ବୁଝାଯାଏ। ଠିକ ସମାନ ଭାବରେ ଧ୍ୟାନରେ ବ୍ୟାକରଣର ଅନୁଭୂତି ସାଧକଙ୍କ ପିଣ୍ଡବ୍ରହ୍ମାଣ୍ଡ ବା ଶରୀରର ବିଭିନ୍ନ ତତ୍ତ୍ୱମାନଙ୍କ ଉଚ୍ଛୃଙ୍ଖଳତା ନିବାରଣ କରିବାରେ ସହାୟକ ହୁଏ ଏବଂ ଏହା ଦ୍ୱାରା ବ୍ରହ୍ମାଣ୍ଡର ବିଭିନ୍ନ ଅବୋଧ୍ୟ ବିଷୟମାନ ସ୍ପଷ୍ଟରୂପେ ବୁଝିହୁଏ। ବ୍ୟାକରଣର ଅନୁଭବ ହେଉଛି ସୃଷ୍ଟିର ନିୟମର ଦର୍ଶନ ଯାହା ସ୍ରଷ୍ଟାର ସର୍ବବ୍ୟାପକ ଅନୁଭବ ପ୍ରାପ୍ତିର ପଥ ସୁଗମ କରେ। ସେଇଥିପାଇଁ ବ୍ୟାକରଣକୁ ଷଡ଼ବେଦାଙ୍ଗ ମଧ୍ୟରେ ସ୍ଥାନିତ କରାଯାଇଛି। ବ୍ୟାକରଣରୂପୀ ବେଦାଙ୍ଗ ମାଧ୍ୟମରେ ବେଦ ବା ବ୍ରହ୍ମାଣ୍ଡର ସମସ୍ତଜ୍ଞାନ ବୁଝିବା ସମ୍ଭବ ହୁଏ।