ବର୍ଣ୍ଣ ଭାଷାର ମୂଳ ଏକକ ହୋଇଥିଲେ ମଧ୍ୟ, ସେମାନଙ୍କର ଏକକ ସ୍ଥିତି ଅର୍ଥହୀନ। ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ, କଣ୍ଠ ଓ ତାଳୁ ଆଦି ଦ୍ୱାରା ଉତ୍ପନ୍ନ, ସ୍ୱତନ୍ତ୍ର ଭାବରେ ବ୍ୟକ୍ତ ଓ ଅର୍ଥବହ ଧ୍ୱନିକୁ ଶବ୍ଦ କୁହାଯାଏ। ଏହାକୁ ଶ୍ରବଣେନ୍ଦ୍ରିୟ ବା କାନ ଦ୍ୱାରା ଶୁଣୁଥିବା ବ୍ୟକ୍ତିର ମନରେ, କୌଣସି ବିଶିଷ୍ଟ ପଦାର୍ଥ, ଭାବ ବା ବ୍ୟକ୍ତି ଆଦିର ବୋଧ ହୁଏ। ‘ଶବ୍ଦ’ ଧାତୁର ଅର୍ଥ ଧ୍ୱନି କରିବା। ଏହି ଧାତୁରେ କର୍ମବାଚକ ‘ଅ’ ପ୍ରତ୍ୟୟ ଯୋଡ଼ିହେଲେ ଏହା ଅର୍ଥବୋଧକ ଧ୍ୱନିକୁ ବୁଝାଏ।

Advertisment

ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ, କୌଣସି ଶବ୍ଦର ପ୍ରକୃତରେ କୌଣସି ଅର୍ଥ ନାହିଁ। ଆମଭଳି ମଣିଷ ନିଜର ସୁବିଧାପାଇଁ ବିଭିନ୍ନ ପ୍ରକାର ବର୍ଣ୍ଣର ଧ୍ୱନିମାନଙ୍କର ସମଷ୍ଟିକୁ ବିଭିନ୍ନ ଅର୍ଥରେ ଗ୍ରହଣ କରନ୍ତି। ସେଥିପାଇଁ ଦର୍ଶନଶାସ୍ତ୍ରରେ କୁହାଯାଏ, ‘ଶବ୍ଦ’ ପ୍ରମାଣ କରେନାହିଁ, ‘ଶବ୍ଦ’ ନିଜେ ନିଜର ପ୍ରମାଣ। ବ୍ୟାକରଣର ଏହି ଶବ୍ଦତତ୍ତ୍ୱକୁ ଧ୍ୟାନରେ ବ୍ୟବହାର କରନ୍ତି ପିଣ୍ଡବ୍ରହ୍ମାଣ୍ଡ ସାଧକମାନେ। ବାହ୍ୟ ବ୍ରହ୍ମାଣ୍ଡ ଓ ନିଜ ଶରୀରର ସମସ୍ତ ପୃଥକ୍ ଅନୁଭୂତ ତତ୍ତ୍ୱ, ବିଭିନ୍ନ ପ୍ରକାରର ଜଡ଼ ଓ ଶକ୍ତିତତ୍ତ୍ୱମାନଙ୍କର ବିଶେଷ ପ୍ରକାରର ସମଷ୍ଟିରୁ ଜନ୍ମିତ। ବିଭିନ୍ନ ପ୍ରକାର ବିଶେଷ ପ୍ରକ୍ରିୟାରେ ଆମେ ଏଗୁଡ଼ିକ ସହ ଆମର ଚେତନାକୁ ଯୋଡ଼ି, ଏଗୁଡ଼ିକର ଅର୍ଥପୂର୍ଣ୍ଣ ଅନୁଭବ କିମ୍ବା ବ୍ୟବହାର କରୁ। ଶବ୍ଦମାନଙ୍କଠାରୁ ସେମାନଙ୍କ ଉପରେ ଆରୋପିତ ମାନବମନପ୍ରସୂତ ଅର୍ଥକୁ ଦୂରେଇ ଦେଲେ, ସେମାନେ କେବଳ ସ୍ୱର ଓ ବ୍ୟଞ୍ଜନବର୍ଣ୍ଣ ରୂପରେ ଅନୁଭୂତ ହୁଅନ୍ତି। ଆମେ ଜାଣି ନଥିବା ଯେକୌଣସି ବିଦେଶୀ ଭାଷାର ଶବ୍ଦ ଆମକୁ କେବଳ କିଛି ବର୍ଣ୍ଣମାନଙ୍କର ଅର୍ଥହୀନ ସମଷ୍ଟି ଭଳି ଲାଗେ। ଏହାହିଁ ପ୍ରକୃତ ସତ୍ୟର ଅନୁଭୂତି।

ପ୍ରକୃତରେ କୌଣସି ଶବ୍ଦର କିଛି ଅର୍ଥ ନାହିଁ। ଏମାନଙ୍କର ଅର୍ଥପୂର୍ଣ୍ଣ ବ୍ୟବହାରର କାରଣ ହେଉଛୁ ଆମେ ନିଜେ। ଏହାକୁ ବୁଝି ସାଧକ ନିଜର ଅନ୍ତଃଦୃଷ୍ଟି ବ୍ୟବହାର କଲେ ଜାଣି ପାରନ୍ତି, ଯେ ଏହି ପାର୍ଥକ୍ୟମୟ ବ୍ରହ୍ମାଣ୍ଡରେ ଅନୁଭୂତ ସମସ୍ତ ଏକକମାନଙ୍କର ବିଭିନ୍ନତାର ଅନୁଭବର କାରଣ ହେଉଛି, ତାଙ୍କର ଚେତନାର ବିବିଧ ଦର୍ଶନ। ଧ୍ୟାନରେ ଚେତନାକୁ ବିଭିନ୍ନତାରୁ ବିଚ୍ୟୁତ କରି ଏକାଗ୍ର କଲେ, ପୁରୁଷ ଓ ପ୍ରକୃତିତତ୍ତ୍ୱ ମିଳିତ ହୋଇ କିପରି ଏହି ଅନନ୍ତ ଅର୍ଥମୟ ସୃଷ୍ଟି ତିଆରି କରିଛନ୍ତି, ତାହା ସାଧକ ଅନୁଭବ କରିପାରନ୍ତି। ଶବ୍ଦମାନଙ୍କ ଉପରେ ଆରୋପିତ ଅର୍ଥଗୁଡ଼ିକୁ ଦୂରେଇ ଚାଲିଲେ, ଆମେ ପାର୍ଥକ୍ୟହୀନ ଧ୍ୱନିର ସର୍ବବ୍ୟାପକ ଏକାତ୍ମତା ଅନୁଭୂତିର ନିକଟବର୍ତ୍ତୀ ହେଉ। ଠିକ୍ ସେହିଭଳି, ବ୍ରହ୍ମାଣ୍ଡର ସମସ୍ତ ପାର୍ଥକ୍ୟମାନଙ୍କଠାରୁ ନିଜ ଚେତନା ପ୍ରଦତ୍ତ ଅର୍ଥକୁ ଦୂରେଇ ନେଲେ, ସାଧକ ସର୍ବବ୍ୟାପକ ବ୍ରାହ୍ମୀସ୍ଥିତିର ଏକାତ୍ମତାର ନିକଟତର ହୁଅନ୍ତି।