ତାରା ହେଉଛନ୍ତି ଦଶ ମହାବିଦ୍ୟାମାନଙ୍କ ମଧ୍ୟରେ ଦ୍ୱିତୀୟ ମହାବିଦ୍ୟା। ‘ତାରା’ ଶବ୍ଦର ଅର୍ଥ- ଯାହା ତାରଣ କରେ ବା ଯେକୌଣସି ପରିସ୍ଥିତିରୁ ପାର କରାଏ। ପୂର୍ବ କାଳରେ ଆକାଶର ତାରାମାନେ ହିଁ ମଣିଷକୁ ବାଟ କଢ଼ାଉଥିଲେ; ଯାତ୍ରା ପାଇଁ ଦିଗ ଦର୍ଶାଉଥିଲେ। ତାରା ସବୁବେଳେ ସ୍ୱୟଂ ପ୍ରକାଶିତ। ପୃଥିବୀ ଓ ଏହାର ଅଧିବାସୀମାନଙ୍କ ପାଇଁ ମାର୍ଗଦର୍ଶକ ତାରା ସବୁବେଳେ ସ୍ଥିର ପ୍ରତୀତ ହୁଏ। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ମହାବିଦ୍ୟା ତାରାଙ୍କ ଦର୍ଶନ ହେଉଛି ସାଧନାର ପଥପ୍ରଦର୍ଶକ। ସିଦ୍ଧସାଧକମାନଙ୍କ ମତରେ, ଆଜ୍ଞାଚକ୍ରର ଦର୍ଶନ ଓ ଅନୁଭବ ହେଉଛି ଦେବୀ ତାରାଙ୍କର ପ୍ରକୃତ ଅନୁଭୂତି। ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଓ କୋଷିକା ଆଜ୍ଞାଚକ୍ର ଦ୍ୱାରା ପରିଚାଳିତ ବା ପ୍ରକାଶିତ ହୋଇ ଥାଆନ୍ତି। କିନ୍ତୁ ତାରାରୂପୀ ଆଜ୍ଞାଚକ୍ର ସ୍ୱୟଂ ପ୍ରକାଶିତ।
Sambad is now on WhatsApp
Join and get latest news updates delivered to you via WhatsApp
ତାରାରୂପୀ ଆଜ୍ଞାଚକ୍ର ପିଣ୍ଡବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ଓ ମାର୍ଗଦର୍ଶକ। ସେ ମାତୃସ୍ୱରୂପା, କାରଣ ପିଣ୍ଡବ୍ରହ୍ମାଣ୍ଡର ସ୍ଥିତି ଆଜ୍ଞାଚକ୍ରର ଚେତନାର ପରିପ୍ରକାଶ ମାତ୍ର।
ସମୁଦ୍ର ମନ୍ଥନ ସମୟରେ ତାରା ମା’ ରୂପରେ ଆବିର୍ଭୂତା ହୋଇ ହଳାହଳ ପାନ କରିଥିବା ଶିବଙ୍କୁ ସୁସ୍ଥ କରିଥିଲେ। ସାଧନାର ମନ୍ଥନରୁ ଆବିର୍ଭାବ ହୁଏ ପାର୍ଥକ୍ୟରୂପୀ ମାୟା ପ୍ରତି ମୋହ। ସାଧକଙ୍କୁ ଏହି ଅନିଷ୍ଟର ନାଶନ କରିବା ଆବଶ୍ୟକ ହୁଏ। ଏହି ଅଶୁଭ ବା ଅନିଷ୍ଟକୁ ସର୍ବବ୍ୟାପକ ଅନୁଭବରେ ବିଲୟ କରିବା ହେଉଛି ଶୈବକର୍ମ। ଏଥିରେ ସହାୟକ ହୁଏ ଆଜ୍ଞାଚକ୍ରରେ ଧାରଣା ବା ଏକାଗ୍ରତା। ଦେବୀ ତାରା ହେଉଛନ୍ତି ଜ୍ଞାନ ଓ ମୋକ୍ଷ ପ୍ରଦାୟିକା। ଆଜ୍ଞାଚକ୍ରର ଅନୁଭୂତି ବିନା ସାଧକ ଜ୍ଞାନ ଓ ମୋକ୍ଷର ଅଧିକାରୀ ହୋଇପାରେ ନାହିଁ। ମହାବିଦ୍ୟା ତାରା ବ୍ରହ୍ମାଣ୍ଡର ସମସ୍ତ ଶକ୍ତିର ଉତ୍ସ। ସାଧକଙ୍କ ପିଣ୍ଡବ୍ରହ୍ମାଣ୍ଡରେ ତାରା ରୂପୀ ଆଜ୍ଞାଚକ୍ର ହିଁ ସମସ୍ତ ଶକ୍ତିର କାରଣ।
ତାରାଙ୍କର ଅସଜଡ଼ା ଲମ୍ବାକେଶ ଆମ ମନର ଅସଂଯତ ଅଗଣିତ ଗତିକୁ ଦର୍ଶାଏ। ସେ ଉଜ୍ଜ୍ୱଳ ନୀଳବର୍ଣ୍ଣା। ଧ୍ୟାନରେ ଆଜ୍ଞାଚକ୍ର ନୀଳ ତାରକା ରୂପରେ ଦର୍ଶନ ହୁଏ। ଦେବୀଙ୍କ କପାଳର ତୃତୀୟ ନୟନ ହେଉଛି ଆଜ୍ଞାଚକ୍ରର ଅନୁଭୂତିର ପ୍ରତୀକ। ତାଙ୍କ ବେକରେ ଶୋଭା ପାଉଥିବା ସର୍ପ କୁଣ୍ଡଳିନୀଶକ୍ତିର ଊର୍ଦ୍ଧ୍ୱଗତିକୁ ଦର୍ଶାଏ। ସେ ପରିଧାନ କରିଥିବା ବ୍ୟାଘ୍ରଚର୍ମ ଦର୍ଶାଏ, ଯେ ସାଧନାଲବ୍ଧ ସବୁଠାରୁ ବଡ଼ ଶକ୍ତି ମଧ୍ୟ ଆଜ୍ଞାଚକ୍ରର ଅନୁଭୂତି ନିକଟରେ ତୁଚ୍ଛ। ତାଙ୍କର ବେକରେ ଲମ୍ବିଥିବା ମୁଣ୍ଡମାଳ ଆମର ସମସ୍ତ ଅଭିବ୍ୟକ୍ତିକୁ ଦର୍ଶାଏ। ତାରା ବା ଆଜ୍ଞାଚକ୍ରର ଅନୁଭୂତି ଯାହା କିଛି ସାଧକଙ୍କୁ ପ୍ରଦାନ କରେ, ତାହା ଦେବୀଙ୍କର ହାତରେ ଥିବା ବସ୍ତୁଗୁଡ଼ିକ ଦର୍ଶାଏ। ପଦ୍ମ ଧରିବା ହେଉଛି ଶରୀରସ୍ଥ ଚକ୍ର ବା ପଦ୍ମମାନଙ୍କୁ ନିଜର ଅଧୀନରେ ରଖିବା। ଚନ୍ଦ୍ରାକାର ଖଣ୍ଡା ମନକୁ ପାର୍ଥକ୍ୟ ରୂପୀ ମାୟାକୁ କାଟିବାପାଇଁ ଦର୍ଶାଏ। ତାଙ୍କ ହାତରେ ଥିବା କଇଁଚି ବି ସମାନ କଥା ସୂଚିତ କରେ। ସେ ଚତୁର୍ଥ ହସ୍ତରେ ଧରିଥିବା ନରମୁଣ୍ଡ ସାଧକଙ୍କ ମସ୍ତିଷ୍କର ସଂପୂର୍ଣ୍ଣ ସମର୍ପଣର ପ୍ରତୀକ।