ଗୀତାରେ ଭଗବାନ ଶ୍ରୀକୃଷ୍ଣ ଯୋଗୀମାନେ କରୁଥିବା ଏକ ଦ୍ୱିତୀୟ ପ୍ରକାରର ଯଜ୍ଞର ବର୍ଣ୍ଣନା ମଧ୍ୟ କରିଛନ୍ତି। ଏହି ଯଜ୍ଞର ନାମ ଦେବଯଜ୍ଞ। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ, ଯୋଗୀମାନେ ଦେବଯଜ୍ଞର ଅନୁଷ୍ଠାନ ସମ୍ପନ୍ନ କରନ୍ତି। ସେମାନେ ପିଣ୍ଡବ୍ରହ୍ମାଣ୍ଡ ସାଧକ। ‘ଶ୍ରୀମଦ୍ ଭଗବଦ୍‌ଗୀତା’ ଅନୁସାରେ ଦେବତାଙ୍କ ନିକଟରେ ସମସ୍ତ କର୍ମ ସମର୍ପଣ କରିବା ହେଉଛି ଦେବଯଜ୍ଞ। ପିଣ୍ଡବ୍ରହ୍ମାଣ୍ଡରେ ଦେବତାମାନଙ୍କର ସ୍ଥିତିକୁ ବୁଝିବା ସହ ଅନୁଭବ କଲେ ହିଁ ଦେବଯଜ୍ଞ କରିହୁଏ।
‘ଦିବ୍‌’ ଧାତୁର ଅର୍ଥ କ୍ରୀଡ଼ା କରିବା। ଏଥିରୁ ନିର୍ମିତ ଦେବତା ଶବ୍ଦ ସେହି ଶକ୍ତିସମୂହଙ୍କୁ ଦର୍ଶାଏ, ଯେଉଁଗୁଡ଼ିକ ପିଣ୍ଡବ୍ରହ୍ମାଣ୍ଡ ଓ ବାହ୍ୟବ୍ରହ୍ମାଣ୍ଡରେ ବିଭିନ୍ନ ଉପାୟରେ କ୍ରୀଡ଼ା ବା ବିଚରଣ କରୁଛନ୍ତି। ଏମାନେ ପ୍ରକୃତିର କ୍ରିୟମାଣ ଅଙ୍ଗ। ଏମାନେ ସମସ୍ତେ ମୂଳ ଅବ୍ୟକ୍ତର ଅଂଶ। ଏମାନେ ମନର ସତ୍ ଅବସ୍ଥା ବା ଶାନ୍ତ ଅବସ୍ଥାରେ ଦୃଶ୍ୟମାନ ବା ଅନୁଭୂତ ହୁଅନ୍ତି। ଏହି ଅବସ୍ଥା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କର ସ୍ୱର୍ଗ ସ୍ଥିତି। ମନର ରାଜସିକ ବା ମର୍ତ୍ତ୍ୟ ଅବସ୍ଥା, କିମ୍ବା ତାମସିକ ବା ପାତାଳ ଅବସ୍ଥାରେ ଏହି ଦେବତାରୂପୀ ଶକ୍ତିମାନଙ୍କର ଅନୁଭବ ମିଳେନାହିଁ।

Advertisment

ପ୍ରତ୍ୟେକ କର୍ମ ପଛରେ କ୍ରିୟମାଣ ଦିବ୍ୟଶକ୍ତିକୁ ଅନୁଭବ କରିବା ହେଉଛି ଦେବଯଜ୍ଞ। ଏହି ଯଜ୍ଞ ଅନୁଷ୍ଠାନ କରୁଥିବା ପିଣ୍ଡବ୍ରହ୍ମାଣ୍ଡ ସାଧକ ଅନୁଭବ କରନ୍ତି, ଯେ ତାଙ୍କର ସମସ୍ତ କର୍ମ ତାଙ୍କର ଅହଂକାର ଦ୍ୱାରା ନୁହେଁ, ବରଂ ତାହା ପଛରେ ଲୁଚି ରହିଥିବା ଦିବ୍ୟଶକ୍ତି ଦ୍ୱାରା ସମ୍ପାଦିତ ହେଉଛି। ଏହାଦ୍ୱାରା ସାଧକ ନିଜର କର୍ତ୍ତାଭାବକୁ ଦେବତ୍ୱ ପାଖରେ ଆହୁତି ଦିଅନ୍ତି। ସମସ୍ତ କର୍ମ ସାଧକଙ୍କର ନିଜର ନହୋଇ ଦେବତାଙ୍କ କ୍ରିୟମାଣ ଅବସ୍ଥାରେ ରୂପାନ୍ତରିତ ହୋଇଯାଏ। ଏହି ଯଜ୍ଞ ମାଧ୍ୟମରେ ଦେବତାମାନେ ସାଧକଙ୍କ ପାଇଁ ଈଶ୍ୱରରେ ପରିଣତ ହେବା ଆରମ୍ଭ କରନ୍ତି। ‘ଈଶ୍‌’ ଧାତୁରୁ ଜାତ ଈଶ୍ୱର ଶବ୍ଦର ଅର୍ଥ, ଯାହା ଆଧିପତ୍ୟ ବିସ୍ତାର କରେ। ଦେବଯଜ୍ଞ ସମ୍ପାଦିତ କଲେ ସାଧକଙ୍କ ମଧ୍ୟରେ କର୍ତ୍ତାଭାବର ଅହଂକାର ଭସ୍ମୀଭୂତ ହୋଇ ଦେବତ୍ୱର କ୍ରିୟମାଣ ଅବସ୍ଥା ଆଧିପତ୍ୟ ଜାହିର କରେ। ଏହା ହେଉଛି ସର୍ବବ୍ୟାପକ ଅନନ୍ତ ବ୍ରାହ୍ମୀସ୍ଥିତି ପ୍ରାପ୍ତି ପଥରେ ଏକ ପ୍ରାରମ୍ଭିକ ସୋପାନ। ଏହି ଅବସ୍ଥା ପ୍ରାପ୍ତ କରିଥିବା ସାଧକ ପରବର୍ତ୍ତୀ ସମୟରେ ବହୁଧା ବିଭକ୍ତ ଦେବତ୍ୱର ଏକାତ୍ମତା ଅନୁଭବ କରିବାପାଇଁ ପ୍ରସ୍ତୁତ ହୋଇପାରନ୍ତି।