ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣାବତାର-୧୦

ଅନେକ ଚେଷ୍ଟା କରି ମଧ୍ୟ କଂସ ନିଜ ଅନୁଚରଙ୍କ ଦ୍ୱାରା କୃଷ୍ଣଙ୍କୁ ମାରିପାରେ ନାହିଁ। ଅର୍ଥାତ୍ ସାଧକଙ୍କ ମଧ୍ୟରେ ଥରେ କୃଷ୍ଣରୂପୀ ଅନନ୍ତ ପୂର୍ଣ୍ଣତାର ଆଭାସ ଜନ୍ମ ନେଲେ, ଏହା ଆଉ ନାଶ ହୁଏ ନାହିଁ। ତଥାପି ମୋକ୍ଷକାମନାରୂପୀ କଂସ ଏହି କୃଷ୍ଣ ଚେତନାର ଆଭାସକୁ ସବୁଦିନ ପାଇଁ ହରାଇ ଦେବାପାଇଁ ପ୍ରଚେଷ୍ଟା ଜାରି ରଖେ। ନିର୍ଣ୍ଣୟ ନିଏ, ଏହି ଚେତନାର ପୂର୍ଣ୍ଣତାର ଆଭାସ ସହ ମୁହାଁମୁହିଁ ହେବାପାଇଁ; କଳେ ବଳେ କୌଶଳେ ଏହାକୁ ସାଧକଙ୍କ ମଧ୍ୟରୁ ସବୁଦିନ ପାଇଁ ହଟାଇଦେବାପାଇଁ। କଂସ କୃଷ୍ଣଙ୍କୁ ଡାକିଆଣେ ମଥୁରାପୁରକୁ।

ମଥୁରା କୃଷ୍ଣଙ୍କ ଜନ୍ମସ୍ଥାନ। ମଥୁରା ଶବ୍ଦ ସୃଷ୍ଟି ହୋଇଛି ‘ମଥ୍‌’ ଧାତୁରୁ, ଯାହାର ଅର୍ଥ ବଧ କରିବା। ଯେଉଁଠାରେ ବଧ କରାହୁଏ, ତାହା ହେଉଛି ମଥୁରା। ସାଧକଙ୍କ ମଧ୍ୟରେ ଥିବା ମୃତ୍ୟୁଭୟ ମଥୁରା ପଦବାଚ୍ୟ। ଏହି ମୃତ୍ୟୁଭୟର ସ୍ଥିତିରେ ହିଁ ଜନ୍ମନିଏ କୃଷ୍ଣରୂପୀ ଅନନ୍ତ ଚେତନାର ଆଭାସ। ସାଧକଙ୍କ ମୃତ୍ୟୁଭୟ ସ୍ଥିତିରେ ହିଁ ମୋକ୍ଷକାମନାରୂପୀ କଂସ ଓ ଅନନ୍ତ କୃଷ୍ଣଚେତନାର ଆଭାସ ସାମ୍ନାସାମ୍ନି ହୁଅନ୍ତି। ମୃତ୍ୟୁଭୟରୂପୀ ମଥୁରା ଉପରେ ରାଜୁତି କରିବାପାଇଁ ଅଥବା ଏହାକୁ ପରାହତ କରିବା ପାଇଁ, ଏମାନଙ୍କ ମଧ୍ୟରୁ ଗୋଟିଏ ହିଁ ବଞ୍ଚି ରହିପାରେ।

କୃଷ୍ଣଙ୍କୁ ଆକୃଷ୍ଟ କରିବାପାଇଁ କଂସ ଧନୁର୍ଯଜ୍ଞ ଆୟୋଜନ କରେ। କିନ୍ତୁ ଧନୁର୍ଯଜ୍ଞ ସମ୍ପାଦିତ ହେବା ଆଗରୁ କୃଷ୍ଣ ଏଥିପାଇଁ ଉଦ୍ଦିଷ୍ଟ ଧନୁକୁ ଭାଙ୍ଗି ଦିଅନ୍ତି। ଏଥିରେ ଲୁଚି ରହିଛି ସାଧନାର ଗୂଢ଼ ରହସ୍ୟ। ଧନୁରୁ ନିର୍ଗତ ତୀରଗୁଡ଼ିକ ଲକ୍ଷ୍ୟବିଦ୍ଧ କରନ୍ତି। ତେଣୁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଧନୁ ହେଉଛି ଲକ୍ଷ୍ୟପ୍ରାପ୍ତିର କାମନାର ପ୍ରତୀକ। ସାଧକଙ୍କ ମଧ୍ୟରେ ଥାଏ ବିଭିନ୍ନ ପ୍ରକାର ଲକ୍ଷ୍ୟପ୍ରାପ୍ତିର କାମନା। ଏହି ଲକ୍ଷ୍ୟପ୍ରାପ୍ତିର କାମନାଗୁଡ଼ିକ ସାଧକଙ୍କ ମନରୂପୀ ଧନୁଦ୍ୱାରା ନିକ୍ଷେପ ହୋଇ ନିଜର ଉଦ୍ଦିଷ୍ଟ କାର୍ଯ୍ୟ ସଂପାଦନ କରନ୍ତି। କଂସରୂପୀ ମୋକ୍ଷପ୍ରାପ୍ତିର କାମନାକୁ ବଧ କରିବା ଆଗରୁ, ସମସ୍ତ ଲକ୍ଷ୍ୟ ପ୍ରାପ୍ତିର କାମନାମାନଙ୍କ ଗତିର ଉତ୍ସ ବା ଧନୁକୁ ଭାଙ୍ଗିଦିଏ କୃଷ୍ଣରୂପୀ ଅନନ୍ତ ପୂର୍ଣ୍ଣତାର ଆଭାସ। ଏହି ଧନୁଭଙ୍ଗ ହେବା ସହିତ ସାଧକ ମନାତୀତ ସ୍ଥିତିର ଆଭାସ ପାଇବା ଆରମ୍ଭ କରେ। ଯେଉଁଯାଏ ଯେକୌଣସି ଲକ୍ଷ୍ୟପ୍ରାପ୍ତିର କାମନା ଅଛି, ସେଯାଏ କଂସରୂପୀ ମୋକ୍ଷକାମନାର କର୍ତ୍ତୃତ୍ୱ ବଜାୟ ରହେ। କିନ୍ତୁ ଲକ୍ଷ୍ୟପ୍ରାପ୍ତିର କାମନା ନଷ୍ଟ ହୋଇଗଲେ କଂସର ଗର୍ବ ଓ କର୍ତ୍ତୃତ୍ୱ ନିଜ ବିନାଶର ଭୟରେ ଜର୍ଜରିତ ହୋଇଯାଆନ୍ତି। ସାଧକଙ୍କ ଭିତରେ କୃଷ୍ଣରୂପୀ ପୂର୍ଣ୍ଣତା ପ୍ରତି ବିଶ୍ୱାସ ବଢ଼ିଯାଏ।

ସମ୍ବନ୍ଧିତ ଖବର