ପିଣ୍ତ-ବ୍ରହ୍ମାଣ୍ତ: କଳ୍‌କୀ ଅବତାର

ଜନ୍ମବେଳେ ଆମେ ସମସ୍ତେ ଦିବ୍ୟ। ସଂସାରର ପାର୍ଥକ୍ୟର କଳୁଷରୁ ମୁକ୍ତ। ଏହି ସ୍ଥିତି ଜନ୍ମ ପରେ ଅଳ୍ପ କିଛିଦିନ ରହେ। ଯେ କୌଣସି ଶିଶୁ, ତା’ର ଜନ୍ମ ପରର ପ୍ରାରମ୍ଭିକ ଅବସ୍ଥାରେ କୌଣସି ପାର୍ଥକ୍ୟର ବାଛ ବିଚାର କରେନାହିଁ। ତା’ ପାଇଁ ସବୁ ସମାନ। ଧୀରେ ଧୀରେ ଶିଶୁଟି ବଡ଼ ହୁଏ। ସଂସାରକୁ ଜାଣିବା ଆରମ୍ଭ କରେ। ଜୀବନଯାପନ କରିବା ଏବଂ ସଂସାରରେ ନିଜର ପରିଚୟ ସୃଷ୍ଟି କରିବାପାଇଁ ସଂସାରର ପାର୍ଥକ୍ୟପୂର୍ଣ୍ଣ ଦୃଶ୍ୟମାନ ଅବସ୍ଥିତିକୁ ଗ୍ରହଣ କରିବା ଆରମ୍ଭ କରେ।

ବ୍ରହ୍ମାଣ୍ଡର ପ୍ରକୃତ ପରିଚୟ ହେଉଛି ପାର୍ଥକ୍ୟହୀନ ଚିରନ୍ତନ ଏକାତ୍ମତା। ଏହା ହିଁ ମୂଳସତ୍ୟ। ଏଣୁ ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ, ଜନ୍ମ ପରର ପ୍ରାରମ୍ଭିକ ଅବସ୍ଥା ହେଉଛି ଆମ ଜୀବନର ସତ୍ୟଯୁଗ। ବୟସ ବଢ଼ିବା ସହିତ ଆମେ ଏହି ଚିରନ୍ତନ ଏକାତ୍ମତାକୁ ଭୁଲିବା ଆରମ୍ଭ କରୁ। ସଂସାରର ପାର୍ଥକ୍ୟରୂପୀ ମାୟାକୁ ଗ୍ରହଣ କରିନେବା ହେଉଛି ଅସତ୍ୟ। ସମୟ ସହ ଆମେ ଏହି ପାର୍ଥକ୍ୟର ମାୟାକୁ ଜୀବନ ଭାବେ ଗ୍ରହଣ କରିବା ଆରମ୍ଭ କରିଥାଉ। ଜୀବନର ଯେଉଁ ଅବସ୍ଥାରେ ଆମ ମନର ତିନିଭାଗ ଏକାତ୍ମତାର ଅନୁଭବ ଓ ଏକଭାଗ ପାର୍ଥକ୍ୟର ବ୍ୟବହାରରେ ଲିପ୍ତ ଥାଏ, ତାହା ହେଉଛି ତ୍ରେତୟା ଯୁଗ। ଏହି ଅବସ୍ଥା ଆମେ ସମସ୍ତେ ବାଳୁତ କାଳରେ ନିଶ୍ଚିତ ଅନୁଭବ କରିଛେ।

ଏହା ପରେ ଆସେ ଜୀବନର ଦ୍ୱାପର ଯୁଗ; ଯେଉଁ ସମୟରେ ଆମ ଭିତରେ ଏକାତ୍ମତା ଓ ପାର୍ଥକ୍ୟର ଗ୍ରହଣୀୟତା ପାଖାପାଖି ସମାନ। ଏହା ପରେ, ବୟସ ସହ ଜୀବନ ଆମକୁ ଏଭଳି ଏକ ସ୍ଥିତିକୁ ନେଇଯାଏ, ଯେଉଁଠି ଆମ ମନର ତିନିଭାଗ ପାର୍ଥକ୍ୟର ଅନୁଭବରେ ବୁଡ଼ିଯାଏ। ମନର ନିଭୃତ କୋଣରେ ଏକଭାଗ ସତ୍ୟ ବା ମୂଳ ଏକାତ୍ମତାର ସ୍ମୃତି ଗୁପ୍ତ ଭାବେ ବଞ୍ଚି ରହେ। ପିଣ୍ଡବ୍ରହ୍ମାଣ୍ଡ ଦିବ୍ୟଦ୍ରଷ୍ଟା କୁହନ୍ତି, ଏହା ହେଉଛି ଆମ ପାଇଁ କଳିଯୁଗ। ନିୟତି କିନ୍ତୁ ସବୁବେଳେ ଆମକୁ ସତ୍ୟ ବା ଅନନ୍ତ ଏକାତ୍ମତାର ସ୍ମୃତି ମଧ୍ୟକୁ ଫେରାଇ ନେବାକୁ ଚେଷ୍ଟା କରେ। ଏହାକୁ ସମ୍ଭବ କରିବାପାଇଁ ଆସେ ମୃତ୍ୟୁ। ପିଣ୍ଡବ୍ରହ୍ମାଣ୍ଡ ସାଧକ କିନ୍ତୁ ସ୍ୱଇଚ୍ଛାରେ ଚିରନ୍ତନ ପାର୍ଥକ୍ୟବିହୀନ ମୂଳସତ୍ୟକୁ ଫେରିଯିବାକୁ ଚେଷ୍ଟା କରନ୍ତି। ଯାହା ସେମାନଙ୍କର ଏହି ପ୍ରଚେଷ୍ଟାକୁ ଫଳୀଭୂତ କରେ, ତାହା ହେଉଛି କଳ୍‌କୀ ଅବତାର।

ସମ୍ବନ୍ଧିତ ଖବର