ପିଣ୍ତ-ବ୍ରହ୍ମାଣ୍ତ: ପୃଥୁ ଅବତାର

ପିଣ୍ଡବ୍ରହ୍ମାଣ୍ଡ ସାଧକ ସାଧନାର ଏକ ସ୍ଥିତିରେ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷାକାରୀ ବିଷ୍ଣୁତତ୍ତ୍ୱଙ୍କର ପୃଥୁ ଅବତାରଙ୍କୁ ଅନୁଭବ କରନ୍ତି। ‘ପ୍ରଥ୍‌’ ଧାତୁର ଅର୍ଥ- ଖ୍ୟାତ ହେବା ବା ସମସ୍ତଙ୍କ ଦ୍ୱାରା ଅନୁଭୂତ ହେବା। ଏଥିରୁ ସୃଷ୍ଟି ହୋଇଛି ‘ପୃଥୁ’ ଶବ୍ଦ। ପୃଥୁ ହେଉଛି ସେହି ଚେତନା, ଯାହା ଶରୀରର ସମସ୍ତ କୋଷିକା ଦ୍ୱାରା ଅନୁଭୂତ ହୁଏ। ପୃଥୁ ପୃଥିବୀର ସମସ୍ତ ବୀରଙ୍କୁ ପରାସ୍ତ କରିଥିବାରୁ ତାଙ୍କର ଖ୍ୟାତି ପୃଥିବୀରେ ବିଖ୍ୟାତ ହୋଇଥିଲା। ସେ ଥିଲେ ପୃଥିବୀର ପ୍ରଥମ ରାଜା। ତାଙ୍କ ନାଁରେ ଧରିତ୍ରୀର ନାମ ‘ପୃଥିବୀ’ ହୋଇଛି। ପୃଥିବୀ ଏହାଙ୍କ କନ୍ୟାରୂପେ କଳ୍ପିତ ହୋଇଛନ୍ତି।

ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ, ସାଧନାର କାମନାରୂପୀ ଚେତନା ହେଉଛି ପୃଥୁ ଅବତାର। ଏହା ହିଁ ଦିନେ ଶରୀର ବା ସାଧକଙ୍କ ନିଜସ୍ୱ ପୃଥିବୀର ଶାସକ ହୋଇପାରେ। ପୃଥୁଙ୍କର ବିଚିତ୍ର ଜନ୍ମବୃତ୍ତାନ୍ତ ‘ଭାଗବତ’ର ଚତୁର୍ଥ ସ୍କନ୍ଧରେ ବର୍ଣ୍ଣିତ। ତାଙ୍କର ପିତା ବେଣରାଜା ଅତ୍ୟନ୍ତ ଦୁଷ୍ଟ ଥିଲେ। ଏହା ଆମର ବିଚଳିତ ମନସ୍ଥିତିକୁ ଦର୍ଶାଏ। ‘ବେଣ’ର ଅର୍ଥ, ଯାହା ଇତସ୍ତତ ଗମନ କରେ। ବେଣଙ୍କ ମୃତ୍ୟୁ ପରେ ବା ମନ କିଛିଟା ସ୍ଥିର ହେଲା ପରେ, ଶରୀରରୂପୀ ପୃଥିବୀର ଜଣେ ଉଚିତ ଶାସକ ଆବଶ୍ୟକ ହୁଅନ୍ତି; ନହେଲେ ଅରାଜକତା ବ୍ୟାପିଯାଏ।

‘ଭାଗବତ’ର ସେହି ଉପାଖ୍ୟାନ ଅନୁସାରେ, ବେଣଙ୍କ ମୃତପିଣ୍ଡର ଉରୁଦେଶକୁ ମନ୍ଥନ କରିବାରୁ ଏକ ଭୟଙ୍କର ପୁରୁଷ ଉତ୍ପନ୍ନ ହେଲେ। ଏହା ହେଉଛି ମୂଳାଧାର ଚକ୍ରର ପ୍ରାରମ୍ଭିକ ସାଧନା। ଏଥିରୁ ଜନ୍ମ ହେଲେ ନିଷାଦ ବା ଯେ କୌଣସି ଉପାୟରେ ବିଭିନ୍ନ ସିଦ୍ଧିପ୍ରାପ୍ତିର କାମନା। ଏହା ପିଣ୍ଡବ୍ରହ୍ମାଣ୍ଡ ଉପରେ ରାଜୁତି କରିବାପାଇଁ ଅନୁପଯୁକ୍ତ। ତେଣୁ ପୁଣି ଥରେ ବେଣଙ୍କ ମୃତପିଣ୍ଡର ବାହୁଯୁଗ୍ମ ବା ସାଧକଙ୍କ ମାନସିକ ବ୍ୟାପ୍ତିକୁ ମନ୍ଥନ କରାଯାଏ। ଏଥିରୁ ପୁରୁଷ ପୃଥୁ ଓ ସ୍ତ୍ରୀ ଅର୍ଚ୍ଚି ଜନ୍ମ ନିଅନ୍ତି। ପ୍ରଜାମାନେ ବା ଶରୀରର କୋଷିକାଗୁଡ଼ିକ ପୃଥୁ ବା ସାଧନାର କାମନାଙ୍କୁ ରାଜା ଓ ଅର୍ଚ୍ଚି ରୂପକ ସାଧନଅଗ୍ନିଙ୍କୁ ରାଣୀ କରନ୍ତି। ଶରୀରରୂପୀ ପୃଥିବୀ ଶସ୍ୟହୀନ ବା ଲାଭହୀନ ହୋଇଥିବାରୁ, ପୃଥୁ ପୃଥିବୀକୁ ଗାଭୀରୂପେ କଳ୍ପନା କରି ତାକୁ ଦୁହିଁବାରୁ ପୃଥିବୀଠାରୁ ଶସ୍ୟାଦି ଉତ୍ପନ୍ନ ହୁଅନ୍ତି। ଏହା ସାଧକଙ୍କ ଦ୍ୱାରା କରାଯାଉଥିବା ତପଶ୍ଚର୍ଯ୍ୟାକୁ ଦର୍ଶାଏ। ଏହିଥିରୁ ହିଁ ଜାତ ହୁଏ ସମସ୍ତ ଉପକାରୀ ତତ୍ତ୍ୱ।
ପିଣ୍ଡବ୍ରହ୍ମାଣ୍ଡ ସାଧନାର ଏହି ମୂଳ ତତ୍ତ୍ୱକୁ ଦର୍ଶାଏ ଭଗବାନ ବିଷ୍ଣୁଙ୍କ ପୃଥୁ ଅବତାର।

ସମ୍ବନ୍ଧିତ ଖବର