ସାଂଖ୍ୟଦର୍ଶନର ଦିବ୍ୟଦ୍ରଷ୍ଟା ମହର୍ଷି କପିଳଙ୍କୁ ଭଗବାନ ବିଷ୍ଣୁଙ୍କର ୨୪ ଅବତାର ମଧ୍ୟରେ ଗ୍ରହଣ କରାଯାଏ। ଏହି ବୈଦିକ ଋଷିଙ୍କର ସାଂଖ୍ୟ ଦର୍ଶନ ଉପରେ ମହର୍ଷି ପତଞ୍ଜଳିଙ୍କ ଯୋଗବିଜ୍ଞାନ ଓ ଧ୍ୟାନତତ୍ତ୍ୱ ଆଧାରିତ। କପିଳଙ୍କ ସାଂଖ୍ୟଦର୍ଶନ ବାହ୍ୟବ୍ରହ୍ମାଣ୍ଡ ଓ ପିଣ୍ଡବ୍ରହ୍ମାଣ୍ଡର ସଂରଚନାକୁ ଗାଣିତିକ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଅନୁଭବ କରିବାର ମାର୍ଗ ପ୍ରଶସ୍ତ କରେ। ପିଣ୍ଡବ୍ରହ୍ମାଣ୍ଡ ସାଧକ କପିଳ ଅବତାରଙ୍କୁ ନିଜ ମଧ୍ୟରେ ଅନୁଭବ କଲେ ସାଂଖ୍ୟ ଅନୁଭୂତିର ନିକଟବର୍ତ୍ତୀ ହୁଅନ୍ତି।
କପିଳ ଶବ୍ଦ ଆସିଛି ‘କମ୍’ ଧାତୁରୁ। ଏହାର ଅର୍ଥ ବାଞ୍ଛା ବା ଇଚ୍ଛା କରିବା। ଏଥିରେ ମିଶିଛି କର୍ତ୍ତୃବାଚକ ଇକ-ପ୍ରତ୍ୟୟ। ଆଉ କେତେକ ସଂସ୍କୃତ ଭାଷାବିତ୍ଙ୍କ ମତରେ, ‘କପି’ ସହ ଅସ୍ତି ଅର୍ଥରେ ‘ଳ’ ପ୍ରତ୍ୟୟ ମିଶି ହୋଇଛି କପିଳ। କପି ଶବ୍ଦର ଉତ୍ସ ‘କପ୍’ ଧାତୁ, ଯାହାର ଅର୍ଥ କମ୍ପିବା ବା ସଦା ଗତିଶୀଳ ରହିବା। ତେଣୁ ଯାହା ସବୁବେଳେ ଗତିଶୀଳ ବା ସ୍ଥିତି ପରିବର୍ତ୍ତନ କରି ଚାଲିଥାଏ, ତାହା ହେଉଛି କପିଳ। ନିଜର କାମନା ବା ଇଚ୍ଛାକୁ ଭଲ କରି ଅନୁଧ୍ୟାନ କଲେ ଆମେ ବୁଝି ପାରିବା, ଏହା ସବୁବେଳେ ଗତିଶୀଳ। କାମନା ଗୋଟିଏ ସ୍ଥାନରେ ସ୍ଥିର ରହେ ନାହିଁ। ଏହା ମାଙ୍କଡ଼ ଭଳି ଏ ଡାଳରୁ ସେ ଡାଳ, ଏ ଗଛରୁ ସେ ଗଛ ଡେଇଁ ଚାଲିଥାଏ।
ଏହି କାମନା ମଧ୍ୟ ପିଣ୍ଡବ୍ରହ୍ମାଣ୍ଡର ସନ୍ତୁଳନର କାରଣ। ଏହାକୁ ବ୍ୟବହାର କରି ଶରୀରର ସନ୍ତୁଳନ ରକ୍ଷାକାରୀ ବିଷ୍ଣୁତତ୍ତ୍ୱ ପିଣ୍ଡବ୍ରହ୍ମାଣ୍ଡର ପରିଚାଳନା କରନ୍ତି। ତେଣୁ ଆମ କାମନାର ଶୁଦ୍ଧ ଓ ମୂଳ ରୂପ ହେଉଛି ଭଗବାନ ବିଷ୍ଣୁଙ୍କର କପିଳ ଅବତାର। ଏହି କାମନାର ଶୁଦ୍ଧରୂପ ପିଣ୍ଡବ୍ରହ୍ମାଣ୍ଡର ପରିଚାଳନାର ଗାଣିତିକ ସୂତ୍ରକୁ ବୁଝିପାରେ। ଏହା ହେଉଛି ସାଂଖ୍ୟଦର୍ଶନର ଦ୍ରଷ୍ଟା କପିଳ ଅବତାରଙ୍କ ଅନୁଭୂତି। ସାଧକ ଏହି ଅନୁଭବ ପ୍ରାପ୍ତ ହେଲେ, ସୃଷ୍ଟି ନିର୍ମାଣର ପ୍ରକ୍ରିୟା ଓ ନିଜ ମୂଳ ଅବ୍ୟକ୍ତ ସ୍ଥିତିର ଆଭାସ ପାଇଥାଆନ୍ତି। ନିଜ ଚେତନାକୁ କପିଳରୂପୀ କାମନା ଅବତାର ରୂପରେ ବ୍ୟବହାର କରି, ନିଜର ସୃଷ୍ଟି ଓ ସ୍ଥିତିକୁ ବୁଝି ପାରନ୍ତି। ଧ୍ୟାନ ପାଇଁ ନିତାନ୍ତ ଜରୁରୀ କାମନାର ସନ୍ତୁଳିତ ସ୍ଥିତି ପ୍ରାପ୍ତ କରନ୍ତି।