ଗୌତମବୁଦ୍ଧଙ୍କ ପିତାମାତା ଥିଲେ ଶୁଦ୍ଧୋଦନ ଓ ମାୟାଦେବୀ। ଶୁଦ୍ଧୋଦନ ଶବ୍ଦର ଅର୍ଥ- ଯିଏ ଶୁଦ୍ଧ ଶସ୍ୟ ଉତ୍ପାଦନ କରେ। ‘ମା’ ଧାତୁ, ଯାହାର ଅର୍ଥ ପରିମାଣ କରିବା- ତାହା ତିଆରି କରିଛି ମାୟା ଶବ୍ଦ। ମାୟାର ଅର୍ଥ- ଯାହା ଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି। ପିଣ୍ଡବ୍ରହ୍ମାଣ୍ଡ ସାଧକ ନିଜ ମଧ୍ୟରେ ଏହି ଦୁହିଁଙ୍କୁ ଅନୁଭବ କରନ୍ତି। ଏହି ଦୁଇ ଅନୁଭବର ମିଳନରେ ଜନ୍ମନିଅନ୍ତି ସିଦ୍ଧାର୍ଥ। ନିଜ ଶରୀର ମାଧ୍ୟମରେ ପରମ ସତ୍ୟ ବା ଚରମ ଶୁଦ୍ଧତାର ଅନୁଭବ ସମ୍ଭବ। ଏହା ହେଉଛି ଶୁଦ୍ଧୋଦନ ଚେତନା। ପିଣ୍ଡବ୍ରହ୍ମାଣ୍ଡରେ ବ୍ୟାପ୍ତ ପାର୍ଥକ୍ୟକୁ ଅନୁଭବ କରି ଏହାକୁ ବୁଝିବାପାଇଁ କରାଯାଉଥିବା ପ୍ରଚେଷ୍ଟା ହେଉଛି ସାଧକଙ୍କ ପାଇଁ ମାୟାଦେବୀ। ଏହି ଦୁଇ ଅନୁଭବର ଔରସରୁ ଜନ୍ମ ନିଏ ସିଦ୍ଧ ହୋଇଥିବା ଅର୍ଥ ବା ସିଦ୍ଧାର୍ଥ। ଅର୍ଥାତ୍ ଏଥିରୁ ଜାତ ହୁଏ ସାଧନାର ସଂପୂର୍ଣ୍ଣତାରୁ ପ୍ରାପ୍ତ ଜ୍ଞାନ।
ମାୟାଦେବୀ ସିଦ୍ଧାର୍ଥଙ୍କ ଗର୍ଭ ସଞ୍ଚାର ବେଳେ ଏକ ଦିବ୍ୟସ୍ୱପ୍ନ ଦେଖିଥିଲେ। ସ୍ୱପ୍ନରେ ଏକ ୬ ଦାନ୍ତବିଶିଷ୍ଟ ଉଜ୍ଜ୍ୱଳ ଶ୍ୱେତହସ୍ତୀ ମାୟାଦେବୀଙ୍କ ଗର୍ଭରେ ପ୍ରବେଶ କରିଥିଲା। ପଣ୍ଡିତମାନେ ମତ ଦେଇଥିଲେ, ଏହା ଏକ ମହାନ୍ ଚେତନାର ଗର୍ଭଧାରଣର ସୂଚନା। ହାତୀ ହେଉଛି ଆମ ମନର ପ୍ରତୀକ। ମାୟାଦେବୀ ସ୍ୱପ୍ନରେ ଦେଖିଥିବା ହାତୀଟି ଉତ୍ସୃଙ୍ଖଳ ନଥିଲା। ତାହା ଖୁବ୍ ଶାନ୍ତ ଓ ଶୃଙ୍ଖଳିତ ଥିଲା। ଏହି ଉପାଖ୍ୟାନ, ସାଧନାରେ ଶାନ୍ତ ଓ ଶୃଙ୍ଖଳିତ ମନର ଆବଶ୍ୟକତାକୁ ଦର୍ଶାଏ। ମନର ଏହି ସ୍ଥିତି ହିଁ ସାଧନାରେ ସିଦ୍ଧିର ପଥ ପରିଷ୍କାର କରେ।
ସ୍ୱପ୍ନର ଏହି ଦିବ୍ୟ ହାତୀର ୬ଟି ଦାନ୍ତ ହେଉଛନ୍ତି ଆମ ମେରୁଦଣ୍ଡରେ ଅବସ୍ଥିତ ଷଡ଼ଚକ୍ରର ପ୍ରତୀକ। ଶାନ୍ତ ଓ ଶୃଙ୍ଖଳିତ ମନ ହିଁ ଷଡ଼ଚକ୍ରର ଉପସ୍ଥିତିକୁ ଅନୁଭବ କରିପାରେ। ସାଧନାରେ ଷଡ଼ଚକ୍ରର ପ୍ରବେଶ ବା ଏହି ଚକ୍ରମାନଙ୍କ ବ୍ୟବହାର, ଭବିଷ୍ୟତରେ ସାଧନାରେ କିଛି ଉଚ୍ଚସ୍ତରର ଉପଲବ୍ଧିକୁ ଦର୍ଶାଏ। ହାତୀର ଦାନ୍ତ ଭଳି, ସାଧକଙ୍କୁ ଖୋଲାଖୋଲି ଷଡ଼ଚକ୍ର ଦର୍ଶନ ପ୍ରାପ୍ତ ହୁଏ। ଏଗୁଡ଼ିକ ଆଉ ତାଙ୍କ ପାଇଁ ଗୁପ୍ତ ହୋଇ ରହନ୍ତି ନାହିଁ। ଏହି ହାତୀଟି ସ୍ୱପ୍ନରେ ମାୟାଦେବୀଙ୍କର ଦକ୍ଷିଣପଟୁ ଗର୍ଭରେ ପ୍ରବେଶ କରିଥିଲା। ଆମ ଶରୀରରେ ଉତ୍ତର ଦିଗ ହେଉଛି ମସ୍ତିଷ୍କ ଏବଂ ବାକି ଅଂଶ ଦକ୍ଷିଣ ଦିଗ। ଏହା ଷଡ଼ଚକ୍ର ଏକ ଶାରୀରିକ ଅନୁଭବ ବୋଲି ଦର୍ଶାଏ।