ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣାବତାର-୯

ଧୀରେଧୀରେ କୃଷ୍ଣ ହୋଇଯାଆନ୍ତି ସମସ୍ତ ବୃନ୍ଦାବନବାସୀଙ୍କର ପ୍ରିୟ। ଅର୍ଥାତ୍ ପିଣ୍ଡବ୍ରହ୍ମାଣ୍ଡର ସମସ୍ତ ତତ୍ତ୍ୱ କୃଷ୍ଣରୂପୀ ଅନନ୍ତ ବ୍ୟାପ୍ତିର ଆଭାସକୁ ନିଜର କରିବା ଆରମ୍ଭ କରନ୍ତି। ସାଧକଙ୍କପାଇଁ ଏହା ହେଉଛି ଏକ ଆନନ୍ଦମୟ ସ୍ଥିତି। ସାଧକଙ୍କ ଶରୀର ଭିତରର ସବୁକିଛି କୃଷ୍ଣଙ୍କ ପ୍ରେମରେ ଉବୁଟୁବୁ ହୁଏ। ସାଧକଙ୍କ ମଧ୍ୟର ସମସ୍ତ କୋଷିକା ଚାହାନ୍ତି କୃଷ୍ଣଚେତନା ବା ଅନନ୍ତ ପୂର୍ଣ୍ଣତାର ଆଭାସକୁ ସଂପୂର୍ଣ୍ଣ ଭାବେ ନିଜର କରିଦେବା ପାଇଁ। ଏହିଭଳି ଅବସ୍ଥାରେ ସଂଘଟିତ ହୁଏ ରାସ। ଶ୍ରୀକୃଷ୍ଣ ଓ ଗୋପୀଗଣଙ୍କର ଯୁଗଳ ନୃତ୍ୟଲୀଳା। ରାସକ୍ରୀଡ଼ା ସବୁବେଳେ ହୁଏ ନାହିଁ। ଏହା ହୁଏ ଶରତ ଓ ବସନ୍ତଋତୁରେ; ଅର୍ଥାତ୍ ସାଧକ ସମ ଅବସ୍ଥା ସ୍ଥିତିରେ ଥିଲା ବେଳେ; ବା ସେହିସମୟରେ, ଯେତେବେଳେ ସାଧକ ନିଜକୁ ନିରପେକ୍ଷ କରି ପାରିବା ସ୍ଥିତିରେ ଥାଏ।

ପୁରାଣରେ ଅଛି, ସ୍ତ୍ରୀ ରୂପ ଧାରଣ ନକଲେ ରାସଦର୍ଶନ ଅସମ୍ଭବ। ଯେଉଁଯାଏ ନିଜ ଭିତରେ କର୍ତ୍ତାଭାବ ଅଛି, ରାସର ଅନୁଭବ ଅସମ୍ଭବ। ସ୍ତ୍ରୀରୂପ ବା ସବୁକିଛି ଗ୍ରହଣ କରିବାର କାମନା ଜାଗ୍ରତ ହେଲେ ହିଁ ଏହି ରାସର ଅନୁଭବ ପ୍ରାପ୍ତ ହୁଏ। ରାସକ୍ରୀଡ଼ା ସମୟରେ, ରାଧାକୃଷ୍ଣ ମଝିରେ ନୃତ୍ୟ କରନ୍ତି ଏବଂ ତାଙ୍କ ଚାରିପଟେ ସମସ୍ତ ଗୋପୀ ନୃତ୍ୟ କରନ୍ତି; ହେଲେ ସମସ୍ତ ଗୋପୀ ଅନୁଭବ କରନ୍ତି, ତାଙ୍କ ସହ ଅଛନ୍ତି ଜଣେ ଜଣେ କୃଷ୍ଣ। ମସ୍ତିଷ୍କରୁ ମେରୁଦଣ୍ଡ ମଧ୍ୟଦେଇ ତଳକୁ ବହି ଚାଲିଥିବା ଚେତନା ବା ରାଧା ଅନନ୍ତ ପୂର୍ଣ୍ଣତାର ଆଭାସ ବା କୃଷ୍ଣଙ୍କ ସହ ଏକାକାର ହେବା ପାଇଁ ଊର୍ଦ୍ଧ୍ୱଗାମୀ ହୋଇ ନୃତ୍ୟ କରେ। ଏହାଦ୍ୱାରା ସୃଷ୍ଟି ହେଉଥିବା ଦିବ୍ୟ କମ୍ପନ ହେଉଛି ନୃତ୍ୟ। ଶରୀରର ସମସ୍ତ କୋଷିକା ମଧ୍ୟ ଅନନ୍ତ ପୂର୍ଣ୍ଣତାର ଆଭାସର ପ୍ରେମରେ କମ୍ପିତ ହେବାକୁ ଲାଗନ୍ତି। ଏହି କମ୍ପନରୁ ସୃଷ୍ଟି ହୁଏ ଧ୍ୱନି ବା ସମବେତ କଳରବ।

‘ରସ’ ଧାତୁରୁ ତିଆରି ହୋଇଛି ‘ରାସ’ ଶବ୍ଦ। ‘ରସ’ର ଅର୍ଥ ଶବ୍ଦ କରିବା, ଆସ୍ୱାଦନ କରିବା, ସ୍ନେହ କରିବା। ଧ୍ୟାନସ୍ଥ ସମ ଅବସ୍ଥାରେ ସାଧକ କୋଷିକାରୂପୀ ଗୋପୀ ଓ ଊର୍ଦ୍ଧ୍ୱମୁଖୀ ଚେତନାରୂପୀ ରାଧାଙ୍କ କୃଷ୍ଣପ୍ରେମର ନୃତ୍ୟ ବା କମ୍ପନର ସମବେତ ଶବ୍ଦ ବା ଦିବ୍ୟ ପ୍ରଣବ ଧ୍ୱନି ଶ୍ରବଣ କରନ୍ତି। ଏହି ସମୟରେ, ସାଧକଙ୍କ ପାଖରେ କର୍ତ୍ତା ଭାବ ଲୋପ ପାଇଥାଏ। ସେ କେବଳ ଆନନ୍ଦର ଦ୍ରଷ୍ଟା ହୋଇ ଯାଆନ୍ତି। ଏହା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ଦ୍ୱାରା ଅନୁଭୂତ ରାସକ୍ରୀଡ଼ା। ଏହା ବି ସନ୍ତୁଷ୍ଟ କରେନାହିଁ ସାଧକଙ୍କୁ। ସେ ଏହି ଅନୁଭବକୁ ସବୁ ସମୟରେ ପାଇବା ପାଇଁ ବା ନିତ୍ୟରାସର ଅନୁଭବ ଲାଭପାଇଁ ଚେଷ୍ଟା କରିବା ଆରମ୍ଭ କରନ୍ତି।

ସମ୍ବନ୍ଧିତ ଖବର