ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ମରି ନାହିଁ, ବଞ୍ଚି ରହିଛି; ଏହି ଖବର କଂସ ପାଖରେ ବି ପହଞ୍ଚିଯାଏ। ମୋକ୍ଷକାମନାରୂପୀ କଂସ ଚୁପ୍ ବସେ ନାହିଁ। ସେ ବିଭିନ୍ନ ଅସୁରମାନଙ୍କୁ ପଠାଏ- ବାଳୁତ କୃଷ୍ଣ ବା ଅନନ୍ତ ପୂର୍ଣ୍ଣତାର ଚେତନାର ଆଭାସକୁ ମାରି ଦେବାପାଇଁ। ‘ସୁର’ ଶବ୍ଦର ବିପରୀତ ହେଉଛି ‘ଅସୁର’। ‘ସୁର୍‌’ ଧାତୁରୁ ଦୁଇଟିଯାକ ଶବ୍ଦର ସୃଷ୍ଟି; ଯାହାର ଅର୍ଥ ଦୀପ୍ତି ପାଇବା। ତେଣୁ ସାଧନାର ଦୀପ୍ତିକୁ କମାଉଥିବା ତତ୍ତ୍ୱ ବା ଚେତନାର ବ୍ୟାପ୍ତିକୁ କୁଣ୍ଠିତ କରୁଥିବା ତତ୍ତ୍ୱ ଅସୁର ପଦବାଚ୍ୟ। ସାଧକଙ୍କ ମଧ୍ୟରେ କୃଷ୍ଣରୂପୀ ପୂର୍ଣ୍ଣତାର ଆଭାସ ଜାଗ୍ରତ ହେଲେ, ଏହାକୁ କଂସ ଅସୁରମାନଙ୍କ ଦ୍ୱାରା ମାରି ପାରେ ନାହିଁ। ଚେତନାର ବ୍ୟାପ୍ତିରେ ବାଧକ ତତ୍ତ୍ୱଗୁଡ଼ିକ ଗୋଟିଏ ପରେ ଗୋଟିଏ କୃଷ୍ଣଚେତନା ଦ୍ୱାରା ବିନାଶପ୍ରାପ୍ତ ହୁଅନ୍ତି।

Advertisment

କୃଷ୍ଣ କାଳୀୟ ନାମକ ବିରାଟ ବିଷଧର ସର୍ପର ବି ଦର୍ପ ଦମନ କରନ୍ତି। ଏହାର ବିଶାଳ ଫଣା ଉପରେ ନୃତ୍ୟ କରି ନିଜର ପରିଚୟକୁ ସୁଦୃଢ଼ କରନ୍ତି। କୃଷ୍ଣଙ୍କ ଦ୍ୱାରା କାଳୀୟ ଦଳିତ ହୁଏ। ‘କଳ’ ଧାତୁର ଅର୍ଥ ମାପିବା ବା ଗଣିବା। ‘କଳ’ ଧାତୁରୁ ତିଆରି ହୋଇଛି ‘କାଳୀୟ’ ଶବ୍ଦ। ପାର୍ଥକ୍ୟ ଥିଲେ ହିଁ ମାପିବା ବା ଗଣିବା ସମ୍ଭବ ହୁଏ। ତେଣୁ ସାଧକଙ୍କ ମଧ୍ୟରେ ପାର୍ଥକ୍ୟର ସମ୍ଭାବନା ସୃଷ୍ଟି କରୁଥିବା ତତ୍ତ୍ୱ ହେଉଛି କାଳୀୟ। ଯଦି ଅନନ୍ତ-ଏକାତ୍ମତାରୂପୀ ବ୍ରାହ୍ମୀସ୍ଥିତିକୁ ଅମୃତ ଭାବେ ଗ୍ରହଣ କରାଯାଏ, ତା’ହେଲେ ପାର୍ଥକ୍ୟର ଚେତନା ହେଉଛି କାଳୀୟର ବିଷ। ସର୍ପରୂପେ ପ୍ରତିପାଦିତ କୁଣ୍ଡଳିନୀ ଶକ୍ତି ହିଁ ବିଷଧର କାଳୀୟ। ସୁପ୍ତ ହେଉ ବା ଜାଗ୍ରତ, ଏହି କୁଣ୍ଡଳିନୀ ଶକ୍ତି ବା କାଳୀୟ ମାଧ୍ୟମରେ ହିଁ ଆମେ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ପାର୍ଥକ୍ୟର ମାୟାକୁ ଅନୁଭବ କରୁ। ଏହି ବିଷଧର କାଳୀୟ ବି ମୁଣ୍ଡ ନୁଆଁଏ କୃଷ୍ଣ ଚେତନା ପାଖରେ। ତା’ର ଜାଗ୍ରତ ଫଣା ଉପରେ ନୃତ୍ୟ କରେ ପୂର୍ଣ୍ଣତାର ଆଭାସର ଚେତନା। ଅନନ୍ତ ଏକାତ୍ମତାର ଆଭାସ ପାଖରେ ପାର୍ଥକ୍ୟରୂପୀ ବିଷ ସୃଷ୍ଟିକାରୀ କାଳୀୟ ନିଜର ସମସ୍ତ ବଳ ହରାଏ।

କିନ୍ତୁ କୃଷ୍ଣ କାଳୀୟକୁ ମାରନ୍ତି ନାର୍ହି। ଏହାକୁ ଶାନ୍ତ ଓ ଶୃଙ୍ଖଳିତ ଜୀବନ ବଞ୍ଚିବା ପାଇଁ ସୁଯୋଗ ଦିଅନ୍ତି। କାରଣ କୁଣ୍ଡଳିନୀ ଶକ୍ତି ନ ବଞ୍ଚିଲେ ଜୀବନ ରହିବ ନାହିଁ। ଅଖଣ୍ଡ ପୂର୍ଣ୍ଣତାର ଆଭାସ ବା କୃଷ୍ଣ ଚେତନା ସାଧକଙ୍କୁ କାଳୀୟରୂପୀ କୁଣ୍ଡଳିନୀ ଶକ୍ତିର ମାୟାରୁ ମୁକ୍ତ କରେ। ସାଧକ ବୁଝି ପାରନ୍ତି, ଜାଗ୍ରତ କାଳୀୟର ଦର୍ପୋନ୍ନତ ଫଣା ଉପରେ କୃଷ୍ଣଚେତନା ବା ପରମ ଏକାତ୍ମତାର ସ୍ଥିତି। ଏହି କୃଷ୍ଣଚେତନା କାଳୀୟରୂପୀ ମାୟାକୁ ଦମନ କରିପାରିବ। କିନ୍ତୁ କାଳୀୟ କେବେ ହେଲେ ବି କୃଷ୍ଣ ଚେତନା ଉପରେ ପ୍ରତିପତ୍ତି ଜାହିର କରିପାରିବ ନାହିଁ।