ସାଧନାରୁ ଜାତ ଅହଂକାର ବା ରାବଣ କବଳରୁ ସୁଷୁମ୍ନାରୂପୀ ସୀତାଙ୍କୁ ମୁକୁଳାଇବାପାଇଁ ହୁଏ ପ୍ରଚେଷ୍ଟା। ପ୍ରଥମେ ପ୍ରଥମେ ପିଣ୍ଡବ୍ରହ୍ମାଣ୍ଡ ସାଧକ, ସୁଷୁମ୍ନାକାଣ୍ଡ କାହା କବଳକୁ ଯାଇଛି ସେ କଥା ଠଉରାଉ ପାରନ୍ତି ନାହିଁ। ରାମରୂପୀ ଆଜ୍ଞାଚକ୍ର ଖୋଜି ଚାଲନ୍ତି ସୁଷୁମ୍ନାକାଣ୍ଡସହ ନିଜର ଚିରନ୍ତନ ପ୍ରେମ ସଂପର୍କକୁ। ସୀତା ହରଣ ପଛର ଖଳନାୟକକୁ ଖୋଜି ବାହାର କରିବା ପାଇଁ ସାହାଯ୍ୟ ନିଅନ୍ତି ବାନରମାନଙ୍କର। ସଂସ୍କୃତ ଭାଷାରେ- ବନରେ ଯିଏ ରମଣ କରେ ବା କ୍ରୀଡ଼ା କରେ ସେ ହେଉଛି ବାନର। ବାନର ଶବ୍ଦର ଆଉ ଗୋଟିଏ ଅର୍ଥ ହେଉଛି- ମନୁଷ୍ୟ ତୁଲ୍ୟ। ‘ବା’ ଉପସର୍ଗକୁ ‘ତୁଲ୍ୟ’ ଅର୍ଥରେ ବ୍ୟବହାର କରି, ‘ନର’ ଧାତୁ ସହ ଯୋଗ କରି, ବାନର ଶବ୍ଦ ଗଠନ ହୋଇପାରେ। ଆମ ପିଣ୍ଡବ୍ରହ୍ମାଣ୍ଡ ରୂପୀ ଶରୀର ହେଉଛି ସ୍ନାୟୁମାନଙ୍କର ଏକ ବିରାଟ ବନ ବା ଅରଣ୍ୟ। ଏହି ସ୍ନାୟୁ-ଅରଣ୍ୟରେ ଘୂରି ବୁଲନ୍ତି ଅନେକ ପ୍ରକାରର ମାନସିକ ସ୍ଥିତି। ଏମାନେ ବାନର ଭଳି ଅସ୍ଥିର। ସ୍ନାୟୁ ଜଙ୍ଗଲରେ ଏହି ମାନସିକ ସ୍ଥିତିଗୁଡ଼ିକ କ୍ରୀଡ଼ା କରୁଥିବାରୁ, ଏମାନେ ହିଁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ବାନରସେନା। ଅଧିକାଂଶ ସମୟରେ ଆମ ମାନସିକ ସ୍ଥିତିଗୁଡ଼ିକ ହିଁ ମଣିଷଙ୍କ ପରିଚୟ ସାଜନ୍ତି। ତେଣୁ ମାନସିକ ସ୍ଥିତିଗୁଡ଼ିକ ହିଁ ନରତୁଲ୍ୟ ବା ବାନର।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଣବାୟୁ ସହ ଜଡ଼ିତ ଓ ରାମରୂପୀ ଆଜ୍ଞାଚକ୍ରକୁ ସମର୍ପିତ ମାନସିକ ଶକ୍ତି ହେଉଛି ବାନରଶ୍ରେଷ୍ଠ ହନୁମାନ। ହରଣ ହୋଇଥିବା ସୀତାଙ୍କୁ ହନୁମାନ ଠାବ କରନ୍ତି। ତାଙ୍କୁ କବଳିତ କରିଥିବା ରାବଣରୂପୀ ସାଧନାର ଅହଂକାରକୁ ଖୋଜି ବାହାର କରନ୍ତି। ଶ୍ୱାସ ସାଧନା ଦ୍ୱାରା ଏହା ସମ୍ଭବ ହୁଏ। ସାଂସାରିକ ସୁଖର ଆକାଂକ୍ଷାରୂପୀ ସୁବର୍ଣ୍ଣ ଲଙ୍କାକୁ ଥରେ ନଷ୍ଟ କରିଦିଅନ୍ତି ହନୁମାନ। ଜଣାଇ ଦିଅନ୍ତି, ରାବଣର ବିନାଶ ସମ୍ଭବ। ସାଧନାର ଅହଂକାର କବଳରୁ ସୁଷୁମ୍ନାକାଣ୍ଡରୂପୀ ସୀତାଙ୍କୁ ମୁକୁଳାଇବା ପାଇଁ ରାମରୂପୀ ଆଜ୍ଞାଚକ୍ରର ନେତୃତ୍ୱରେ ଏକାଠି ହୁଅନ୍ତି ସମସ୍ତ ମାନସିକ ସ୍ଥିତି ବା ବାନରସେନା। ତିଆରି କରନ୍ତି ସେତୁବନ୍ଧ। ‘ସି’ ଧାତୁର ଅର୍ଥ ବନ୍ଧନ କରିବା। ସେଥିରୁ ତିଆରି ହୋଇଛି ‘ସେତୁ’ ଶବ୍ଦ। ଚେତନାର ଅନନ୍ତ ସମୁଦ୍ରରେ ସମସ୍ତ ମାନସିକ ସ୍ଥିତି ଏକାଠି ହୋଇ ଏକ ପଥ ନିର୍ମାଣ କରନ୍ତି। ଏହି ପଥ ଆଜ୍ଞାଚକ୍ରରୂପୀ ରାମଙ୍କୁ ରାବଣରୂପୀ ସାଧନାର ଅହଂକାର ସହ ମୁହାଁମୁହିଁ କରାଏ। ସୁଷୁମ୍ନା କାଣ୍ଡ ଉପରେ ଅଧିକାର ପାଇଁ ଆଜ୍ଞାଚକ୍ର ଓ ସାଧନାର ଅହଂକାର ମଧ୍ୟରେ ହୁଏ ଘମାଘୋଟ ଯୁଦ୍ଧ।