ପିଣ୍ତ-ବ୍ରହ୍ମାଣ୍ତ, ରାବଣ

ଧ୍ୟାନ ଗଭୀର ହେବା ସହ, ଧୀରେଧୀରେ ସାଧକଙ୍କର ଏକାଗ୍ରତା ବି ବଢ଼ିଚାଲେ। ପିଣ୍ଡବ୍ରହ୍ମାଣ୍ଡ ସାଧକ ସଂପୂର୍ଣ୍ଣ ରୂପେ ନିଜ ଭିତରେ ମଜ୍ଜିଯାଏ। ବାହ୍ୟ ଅନନ୍ତ ବ୍ରହ୍ମାଣ୍ଡର ସ୍ଥିତି ବିଷୟରେ ଭୁଲିବା ଆରମ୍ଭ କରେ। ନିଜ ଚାରିପଟେ ବ୍ୟାପ୍ତ ଅନନ୍ତ ବ୍ରହ୍ମାଣ୍ଡ ବିଷୟରେ କୌଣସି ତଥ୍ୟ ଗ୍ରହଣ କରେ ନାହିଁ। ଏହା ହେଉଛି ସାଧନାର ‘ବିଶ୍ରବା’ ସ୍ଥିତି। ‘ବି’ ଉପସର୍ଗ ଓ ‘ଶ୍ରବସ୍‌୍‌’ ମିଶି ତିଆରି ହୋଇଛି ‘ବିଶ୍ରବା’ ଶବ୍ଦ; ଯାହାର ଅର୍ଥ- ନାହିଁ କାନ ଯାହାର। ଅର୍ଥାତ୍ ଯିଏ ନିଜକୁ ବାହ୍ୟ ବ୍ରହ୍ମାଣ୍ଡର ଜ୍ଞାନରୁ ବିଚ୍ୟୁତ କରି ରଖେ। ସାଧକଙ୍କ ବିଶ୍ରବା ସ୍ଥିତି ମିଳିତ ହୁଏ ‘ନିକଷା’ଙ୍କ ସହ। ‘ନି’ ଉପସର୍ଗ ‘କଷ୍‌’ ଧାତୁରୁ ନିର୍ମିତ ନିକଷାର ଅର୍ଥ ଘଷିବା ବା ବଧ କରିବା। ଏହା ସାଧକଙ୍କ ଭିତରେ ଅନ୍ତଃଦୃଷ୍ଟି ଓ ବାହ୍ୟଦୃଷ୍ଟି ମଧ୍ୟରେ ଚାଲିଥିବା ଟଣାଓଟରାକୁ ବା ଘର୍ଷଣକୁ ଦର୍ଶାଏ। ଏହି ସମୟରେ ସାଧନା କରୁଥିବା ବ୍ୟକ୍ତି ନିଜର ବାହ୍ୟ ଚେତନାକୁ ବଧ କରିବାକୁ ଚେଷ୍ଟିତ ଥାଏ। ‘ବିଶ୍ରବା’ ଓ ‘ନିକଷା’ସ୍ଥିତି ଏକାଠି ହେଲେ ସେଥିରୁ ଜନ୍ମ ନିଅନ୍ତି ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଓ ସୂର୍ପଣଖା। ଏମାନେ ସାଧକଙ୍କର ବ୍ରାହ୍ମୀସ୍ଥିତି ପ୍ରାପ୍ତିରେ ବାଧକ ହୁଅନ୍ତି।

‘ରୁ’ ଧାତୁ- ଯାହାର ଅର୍ଥ ଶବ୍ଦ କରିବା, କିମ୍ବା ‘ରାବି’ ଧାତୁ ଯାହାର ଅର୍ଥ ଶବ୍ଦ କରାଇବାରୁ ତିଆରି ହୋଇଛି ‘ରାବଣ’ ଶବ୍ଦ। ଏହା ହେଉଛି ଏକାଗ୍ର ସାଧନାରୁ ଜନ୍ମିତ ଅହଂକାର, ଯାହା ସାଧକଙ୍କ ମନରେ ଉଚ୍ଚସ୍ୱରରେ ‘ମୁଁ ଠିକ୍‌’ ଭାବ ଜାଗ୍ରତକରେ। ଏହି ଭାବ ପିଣ୍ଡବ୍ରହ୍ମାଣ୍ଡକୁ ଅଧିକାର କରେ। ରାବଣର ଦଶଟି ମୁଣ୍ଡ ହେଉଛନ୍ତି ସାଧକଙ୍କ ମନରେ ଚାପି ହୋଇ ରହିଥିବା କାମ, କ୍ରୋଧ, ମୋହ, ଲୋଭ, ମଦ (ଗର୍ବ), ମାତ୍ସର୍ଯ୍ୟ (ଈର୍ଷା), ମାନସ, ବୁଦ୍ଧି, ଚିତ୍ତ (ଇଚ୍ଛାଶକ୍ତି) ଓ ଅହଂ। ଏଗୁଡ଼ିକ ସାଧନାର ଅହଂକାର ଦ୍ୱାରା ଜାଗ୍ରତ ହୋଇଥାଆନ୍ତି। ରାବଣକୁ ସାହାଯ୍ୟ କରେ କୁମ୍ଭକର୍ଣ୍ଣ ବା କୁମ୍ଭଭଳି ଅଳ୍ପ ପ୍ରାପ୍ତିରେ ସନ୍ତୁଷ୍ଟ ବା ପୂର୍ଣ୍ଣ ହୋଇଯିବାର ଭାବ। ଆଉ କୁମ୍ଭକର୍ଣ୍ଣ ଭାବ ସନ୍ତୁଷ୍ଟ ହୋଇଗଲେ ସାଧକଙ୍କ କ୍ରିୟମାଣ ସ୍ଥିତିକୁ ନଷ୍ଟ କରି ତାଙ୍କୁ ସୁପ୍ତ କରିଦିଏ। ସାଧନାର ଏହି ସ୍ଥିତି ସାଧକଙ୍କ ସନ୍ତୁଳନକୁ ରାମ୍ପି ବିଦାରି ପକାଏ- ଯାହା ‘ସୂର୍ପଣଖା’ ବା ‘ବିରାଟ ନଖ’ ନାମ ଦର୍ଶାଏ। ଏମାନଙ୍କ ସହ ଜନ୍ମ ନେଇଥାଏ ଯେକୌଣସି ମତେ ବ୍ରାହ୍ମୀସ୍ଥିତି ପ୍ରାପ୍ତ ହେବାର ଲୋଭ। ଏହି ଲୋଭ ରାବଣପାଇଁ ଭୟଙ୍କର ପ୍ରତିପାଦିତ ହୋଇଥାଏ। ବିଭୀଷଣ ଶବ୍ଦର ଅର୍ଥ ମଧ୍ୟ ‘ଅତି ଭୟଙ୍କର’। ସେ ରାବଣର ଭାଇ ବା ଏକ ପ୍ରକାରର ଲୋଭ ହୋଇଥିଲେ ବି, ରାବଣରୂପୀ ସାଧନାର ଅହଂକାରର ବିନାଶର କାରଣ ହୋଇଥାଏ।

ସମ୍ବନ୍ଧିତ ଖବର