ସାଧକଙ୍କ ଏକାଗ୍ର ସାଧନାରୁ ଜନ୍ମିତ ଅହଂକାର ବା ରାବଣରୂପୀ ‘ମୁଁ ଠିକ୍‌’ ଭାବ ପିଣ୍ଡବ୍ରହ୍ମାଣ୍ଡକୁ ଅକ୍ତିଆର କରିବା ଆରମ୍ଭ କରେ। ଉଚ୍ଚାଙ୍ଗ ସାଧନାପାଇଁ ଆବଶ୍ୟକ ହେଉଥିବା ଶରୀର ଓ ମନର ସନ୍ତୁଳନ ଏହା ଫଳରେ ନଷ୍ଟ ହୁଏ। ପିଣ୍ଡବ୍ରହ୍ମାଣ୍ଡରେ ରାବଣରୂପୀ ସାଧନାର ଅହଂକାରକୁ ବିନାଶ କରି ସନ୍ତୁଳନ ଫେରାଇ ଆଣିବାପାଇଁ ଏହି ସମୟରେ ଜନ୍ମ ନିଅନ୍ତି ରାମ ଅବତାର ବା ଆଜ୍ଞାଚକ୍ରର ଚେତନା। ଏହି ଶରୀର ହେଉଛି ଦଶରଥ। ଦଶରଥ ଶବ୍ଦର ଅର୍ଥ- ଦଶଦିଗକୁ ରଥ ଯାଏ ଯାହାର। ପିଣ୍ଡବ୍ରହ୍ମାଣ୍ଡ ଦଶ ଇନ୍ଦ୍ରିୟ ମାଧ୍ୟମରେ ନିଜର ବ୍ୟାପ୍ତି ବଜାୟ ରଖେ। ତେଣୁ ଏହାର ଅନ୍ୟ ନାମ ଦଶରଥ। ସତ୍ତ୍ୱ, ରଜ, ତମ ଏହି ତ୍ରିଗୁଣ ହେଉଛନ୍ତି ଦଶରଥରୂପୀ ଶରୀରର ତିନି ସ୍ତ୍ରୀ। ଦଶରଥଙ୍କ ପୁତ୍ର ଭାବେ ଜନ୍ମ ନିଅନ୍ତି ରାମ। ‘ରମ୍‌’ ଧାତୁରେ ‘ଣିଚ୍‌’ ପ୍ରତ୍ୟୟ ଯୋଡ଼ି ହୋଇ ସୃଷ୍ଟି ହୋଇଛି ‘ରମି’ ଧାତୁ, ଯେଉଁଥିରୁ ରାମ ଶବ୍ଦର ଜନ୍ମ। ‘ରମି’ର ଅର୍ଥ କ୍ରୀଡ଼ା କରାଇବା ବା ଖେଳାଇବା। ତେଣୁ ରାମ ସମସ୍ତଙ୍କୁ ଖେଳାନ୍ତି। ପିଣ୍ଡବ୍ରହ୍ମାଣ୍ଡରେ ଆଜ୍ଞାଚକ୍ର ହିଁ ସବୁକିଛିକୁ ନିଜ କର୍ତ୍ତବ୍ୟରେ ଖେଳାଇ ଚାଲିଥାଏ। ଏହାର ଚେତନା ହିଁ ସାଧକଙ୍କ ପାଇଁ ରାମ ଅବତାର। ସୁଷୁମ୍ନାକାଣ୍ଡରୂପୀ ସୀତାଙ୍କ ସହ ଯୋଡ଼ିହୋଇ ରାମରୂପୀ ଆଜ୍ଞାଚକ୍ର ନିଜର କାର୍ଯ୍ୟ ସଂପାଦନ କରେ। ଏହା ରାମ-ସୀତା ବିବାହ।

Advertisment

ଏହି ପିଣ୍ଡବ୍ରହ୍ମାଣ୍ଡର ୧୪ ପ୍ରକାର ସ୍ଥିତି ଅଛି। ଏଗୁଡ଼ିକ- ଭୂ, ଭୁବଃ, ସ୍ୱଃ, ମହଃ, ଜନ, ତପ ଓ ସତ୍ୟ ଏବଂ ଅତଳ, ବିତଳ, ସୁତଳ, ରସାତଳ, ତଳାତଳ, ମହାତଳ ଓ ପାତାଳ ଅଟନ୍ତି। ଏ ସବୁକୁ ନିଜେ ଅନୁଭବ ନକରିବା ଯାଏ ସାଧକ ପିଣ୍ଡବ୍ରହ୍ମାଣ୍ଡର ପ୍ରକୃତ ପରିଚୟ ପାଇ ପାରିବ ନାହିଁ। ମସ୍ତିଷ୍କ ବା ନିଜର ଅଯୋଧ୍ୟାରୂପୀ ଆସ୍ଥାନ ଛାଡ଼ି, ଏହି ୧୪ଟି ସ୍ଥିତିର ଅନୁଭବ ପାଇବାପାଇଁ ଆଜ୍ଞାଚକ୍ରର ଅନ୍ୱେଷଣ ହେଉଛି ରାମଚନ୍ଦ୍ରଙ୍କର ୧୪ ବର୍ଷ ବନବାସ। ଏହି ବନବାସ ବା ଅନ୍ୱେଷଣ ସମୟରେ ସାଧନାର ବାଧକ ବା ରାକ୍ଷସମାନଙ୍କର ବିନାଶ ହୁଏ। ଏହି ସମସ୍ତ ରାକ୍ଷସ ହେଉଛନ୍ତି ସାଧନା ଜନ୍ମିତ ଅହଂକାର ବା ରାବଣର ଅନୁଚର କିମ୍ବା ପରିଜନ। ଏହି ବନବାସ ସମୟରେ ରାମ ଓ ସୀତାଙ୍କ ସହ ରହନ୍ତି ଲକ୍ଷ୍ମଣ ବା ଆଜ୍ଞାଚକ୍ରର ପରିଚୟର ସୂଚନା। ଲକ୍ଷ୍ମଣ ଶବ୍ଦର ଅର୍ଥ ହେଉଛି, ସ୍ୱରୂପ ବା ବିଶିଷ୍ଟତା। ଆଜ୍ଞାଚକ୍ର କେବେହେଲେ ବି ନିଜ ସ୍ୱରୂପର ପରିଚୟ ଓ ବିଶିଷ୍ଟତା ହରାଏ ନାହିଁ; ଏହା ସେହି କଥାକୁ ସୂଚାଏ।