ପିଣ୍ଡବ୍ରହ୍ମାଣ୍ଡ ସାଧନାରେ ଅନେକ ବାଧାବିଘ୍ନ ମଧ୍ୟ ଥାଏ। ଏଗୁଡ଼ିକୁ ପାର କରିବାର ଉପାୟ ହେଉଛି ମହାବିଦ୍ୟା ଭୈରବୀଙ୍କ ଦର୍ଶନ ଓ ଅନୁଭବ। ଯେକୌଣସି ସାଧକଙ୍କ ପାଇଁ ସାଧନାପଥ ସବୁବେଳେ ରୁଚିକର ହୋଇ ନ ଥାଏ। ବିଫଳତାର ଭୟ, ଏଥିରୁ ଜାତ କ୍ରୋଧ ଏବଂ ପାର୍ଥକ୍ୟରୂପୀ ମାୟାପ୍ରତି ଲୋଭ ଓ କାମନା ସାଧକଙ୍କୁ ଅନେକ ସମୟରେ ଜର୍ଜରିତ କରେ। ଏଗୁଡ଼ିକର ତ୍ରାସରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ଏମାନଙ୍କର ସୃଜନର ଉତ୍ସକୁ ଜାଣିବା। ଏହି ଜାଣିବା ହେଉଛି ମହାବିଦ୍ୟାରୂପୀ ଭୈରବୀ। ଏହି ମହାବିଦ୍ୟା ଭୟଙ୍କର, କିନ୍ତୁ ସୃଜନକର୍ତ୍ତ୍ରୀ ମାତୃସ୍ୱରୂପା।
ଭୈରବୀ ଶବ୍ଦର ଉତ୍ପତ୍ତି ହୋଇଛି ‘ଭୀ’ ଧାତୁରୁ। ଏହାର ଅର୍ଥ- ଡର, ଭୟ ଓ ଶଙ୍କା। ଯେକୌଣସି ଜୀବିତ ପ୍ରାଣୀ ପାଖରେ ଏହିଗୁଡ଼ିକ ନିଶ୍ଚିତ ଭାବେ ବିଦ୍ୟମାନ। ଏହାର ଦେବୀ ଭୈରବୀ ପିଙ୍ଗଳବର୍ଣ୍ଣା; କାରଣ ଏହି ଗୁଣମାନେ ସାଧକଙ୍କୁ ଜଳାନ୍ତି ଓ କଷ୍ଟ ଦିଅନ୍ତି। କିନ୍ତୁ ଏହି ଭୈରବୀଙ୍କ ଦର୍ଶନରୁ ହିଁ ମିଳେ ଏଗୁଡ଼ିକରୁ ମୁକ୍ତିର ଅଭୟ ଆଶୀର୍ବାଦ। ଧ୍ୟାନର ଉଚ୍ଚାବସ୍ଥାରେ ସାଧକ ତାଙ୍କ ମନର ସମସ୍ତ ଡର, ଭୟ ଓ ଶଙ୍କାର ଉତ୍ପତ୍ତିର ମୂଳକୁ ବା ମହାବିଦ୍ୟା ଭୈରବୀଙ୍କୁ ଅନୁଭବ କରି ପାରନ୍ତି। ଏହି ଦେବୀ ତ୍ରିନୟନା, ଯାହା ଦର୍ଶାଏ ଯେ ସେ ହେଉଛନ୍ତି ମସ୍ତିଷ୍କସ୍ଥ ଆଜ୍ଞାଚକ୍ରର ଅନ୍ୟ ଏକ ପରିଚୟ। ପ୍ରକୃତରେ ଆମର ସମସ୍ତ ନକାରାତ୍ମକ ପ୍ରବୃତ୍ତିର ଉତ୍ପତ୍ତିସ୍ଥଳ ମଧ୍ୟ ଆଜ୍ଞାଚକ୍ର। ସର୍ବବ୍ୟାପକ ବ୍ରାହ୍ମୀସ୍ଥିତିର ଆଶାୟୀ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରବୃତ୍ତିକୁ ସମାନ ଭାବରେ ଗ୍ରହଣ କରିବାକୁ ହୁଏ। ଭୟ, ଶଙ୍କା ଭଳି ନକାରାତ୍ମକ ପ୍ରବୃତ୍ତିର ବିଲୟ ଏଗୁଡ଼ିକର ସୃଜନର ଉତ୍ସ ଆଜ୍ଞାଚକ୍ରରୂପୀ ମାତା ଭୈରବୀଙ୍କ ଦର୍ଶନଦ୍ୱାରା ସମ୍ଭବ ହୁଏ। ସାଧକ ଆଜ୍ଞାଚକ୍ର ବା ଭୈରବୀଙ୍କ ପାଖରେ ଏକନିଷ୍ଠ ହୋଇ ସ୍ଥିର ହେଲେ ସମସ୍ତ ଭୀରୁତାରୁ ମୁକ୍ତ ହୁଏ; କାରଣ ସ୍ରଷ୍ଟା ପାଖରେ ସୃଷ୍ଟିର ପ୍ରଭାବ ନ ଥାଏ। ଧ୍ୟାନରେ ଆଜ୍ଞାଚକ୍ରରେ ସ୍ଥିର ହେଲେ ହିଁ ପିଣ୍ଡବ୍ରହ୍ମାଣ୍ଡ ସାଧକ ସମସ୍ତ ‘ଭୀ’ରୁ ରକ୍ଷା ପାଇବାର ଅଭୟ ପ୍ରାପ୍ତ ହୁଏ।
ମହାବିଦ୍ୟା ଭୈରବୀଙ୍କର ଦୁଇଟି ହସ୍ତ ଆଶୀର୍ବାଦ ଓ ବରଦ ମୁଦ୍ରାରେ ଥାଏ। ସାଧକର ଆଜ୍ଞାଚକ୍ରରେ ଏହା ସ୍ଥିର ହେଲେ ଉଚ୍ଚସ୍ତରର ଦିବ୍ୟ ଅନୁଭୂତି ପ୍ରାପ୍ତିର ସୂଚନା ପ୍ରଦାନ କରେ। ସେ ଅନ୍ୟ ଦୁଇ ହସ୍ତରେ ଧରିଥିବା ଜପାମାଳି ଓ ପୁସ୍ତକ ଭୈରବୀ ଦର୍ଶନ ଦ୍ୱାରା ପ୍ରାପ୍ତ ହେଉଥିବା ଜ୍ଞାନ ଓ ସାଧନାର ନିରନ୍ତରତାକୁ ଦର୍ଶାଏ।
ପିଣ୍ତ-ବ୍ରହ୍ମାଣ୍ତ: ଭୈରବୀ
/sambad/media/post_attachments/wp-content/uploads/2023/04/6545f4h65sffhsfhfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)