ପିଣ୍ତ-ବ୍ରହ୍ମାଣ୍ତ: ଧନ୍ୱନ୍ତରି ଅବତାର

ଦେବତା ଓ ଅସୁରମାନଙ୍କର ସମ୍ମିଳିତ ସମୁଦ୍ର ମନ୍ଥନରୁ ଆବିର୍ଭାବ ହୋଇଥିଲେ ଭଗବାନ ବିଷ୍ଣୁଙ୍କର ଧନ୍ୱନ୍ତରି ଅବତାର। ସେ ଉଭା ହୋଇଥିଲେ ଅମୃତ କଳସ ସହ। ‘ହରିବଂଶ ପୁରାଣ’ ମତରେ, ସମୁଦ୍ରରୁ ବାହାରିବା ପରେ ଧନ୍ୱନ୍ତରି ଦେବତା ପଦ ପାଇବାପାଇଁ ଭଗବାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଭଗବାନ ତାଙ୍କୁ ଆଗାମୀ ଜନ୍ମରେ ଏହି ସିଦ୍ଧି ପ୍ରାପ୍ତ ହେବ ବୋଲି କହିଥିଲେ। ପୁତ୍ରଲାଭ ପାଇଁ ତପସ୍ୟା କରୁଥିବା କାଶୀରାଜ ଧନ୍ୱଙ୍କ ପୁତ୍ର ଭାବେ ଜନ୍ମ ନେଇଥିଲେ ଧନ୍ୱନ୍ତରି। ପରବର୍ତ୍ତୀ ସମୟରେ ସେ ଆୟୁର୍ବେଦର ସଂକଳନ କରିଥିଲେ ଏବଂ କାଶୀର ରାଜା ହୋଇଥିଲେ।

ଧନ୍ୱନ୍ତରି ଶବ୍ଦ ଗଠନ ହୋଇଛି ‘ଧନ୍ୱ’, ‘ଅନ୍ତ’, ‘ଋ’ ଓ ‘ଇ’ ପ୍ରତ୍ୟୟର ମିଶ୍ରଣରୁ। ଧନ୍ୱର ଅର୍ଥ ମରୁଭୂମି କିମ୍ବା ଧନୁ। ଅନ୍ତ ଶବ୍ଦର ଅର୍ଥ ଶେଷ ସୀମା। ‘ଋ’ ଧାତୁ ଗମନ କରିବା ବା ପ୍ରାପ୍ତ ହେବାକୁ ବୁଝାଏ। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଶରୀର ହେଉଛି ଏକ ତୃଷାର୍ତ୍ତ ମରୁଭୂମି। ଏହା ସବୁବେଳେ ବ୍ରାହ୍ମୀସ୍ଥିତିର ଅନନ୍ତ ସାଗରରେ ଏକାକାର ହେବାପାଇଁ ଆଗ୍ରହୀ। ଶରୀରକୁ ଧନୁ ଅର୍ଥରେ ଲକ୍ଷ୍ୟ ସାଧକ ଉତ୍ସଭାବେ ମଧ୍ୟ ବ୍ୟବହାର କରାଯାଏ। ତେଣୁ ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନେ କହନ୍ତି, ଧନ୍ୱନ୍ତରି ଅବତାର ହେଉଛନ୍ତି ସେହି ପ୍ରେରଣା, ଯାହା ସାଧକଙ୍କୁ ତାଙ୍କର ଅନ୍ତିମ ଲକ୍ଷ୍ୟ ଯାଏ ନେଇଯାଇ ସମସ୍ତ କାମନାର ନିବାରଣ କରେ। ଶରୀରରେ ବ୍ୟାପ୍ତ ଚେତନାର କ୍ଷୀରସାଗରକୁ ମନ୍ଦରଗିରିରୂପୀ ମେରୁଦଣ୍ଡ ଓ କୁଣ୍ଡଳିନୀ ଶକ୍ତିରୂପୀ ବାସୁକିନାଗ ଦ୍ୱାରା ମନ୍ଥନ କଲେ, ଆବିର୍ଭାବ ହୁଅନ୍ତି ଧନ୍ୱନ୍ତରି ବା ସାଧନାର ଶେଷ ପର୍ଯ୍ୟାୟ ଯାଏ ଆଗେଇଯିବାର ପ୍ରେରଣା। କିନ୍ତୁ ଏହି ପ୍ରେରଣା ସୁଦୃଢ଼ ହେବାପାଇଁ ବା ଦେବତ୍ୱ ପ୍ରାପ୍ତି ପାଇଁ, ଆଉ ଏକ ଜନ୍ମ ବା ରୂପାନ୍ତରଣ ଦରକାର ହୁଏ।

‘କାଶ୍‌’ ଧାତୁର ଅର୍ଥ- ଦୀପ୍ତି ପାଇବା, ଯେଉଁଥିରୁ ଜାତ କାଶୀ ଶବ୍ଦ। ସାଧକଙ୍କ ମଧ୍ୟରେ ଯେତେବେଳେ ଜ୍ଞାନ ଆଭାସର ଦ୍ୟୁତି ପ୍ରକାଶିତ ହୁଏ ଏବଂ ମୁକ୍ତିର କାମନାରେ ଶରୀର ମରୁଭୂମି ଭଳି ଶୁଷ୍କତା ଅନୁଭବ କରେ, ସେତେବେଳେ ପୁନର୍ବାର ଜନ୍ମନିଏ ସାଧନାକୁ ଆଗେଇ ନେବାର ନୂତନ ପ୍ରେରଣା ବା ଧନ୍ୱନ୍ତରି ଅବତାର। ଏହାଦ୍ୱାରା ସାଧକ ମନ ଓ ଶରୀରକୁ ସାଧନାପାଇଁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତି, ଯାହା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଧନ୍ୱନ୍ତରିଙ୍କ ଆୟୁର୍ବେଦ। ଧନ୍ୱନ୍ତରିଙ୍କ ହାତରେ ଥାଏ ଅମୃତ କଳସ ବା ମୃତ୍ୟୁକୁ ଜୟ କରିବାର ଜ୍ଞାନ। ସାଧନାର ଶେଷ ସୀମା ଯାଏ ମାଡ଼ିଚାଲିବାର ପ୍ରେରଣା ସାଧକଙ୍କୁ ଅମୃତ ବ୍ରାହ୍ମିସ୍ଥିତି ହସ୍ତଗତ କରାଏ। ଏହା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଧନ୍ୱନ୍ତରି ଅବତାରର ସାରତତ୍ତ୍ୱ।

ସମ୍ବନ୍ଧିତ ଖବର