ପିଣ୍ତ-ବ୍ରହ୍ମାଣ୍ତ: କାଳୀ

ସମୟ ସ୍ରୋତରେ ବ୍ରହ୍ମାଣ୍ଡରେ ସବୁ ପ୍ରକାର ବିଭିନ୍ନତାର ସୃଷ୍ଟି ଓ ବିଲୟ ଘଟିଚାଲିଛି। ସୃଷ୍ଟିର ଆରମ୍ଭ ସହ ସମୟର ଆରମ୍ଭ। ଆମ ପିଣ୍ଡବ୍ରହ୍ମାଣ୍ଡ ସମୟକୁ ପାଥେୟ କରି ଅନନ୍ତ ପ୍ରକାରର ପାର୍ଥକ୍ୟମାନଙ୍କ ସହ ଖେଳି ଚାଲିଛି। ସମୟାତୀତ ମୂଳ ଅବ୍ୟକ୍ତ ବ୍ରାହ୍ମୀସ୍ଥିତିରେ ପହଞ୍ଚିବାପାଇଁ, ସମୟର ପ୍ରକୃତ ପରିଚୟ ଜାଣିବା ଆବଶ୍ୟକ। ସମୟ ପାର୍ଥକ୍ୟରୂପୀ ମାୟାର ଜନ୍ମଦାତ୍ରୀ। ସମୟର ଅନ୍ୟ ନାମ କାଳ। ‘କଳ୍‌’ ଧାତୁରୁ ଜାତ ‘କାଳ’ ଶବ୍ଦର ଅର୍ଥ- ଯାହା ଦ୍ୱାରା ମପାଯାଏ ବା ଗଣନା କରାଯାଏ। ଆମେ କାଳ ବା ସମୟ ଦ୍ୱାରା ବ୍ରହ୍ମାଣ୍ଡର ଆକଳନ କରୁ। ଏହା ସୃଷ୍ଟିର ସମସ୍ତ ତତ୍ତ୍ୱର ବିନାଶର କାରଣ। ଏହା ମଧ୍ୟ ସମସ୍ତଙ୍କର ଜନ୍ମ ଓ ଆବିର୍ଭାବର କାରଣ। ତେଣୁ ଆମେ ଏହାକୁ ମାତୃଶକ୍ତି ଭାବେ ମହାବିଦ୍ୟା କାଳୀ ରୂପରେ ଉପାସନା କରୁ।

ପିଣ୍ଡବ୍ରହ୍ମାଣ୍ଡ ସାଧକମାନେ କାଳୀଙ୍କ ମାଧ୍ୟମରେ କାଳ ବା ସମୟର ପ୍ରକୃତ ପରିଚୟକୁ ଆକଳନ କରନ୍ତି। କାଳୀଙ୍କର ବର୍ଣ୍ଣ ରଙ୍ଗାତୀତ କଳା। ସାଧକ ଗୁଣାତୀତ ହେଲେ ହିଁ କାଳୀଙ୍କୁ ବୁଝି ପାରିବ। କାଳୀଙ୍କର ଦୁଇ ଡାହାଣ ହାତ ଅଭୟ ଓ ଆଶୀର୍ବାଦ ମୁଦ୍ରାରେ ଥାଏ। ଏହାର ଅର୍ଥ, ସମୟକୁ ଜାଣିପାରିଲେ ସାଧକ ଏହାର ବିନାଶକ ଶକ୍ତିର ଭୟରୁ ମୁକ୍ତ ହୁଏ ଏବଂ ସମସ୍ତ ବନ୍ଧନରୁ ମୋକ୍ଷ ଲାଭ ପାଇଁ ଆଶୀର୍ବାଦ ପାଏ। କାଳୀଙ୍କ ବାମ ହସ୍ତମାନଙ୍କରେ ଥାଏ ରକ୍ତରଂଜିତ ଚନ୍ଦ୍ରାକାର ଖଣ୍ଡା ଓ ନରମୁଣ୍ଡ। ଚନ୍ଦ୍ର ମନର ପ୍ରତୀକ। କାଳୀଙ୍କ ଖଣ୍ଡା ସାଧକଙ୍କୁ ମନକୁ ବ୍ୟବହାର କରି ସମସ୍ତ ପାର୍ଥକ୍ୟରୂପୀ ମାୟାକୁ କାଟି ପକାଇବାକୁ ପ୍ରରୋଚିତ କରେ। ଏହା ସମୟର ନିତ୍ୟ କର୍ମ। ସମୟର ଏହି କର୍ମକୁ ସାଧକ ନିଜେ କରିବା ହେଉଛି କାଳୀଙ୍କ ଉପାସନା। ନିଜର ପାର୍ଥକ୍ୟରୂପୀ ପରିଚୟ ବା ମସ୍ତିଷ୍କର ସମର୍ପଣ ହେଉଛି କାଳୀଙ୍କ ହାତରେ ଥିବା ନରମୁଣ୍ଡ। କାଳୀଙ୍କ ବେକର ନରମୁଣ୍ଡ ମାଳରେ ନରମୁଣ୍ଡଙ୍କ ସଂଖ୍ୟା ସଂସ୍କୃତ ଭାଷାର ଅକ୍ଷରମାନଙ୍କର ସଂଖ୍ୟା ସହ ସମାନ। ଏହା ଆମର ସମସ୍ତ ପ୍ରକାର ଅଭିବ୍ୟକ୍ତିକୁ ଦର୍ଶାଏ। ତାଙ୍କ ଅଣ୍ଟାରେ ଝୁଲୁଥିବା ଖଣ୍ଡିତ ହସ୍ତମାଳା ଆମର ବିଭିନ୍ନ କର୍ମକୁ ସୂଚାଏ। କାଳୀଙ୍କ ରକ୍ତପିପାସୁ ଲମ୍ବିତ ଜିହ୍ୱା ସମସ୍ତ ପାର୍ଥକ୍ୟଙ୍କୁ ନାଶ କରିବା ବେଳେ, ସେମାନଙ୍କ ସାରତତ୍ତ୍ୱ ଗ୍ରହଣ କରିବାକୁ ସାଧକଙ୍କୁ ଶିକ୍ଷା ଦିଏ।

କାଳୀତତ୍ତ୍ୱର ଅନୁଭବ ସାଧକଙ୍କୁ ଉଗ୍ର ଭାବେ ସମସ୍ତ ପାର୍ଥକ୍ୟର ବିନାଶପାଇଁ ପ୍ରବର୍ତ୍ତାଏ। କିନ୍ତୁ ଏହି ଉଗ୍ରଭାବ ଶେଷପାର୍ଥକ୍ୟ ବା ସାଧକଙ୍କ ନିଜ ପରିଚୟକୁ ବିଲୟ କରି ପାରିବନି। ଏହାଦ୍ୱାରା ଶାନ୍ତ ଅବ୍ୟକ୍ତ ସ୍ଥିତି ପ୍ରାପ୍ତ ହେବ ନାହିଁ। ପାର୍ଥକ୍ୟ ବିନାଶ କରିବାର ଉଗ୍ରତା କେବଳ ଶାନ୍ତ ହୁଏ ଜ୍ଞାନରୂପୀ ବିଲୟର ଅନୁଭବ ବା ଶିବତତ୍ତ୍ୱର ଦର୍ଶନ ଦ୍ୱାରା। ନିଜକୁ ସମୟ ବା କାଳୀଙ୍କ ସହ ଏକାକାର କରି ପାରିଥିବା ସାଧକଙ୍କ ପାର୍ଥକ୍ୟନାଶକ ଉଗ୍ରରୂପ, ସମସ୍ତ ବିଲୟର କାରଣ, ଜ୍ଞାନସ୍ୱରୂପ ଶିବଙ୍କ ଆଭାସ ପାଇଲେ ହିଁ ଶାନ୍ତ ହୁଏ। ସାଧକଙ୍କ ପାଇଁ ସମୟରୂପୀ କାଳୀ ଶାନ୍ତ ହୋଇ ଜ୍ଞାନରୂପୀ ଶିବଙ୍କ ସହ ଏକାକାର ହୋଇ ଯାଆନ୍ତି।

ସମ୍ବନ୍ଧିତ ଖବର