ପିଣ୍ତ-ବ୍ରହ୍ମାଣ୍ତ: ତ୍ରିପୁରାସୁନ୍ଦରୀ

ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏହି ଶରୀର ହେଉଛି ତ୍ରିପୁର। ପିଣ୍ଡବ୍ରହ୍ମାଣ୍ଡରେ ହିଁ ଅଛି- ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତଥା ସତ୍ତ୍ୱ, ରଜ, ତମର ଅନୁଭବର ଅବସ୍ଥିତି। ଏହି ତ୍ରିପୁରରୂପୀ ପିଣ୍ଡବ୍ରହ୍ମାଣ୍ଡରେ ସୌନ୍ଦର୍ଯ୍ୟ ବା ବିଭୂତିମାନଙ୍କ ରୂପରେ ଯେଉଁ ଚେତନା ପରିବ୍ୟାପ୍ତ, ତାହାର ମୂଳ କେନ୍ଦ୍ର ହେଉଛି ମସ୍ତିଷ୍କ ମଧ୍ୟରେ ଅବସ୍ଥିତ ଆଜ୍ଞାଚକ୍ର। ଧ୍ୟାନରେ ଆଜ୍ଞାଚକ୍ରର ସୌନ୍ଦର୍ଯ୍ୟ ବା ବିଭୂତିରେ ବୁଡ଼ିଯିବା ହେଉଛି ମହାବିଦ୍ୟା ତ୍ରିପୁରାସୁନ୍ଦରୀଙ୍କ ଉପାସନା। ତାଙ୍କର ଅନ୍ୟନାମ ଷୋଡ଼ଶୀ। ଶରୀର ଥିବା ଯାଏ ଆଜ୍ଞାଚକ୍ର ସଦା ଚଳଚଞ୍ଚଳ, ଚିରକୁମାରୀ ଓ ସମସ୍ତ ସମ୍ଭାବନାକୁ ଚରିତାର୍ଥ କରିବାର ଶକ୍ତି ବହନ କରିଥାଏ।

ଏହା ଯେକୌଣସି ଷୋଡ଼ଶ ବର୍ଷୀୟ ମାନବର ଗୁଣ। ମହାଦେବୀଙ୍କର ଷୋଡ଼ଶୀ ନାମ ଏହାକୁ ଦର୍ଶାଏ। ସେ ଆଦି ପରାଶକ୍ତି ବା ମୂଳ ପରାଶକ୍ତି। ‘ପୃ’ ଧାତୁର ଅର୍ଥ ପୂରଣ କରିବା। ଏହା ଦ୍ୱାରା ‘ପରା’ ଶବ୍ଦ ନିର୍ମିତ। ଆଜ୍ଞାଚକ୍ରର ନିର୍ଦ୍ଦେଶରେ ପିଣ୍ଡବ୍ରହ୍ମାଣ୍ଡର ସମସ୍ତ କାମନା ପୂରଣ ହୁଏ। ତେଣୁ ଏହି ମହାବିଦ୍ୟାଙ୍କର ନାମ କାମାକ୍ଷୀ ବା କାମାକ୍ଷା, ଯାହାର ଅର୍ଥ କାମନାର ପରିଚୟ। ସମସ୍ତ କାମନାର ପରିଚୟ ହେଉଛି ଆଜ୍ଞାଚକ୍ରରେ ସନ୍ନିବେଶିତ ଚେତନା। ଆଜ୍ଞାଚକ୍ରରୂପୀ ମହାବିଦ୍ୟା ପିଣ୍ଡବ୍ରହ୍ମାଣ୍ଡର ପରିଚାଳକ ଓ ସର୍ବମୟ କର୍ତ୍ତା। ତେଣୁ ସେ ଏହାର ରାଜରାଜେଶ୍ୱରୀ ଭାବେ ଖ୍ୟାତ। ତାଙ୍କର ଆଉ ଏକ ନାମ ଲଳିତା, ଯାହା ‘ଲଳ୍‌’ ଧାତୁରୁ ନିର୍ମିତ। ‘ଲଳ୍‌’ ଧାତୁର ଅର୍ଥ ବିଳାସ କରିବା। ଶରୀରର ସମସ୍ତ ଆନନ୍ଦର କେନ୍ଦ୍ରବିନ୍ଦୁ ହେଉଛି ଆଜ୍ଞାଚକ୍ର। ଏହା ତାହାକୁ ଦର୍ଶାଏ। ଏହି ମହାବିଦ୍ୟାଙ୍କୁ ତ୍ରିକୋଣ ମାଧ୍ୟମରେ ଦର୍ଶାଯାଏ, ଯାହା ଭ୍ରୂମଧ୍ୟସ୍ଥ ଆଜ୍ଞାଚକ୍ରର ପ୍ରତୀକ।

ତ୍ରିପୁରାସୁନ୍ଦରୀଙ୍କର ପରିଚୟ ବହନ କରୁଥିବା ଶ୍ରୀଯନ୍ତ୍ର ପିଣ୍ଡବ୍ରହ୍ମାଣ୍ଡରେ ଆଜ୍ଞାଚକ୍ରର ବ୍ୟାପ୍ତିକୁ ଦର୍ଶାଏ। ଏହି ଦେବୀଙ୍କର ଆସ୍ଥାନ ମଣିଦ୍ୱୀପ ବା ଶ୍ରୀନଗରରେ। ଆମ ମସ୍ତିଷ୍କ ହେଉଛି ପିଣ୍ଡବ୍ରହ୍ମାଣ୍ଡର ସମସ୍ତ ବୈଭବ, ଶ୍ରୀ ବା ମଣିମାନଙ୍କର ଆସ୍ଥାନ। ତେଣୁ ମସ୍ତିଷ୍କରେ ହିଁ ଆଜ୍ଞାଚକ୍ରରୂପୀ ତ୍ରିପୁରାସୁନ୍ଦରୀଙ୍କର ଅବସ୍ଥିତି। ସେ ତାଙ୍କର ଦୁଇ ହସ୍ତରେ ଧରି ଥାଆନ୍ତି ପାଶ ଓ ଅଙ୍କୁଶ। ଆଜ୍ଞାଚକ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ନିଜ ଅକ୍ତିଆରର ପାଶରେ ବାନ୍ଧି ରଖିଥାଏ; ଅଙ୍କୁଶ ବା ନିର୍ଦ୍ଦେଶ ଦ୍ୱାରା ସେମାନଙ୍କୁ ପରିଚାଳିତ କରେ। ଦେବୀ ତାଙ୍କ ଅନ୍ୟ ହାତରେ ଆଖୁରେ ନିର୍ମିତ ଏକ ଧନୁ ମଧ୍ୟ ଧରିଥାଆନ୍ତି। ଏହି ଧନୁ ଆଜ୍ଞାଚକ୍ର ନିର୍ଦ୍ଦେଶରେ ଆମର ରୁଚିକର ଅଭୀଷ୍ଟମାନଙ୍କର ଲକ୍ଷ୍ୟପ୍ରାପ୍ତିକୁ ଦର୍ଶାଏ। ‘ବ୍ରହ୍ମାଣ୍ଡ ପୁରାଣ’ ମତରେ, ତ୍ରିପୁରାସୁନ୍ଦରୀ ଭଣ୍ଡାସୁର ନାମକ ରାକ୍ଷସକୁ ବଧ କରିଥିଲେ। ଆଜ୍ଞାଚକ୍ରରୂପୀ ତ୍ରିପୁରାସୁନ୍ଦରୀଙ୍କ ଚେତନା ସାଧକଙ୍କ ଭିତରେ ପରିବ୍ୟାପ୍ତ ପାର୍ଥକ୍ୟରୂପୀ ମିଥ୍ୟାକୁ ଦମନ କରେ।

ସମ୍ବନ୍ଧିତ ଖବର