ବ୍ୟାକରଣ ଅନୁଯାୟୀ, ପଦ ବା ଅର୍ଥପୂର୍ଣ୍ଣ ଉଚ୍ଚାରଣର ମୂଳତତ୍ତ୍ୱ ପ୍ରତିପାଦକ ଓ ଧାତୁ, ଉପସର୍ଗ ଓ ପ୍ରତ୍ୟୟ ସହିତ ମିଳିତ ହେଲେ ହିଁ ନିଜର ସ୍ୱତନ୍ତ୍ର ପରିଚୟ ପ୍ରତିପାଦିତ କରନ୍ତି। ‘ଉପ’ ଉପସ୍ଥିତିକୁ ସୂଚାଏ। ‘ସର୍ଗ’ ହେଉଛି ସୃଷ୍ଟି ବା ସର୍ଜନା। ତେଣୁ ଉପସର୍ଗ ଧାତୁ ସମୀପକୁ ଯାଇ ଭିନ୍ନ ଭିନ୍ନ ଅର୍ଥ ସୃଷ୍ଟି କରନ୍ତି। ଉପସର୍ଗଗୁଡ଼ିକ ଧାତୁ ବା ମୂଳତତ୍ତ୍ୱର ପ୍ରାରମ୍ଭରେ ଲାଗନ୍ତି। ଉପସର୍ଗଦ୍ୱାରା ଜନ୍ମିତ ଶବ୍ଦରୁ ଉପସର୍ଗକୁ କାଢ଼ିନେଲେ ମୂଳ ଧାତୁ ଦୃଶ୍ୟମାନ ହୁଏ, ଯାହା ନିଷ୍କ୍ରିୟ ହୋଇଥାଏ।
ଏହାକୁ ସହଜରେ ବୁଝିହୁଏ ‘ଅସୁବିଧା’ ଶବ୍ଦରୁ। ଆମେ ସମସ୍ତେ ଅସୁବିଧାକୁ ଡରୁ ଓ ଏହାଠାରୁ ଦୂରରେ ରହିବାକୁ ଚେଷ୍ଟା କରୁ। କିନ୍ତୁ ପ୍ରତ୍ୟେକ ଜୀବନ୍ତ ସତ୍ତା ଚାହୁଁ ଅଥବା ନ ଚାହୁଁ, କେବେ ନା କେବେ ଅସୁବିଧା ଭୋଗିବାକୁ ବାଧ୍ୟ ହୁଏ। ବ୍ୟାକରଣକୁ ନିଜ ଚେତନାରେ ଅନୁଭବ କରିଥିବା ସିଦ୍ଧମାନେ ଅସୁବିଧାର ଉପଯୁକ୍ତ ତର୍ଜମା କରି ଏହାର କ୍ରିୟା ଓ ପ୍ରତିକ୍ରିୟାରୁ ମୁକ୍ତ ରହନ୍ତି। ଅସୁବିଧା ଶବ୍ଦ ତିଆରି ହୋଇଛି ‘ସୁବିଧା’ ସହ ‘ଅ’ ଉପସର୍ଗ ଯୋଡ଼ିହେବା ଦ୍ୱାରା। ‘ଅ’ ଉପସର୍ଗକୁ ‘ନୁହେଁ’ ଅର୍ଥରେ ବ୍ୟବହାର କରାଯାଏ। ତେଣୁ ଅସୁବିଧା ହେଉଛି ସୁବିଧାର ଅଭାବ। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧପାଇଁ ଅସୁବିଧାରୁ ମୁକ୍ତି ପାଇଁ ଅଧିକ ପ୍ରୟାସ ନ କରି କେବଳ ଏଥିରୁ ‘ଅ’ ଉପସର୍ଗଟିକୁ ମାନସିକ ସ୍ତରରେ ବାଦ୍ଦେବାକୁ ଚେଷ୍ଟା କରନ୍ତି। ଏହା ଦ୍ୱାରା ସେମାନେ ଅନୁଭବ କରନ୍ତି, ଯେ କୌଣସି ଘଟଣା ମଧ୍ୟ ସୁବିଧାର ଏକ ସମ୍ଭାବନା, ଯାହା ନିଜସ୍ୱ ମାନସିକ, ଶାରୀରିକ, ସାମାଜିକ ଓ ସାମୟିକ ସ୍ଥିତିରୂପୀ ‘ଅ’ ପ୍ରତ୍ୟୟ ସଂଯୁକ୍ତ ହେବା କାରଣରୁ ଅଗ୍ରହଣୀୟ ଭାବେ ଦୃଶ୍ୟମାନ ହେଉଛି।
ଏହି ବ୍ୟାକରଣଦ୍ରଷ୍ଟା ସିଦ୍ଧମାନେ ଏଇଠି ଅଟକି ଯାଆନ୍ତି ନାହିଁ, କାରଣ ସୁବିଧା ଶବ୍ଦକୁ ଅନୁଧ୍ୟାନ କଲେ ଜାଣିହୁଏ, ଯେ ଏଥିରେ ବି ଲାଗିଛି ‘ସୁ’ ଉପସର୍ଗ, ଯାହାର ଅର୍ଥ ଉତ୍ତମ ବା ଭଲ। କୌଣସି ଘଟଣାକୁ ଭଲ ବୋଲି ଅନୁଭବ କରିବା ହେଉଛି ନିଜସ୍ୱ ସ୍ଥିତି ବା ନିଜ ଦ୍ୱାରା ଜଡ଼ିତ ଉପସର୍ଗ। ଏହି ‘ସୁ’ ଉପସର୍ଗକୁ ବି ଉତାରି ପାରିଲେ ବାକି ରୁହେ ‘ବିଧା’ ଯାହା ହେଉଛି ‘ବିଧ’ର ରୂପାନ୍ତରଣ। ଏହାର ସୂକ୍ଷ୍ମ ବ୍ୟାକରଣ ଅନୁଧ୍ୟାନ ଦର୍ଶାଏ, ଯେ ମୂଳ ଧାତୁ ହେଉଛି ‘ଧା’ ଯେଉଁଥିରେ ‘ବିଶେଷ’ ଅର୍ଥରେ ‘ବି’ ଉପସର୍ଗ ଯୋଡ଼ି ହୋଇଛି। ‘ଧା’ ଧାତୁର ଅର୍ଥ ହେଉଛି ସ୍ଥାପନ କରିବା ବା ଧାରଣ କରିବା। ତେଣୁ ‘ବିଧା’ର ପ୍ରକୃତ ପରିଚୟ ହେଉଛି ନିୟମ, ଧାରା, ବିଧାନ ବା ବିଧି। ସବୁକିଛି ହେଉଛି ଈଶ୍ୱରଙ୍କ ସୃଷ୍ଟି ବିଧାନ। ଆମେ ଏଥିରେ ନିଜସ୍ୱ ଉପସର୍ଗ ଯୋଡ଼ି ଏହାର ପ୍ରତିକ୍ରିୟା ଅନୁଭବ କରୁ। ସାଧକ ନିଜ ଜୀବନର ସବୁ ଅନୁଭୂତ ଘଟଣା ଓ ବସ୍ତୁର ମୂଳ ଆଦି ସ୍ୱରୂପକୁ ଦର୍ଶନ କଲେ ଏହି ଉପସର୍ଗଜନିତ ପ୍ରଭାବରୁ ମୁକ୍ତ ହୋଇ ପ୍ରତିକ୍ରିୟାହୀନ ଶାନ୍ତ ଅବସ୍ଥା ପ୍ରାପ୍ତ କରନ୍ତି, ଯାହା ସାଧନା ପାଇଁ ନିତାନ୍ତ ଆବଶ୍ୟକ।