ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣ ଅବତାର-୨

ସାଧନାର ଦୀପ୍ତି ବା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ପୁତ୍ର, କଂସରୂପୀ ମୋକ୍ଷକାମନା ରାକ୍ଷସକୁ ନାଶ କରିବ- ନାରଦରୂପୀ ଜ୍ଞାନର ଚେତନା ଏହି କଥା ସୂଚାଇଥାଏ। ପିଣ୍ଡବ୍ରହ୍ମାଣ୍ଡ ସାଧକ ଏହାକୁ ଅପରିବର୍ତ୍ତନୀୟ ସତ୍ୟ ଭାବରେ ଗ୍ରହଣ କରନ୍ତି। କଂସ ବଧ କରିପାରେ ନାହିଁ ଦେବକୀ ଓ ବସୁଦେବଙ୍କୁ। କାରଣ ସେ ଅନୁଭବ କରେ, ସାଧନାର ଦୀପ୍ତି ବିନା ମୋକ୍ଷ କାମନା ମଧ୍ୟ ଅପୂର୍ଣ୍ଣ। ତେଣୁ କଂସ ଚିନ୍ତା କରେ- ଦେବକୀଙ୍କ ବଦଳରେ ତାଙ୍କ ଗର୍ଭରୁ ଜାତ ହେଉଥିବା ସନ୍ତାନମାନଙ୍କୁ ଗୋଟିଏ ପରେ ଗୋଟିଏ ମାରି ପକାଇବା ପାଇଁ। ମୋକ୍ଷ କାମନାରୂପୀ କଂସର ବନ୍ଦୀ ଭାବରେ ଜୀବନ ଅତିବାହିତ କଲେ ମଧ୍ୟ, ସାଧନାର ଦୀପ୍ତି ଓ ବସୁଦେବରୂପୀ ଜୀବନୀଶକ୍ତିଙ୍କର ମିଳନ ଖଣ୍ଡିତ ହୁଏ ନାହିଁ। ଦେବକୀଙ୍କ ଗର୍ଭରେ ସୃଷ୍ଟି ହୁଏ ଗୋଟିଏ ପରେ ଗୋଟିଏ ସନ୍ତାନ।

‘ଗୃ’ ଧାତୁର ଅର୍ଥ- ଗ୍ରାସ କରିବା ବା ଗ୍ରହଣ କରିବା। ଏହା ସହ କର୍ମବାଚକ ‘ଭ’ ମିଶି ତିଆରି ହୋଇଛି ‘ଗର୍ଭ’। ସାଧକଙ୍କ ସାଧନାର ଦୀପ୍ତି ଯାହାକୁ ନିଜ ଚେତନା ମଧ୍ୟରେ ସଂପୂର୍ଣ୍ଣ ଗ୍ରହଣ କରେ, ତାହା ହେଉଛି ଦେବକୀଙ୍କ ଗର୍ଭର ସନ୍ତାନସମୂହ। ଏହି ସନ୍ତାନମାନେ ହେଉଛନ୍ତି, ଆମ ଶରୀରରେ ଅବସ୍ଥିତ ପ୍ରମୁଖ ଚକ୍ର। ସାଧକଙ୍କ ଭିତରେ ଏହି ଚକ୍ରଗୁଡ଼ିକର ଚେତନା ଜାଗ୍ରତ ହେବା ହେଉଛି ସେମାନେ ଗର୍ଭସ୍ଥ ହେବା। ସେମାନେ ନିଜର ସଂପୂର୍ଣ୍ଣ ବ୍ୟାପ୍ତି ଓ ଶକ୍ତି ପ୍ରାପ୍ତ ହେବା ହେଉଛି ସେମାନଙ୍କର ଜନ୍ମ। ମୋକ୍ଷ କାମନାର ବନ୍ଧନ ଭିତରେ ଏମାନେ ଗର୍ଭସ୍ଥ ହୋଇ ଜନ୍ମ ନିଅନ୍ତି। ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞା ଓ ସହସ୍ରାର ଚକ୍ର ହେଉଛନ୍ତି ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧଙ୍କ ମତରେ ଦେବକୀଙ୍କର ପ୍ରଥମ ସାତଟି ସନ୍ତାନ। ସାଧକଙ୍କ ମଧ୍ୟରେ ଏମାନଙ୍କର ଚେତନା ଜାଗ୍ରତ ହୁଏ। ମୋକ୍ଷ କାମନାରୂପୀ କଂସ ପାଖରେ ବନ୍ଦୀ ସାଧକଙ୍କ ଜୀବନୀଶକ୍ତି ବା ବସୁଦେବ ଏମାନଙ୍କ ମୋହ ତ୍ୟାଗ କରନ୍ତି। ଆଉ ଚେତନ ହେଉଥିବା ଚକ୍ରମାନଙ୍କୁ ବଢ଼ାଇ ଦିଅନ୍ତି କଂସର ହାତକୁ। କଂସ ଜାଣେ, ଦେବକୀଙ୍କ ଅଷ୍ଟମ ଗର୍ଭ ତା’ର ମୃତ୍ୟୁର କାରଣ ହେବ। କିନ୍ତୁ ମୋକ୍ଷ କାମନା ସବୁବେଳେ ଆଭାସ ପାଉଥାଏ ବ୍ରାହ୍ମୀସ୍ଥିତି ବା ସର୍ବବ୍ୟାପକ ଅନୁଭୂତିର। ସେ ଜାଣେ, ତାକୁ ହତ୍ୟା କରିବାପାଇଁ ଜନ୍ମ ନେବାକୁ ଯାଉଥିବା ଶକ୍ତି ସର୍ବବ୍ୟାପକ। ତେଣୁ ଏହା ଯେକୌଣସି ଚକ୍ର ରୂପରେ ଆବିର୍ଭାବ ହେବାର ସମ୍ଭାବନା ଅଛି। ତେଣୁ ସେ ମାରିଚାଲେ ଏହି ଚକ୍ରମାନଙ୍କର ଚେତନାକୁ। ମୋକ୍ଷ କାମନା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ଚକ୍ରମାନଙ୍କ ସ୍ଥିତି ଚେତନାରୁ ମୁକ୍ତ କରେ। କାରଣ, ଏମାନଙ୍କର ମୃତ୍ୟୁ ନ ଘଟିଲେ ଅଷ୍ଟମ ଗର୍ଭର ଆବିର୍ଭାବ ଘଟିପାରିବ ନାହିଁ।

ସମ୍ବନ୍ଧିତ ଖବର