ଭଗବାନ ବିଷ୍ଣୁଙ୍କର ୨୪ ଅବତାର ମଧ୍ୟରେ ଚାରିକୁମାରଙ୍କୁ ଗ୍ରହଣ କରାଯାଏ। ଏମାନେ ସୃଷ୍ଟିର ପ୍ରଥମ ଏକକ; ବ୍ରହ୍ମାଙ୍କର ମାନସ ପୁତ୍ର। ଏମାନେ ଚିର କୁମାର। ବ୍ରହ୍ମାଣ୍ଡର ବୟସ ବଢ଼ୁଥିଲେ ମଧ୍ୟ ଏମାନଙ୍କର ବୟସ ବଢ଼େ ନାହିଁ। ଏମାନଙ୍କର ବାଳୁତ ଅବସ୍ଥା ଚିରକାଳ ବଜାୟ ରହେ। ଏମାନେ ହେଉଛନ୍ତି- ସନକ କୁମାର, ସନାତନ କୁମାର, ସନନ୍ଦନ କୁମାର ଓ ସନତ କୁମାର।
ପିଣ୍ଡବ୍ରହ୍ମାଣ୍ଡ ସାଧନାରେ ଏହି ଚାରି ଅବତାରୀ ତତ୍ତ୍ୱଙ୍କର ଦର୍ଶନ ଓ ଅନୁଭବ ଜରୁରୀ। ଆମ ପିଣ୍ଡ ମଧ୍ୟରେ ଏହି ଚାରି ଅବତାରୀ ତତ୍ତ୍ୱ ସବୁବେଳେ କୁମାରମାନଙ୍କ ଉତ୍ସାହ ବହନ କରି କ୍ରିୟମାଣ ଥାଆନ୍ତି। ସୃଷ୍ଟିର ଆରମ୍ଭରେ ଆମେ ମାତୃଗର୍ଭରେ ଥିଲାବେଳେ ବି ଏମାନେ ଆମ ସହ ଥିଲେ। ଶେଷ ନିଃଶ୍ୱାସ ସମୟରେ ବି ଏମାନେ ବୃଦ୍ଧ ନ ହୋଇ କୁମାର ଅବସ୍ଥାରେ ଆମ ସହ ଥିବେ। ‘ସନକ’ ଶବ୍ଦର ଅର୍ଥ ପୁରାତନ ବୋଲି ଆମେ ଜାଣୁ। ସନ୍ ଧାତୁ, ଯେଉଁଥିରୁ ଏହା ତିଆରି ହୋଇଛି, ତାହାର ଅର୍ଥ- ସେବା କରିବା। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧଙ୍କ ମତରେ, ଆମ ଅହଂକାର ହେଉଛି ସନକ ଅବତାର। ଅହଂକାର ଆମର ସର୍ବପୁରାତନ ପରିଚୟ ଭାବେ ସୃଷ୍ଟି ହୋଇଥାଏ। ଏହା ନିରନ୍ତର ପିଣ୍ଡବ୍ରହ୍ମାଣ୍ଡକୁ ତୁଲେଇ ବଞ୍ଚେଇ ରଖିବା ସେବା କରି ଚାଲେ। ‘ସନାତନ’ ଆମ ଚିତ୍ତକୁ ବୁଝାଏ। ଏହା ଚିରନ୍ତନ। ଏହା ମରଣଶୀଳ ପିଣ୍ଡବ୍ରହ୍ମାଣ୍ଡରେ ଅମୃତ ବା ଚିରସ୍ଥାୟୀ। ଆମର ସବୁ ଆନନ୍ଦର କାରଣ ହେଉଛି ମନ। ମନ ବି ବୁଢ଼ା ହୁଏ ନାହିଁ। ତେଣୁ ମନକୁ ପିଣ୍ଡ ବ୍ରହ୍ମାଣ୍ଡ ସାଧକମାନେ ସନନ୍ଦନ କୁମାର ଅବତାର ଭାବେ ଦର୍ଶନ କରନ୍ତି। ସନ୍ ଧାତୁର ଆଉ ଏକ ଅର୍ଥ- ଦାନ କରିବା। ଜନ୍ମ ହେବାଠାରୁ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ କେବଳ ବୁଦ୍ଧିର ବିଭିନ୍ନ ପ୍ରକାରର ଦାନ ଦ୍ୱାରା ସୁରୁଖୁରୁରେ ଚାଲିଛି। ମନ, ବୁଦ୍ଧି, ଅହଂକାର ଓ ଚିତ୍ତ, ଏହି ଚାରିଙ୍କୁ ‘ହୃଦୟ ଚତୁଷ୍ଟୟ’ ମଧ୍ୟ କୁହାଯାଏ। ପିଣ୍ଡବ୍ରହ୍ମାଣ୍ଡ ସାଧକ ଧ୍ୟାନରେ ଏମାନଙ୍କର ପ୍ରକୃତ ଅବତାରୀ ପରିଚୟ ଦର୍ଶନ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/d654g65da4d5a4dg65.jpg)