ପିଣ୍ତ-ବ୍ରହ୍ମାଣ୍ତ: ବୁଦ୍ଧ ଅବତାର- ୪

ସାଧନାର ପ୍ରାରମ୍ଭିକ ଅବସ୍ଥାରେ ପ୍ରତ୍ୟେକ ପିଣ୍ଡବ୍ରହ୍ମାଣ୍ଡ ସାଧକ ଏକ ବିରାଟ ମାନସିକ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି। ଏହି ପରିସ୍ଥିତିରୁ ମୁକ୍ତ ହୋଇ ଧ୍ୟାନ ଓ ସାଧନାକୁ ସୁଚାରୁ ରୂପରେ ଆଗେଇ ନେବା ପାଇଁ ବାଟ ଦେଖାଏ ଗୌତମବୁଦ୍ଧଙ୍କ ସାଧକ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ସଂସାରର ସମସ୍ତ ଦୁଃଖରୁ ମୁକ୍ତ ହେବା ପାଇଁ ସିଦ୍ଧାର୍ଥ କରିଥିଲେ କୃଚ୍ଛ୍ର ସାଧନା। ସାଧନାର ଗୋଟିଏ ପର୍ଯ୍ୟାୟରେ, ସେ ଅନ୍ନ ଓ ଜଳ ଗ୍ରହଣ କରିବା ବି କମାଇ ଚାଲି ଥିଲେ। ତାଙ୍କ ଶରୀର କଙ୍କାଳସାର ହୋଇ ଯାଇଥିଲା। ବ୍ରହ୍ମାଣ୍ଡର ଦୁଃଖରୁ ମୁକ୍ତି ପାଇଁ ସେ ନିଜ ପିଣ୍ଡକୁ ଦୁଃଖ ଦେଇ ଚାଲିଥିଲେ।

ଏହି ସମୟରେ ଏକ ଯାଯାବର ଜନଜାତିର ଲୋକଙ୍କ ଗୀତ ଶୁଣି, ତାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହୋଇଥିଲା। ତାହା ହେଉଛି- ବୀଣାର ତା’ର ଅଧିକ ଟାଣି ହୋଇ ରହିଲେ କିମ୍ବା ଢିଲା ହୋଇଗଲେ, ସେଥିରୁ ସଙ୍ଗୀତ ବାହାରେ ନାହିଁ। ସେଥିରୁ ସେ ପାଇଥିଲେ ତାଙ୍କର ସାଧନା ମାର୍ଗର ଗୂଢ ରହସ୍ୟ। ବୁଦ୍ଧତ୍ବର ନିକଟବର୍ତ୍ତୀ ସିଦ୍ଧାର୍ଥଙ୍କ ପାଇଁ ଏହା ଥିଲା ଦିବ୍ୟ ନିର୍ଦ୍ଦେଶ। ସେହି ସମୟରେ, ଜଣେ ସାଧାରଣ କୃଷକପତ୍ନୀ ସୁଜାତାଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା। ସେ ସୁଜାତାଙ୍କ ହାତରୁ ଖିରି ଆହାର ଗ୍ରହଣ କରି ନିଜ ପିଣ୍ଡକୁ ସୁସ୍ଥ କରିଥିଲେ ଏବଂ ଶରୀରକୁ ମାତ୍ରାଧିକ କଷ୍ଟ ନ ଦେଇ ସାଧନାର ଶେଷ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରି, ନିର୍ବାଣ ପ୍ରାପ୍ତ ହୋଇଥିଲେ।

ଅନେକ ସାଧକ ଖୁବ ଶୀଘ୍ର ସିଦ୍ଧିଲାଭର ଲୋଭରେ ସମାନ ଭୁଲ ଆଜି ଯାଏ କରି ଚାଲିଛନ୍ତି। ନିଜର ପିଣ୍ଡ ବା ଶରୀର ହେଉଛି ସାଧନାର ମୂଳଦୁଆ। ପିଣ୍ଡକୁ ତୁଚ୍ଛ ମନେକରି ବ୍ରହ୍ମାଣ୍ଡର ସତ୍ୟ ଅନ୍ୱେଷଣ କରିବା ଅସମ୍ଭବ; କାରଣ ନିଜସ୍ୱ ପିଣ୍ଡ ହେଉଛି ବ୍ରହ୍ମାଣ୍ଡର ଅବିଚ୍ଛେଦ୍ୟ ଅଙ୍ଗ। ସାଧକଙ୍କ ପାଇଁ ନିଜ ପିଣ୍ଡ ହେଉଛି ବ୍ରହ୍ମାଣ୍ଡର କେନ୍ଦ୍ରବିନ୍ଦୁ। ନିଜ ପିଣ୍ଡକୁ ନିଜର ବୋଲି ଗ୍ରହଣ କରି ଏହାକୁ ବ୍ରହ୍ମାଣ୍ଡର ସମ୍ମାନ ଦେଇ ପାରୁ ନଥିବା ବ୍ୟକ୍ତି ଅନନ୍ତ ବ୍ରାହ୍ମୀସ୍ଥିତିକୁ ଗ୍ରହଣ କରି ପାରିବ ବା କିପରି? ପିଣ୍ଡବ୍ରହ୍ମାଣ୍ଡ ସାଧନା ସମ ଅବସ୍ଥା ଉପରେ ହିଁ ପର୍ଯ୍ୟବସିତ। ଏହା ଚେତାଇ ଦିଏ ବୀଣାର ଉଦାହରଣ। ତ୍ୟାଗର ଅତି ମଧ୍ୟ ସାଧନାର ବାଧକ। ସଂସାରରୂପୀ ବ୍ରହ୍ମାଣ୍ଡକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ମନେ କଲେ ଧ୍ୟାନର ବ୍ୟାପ୍ତି ସଙ୍କୁଚିତ ହୁଏ। ସିଦ୍ଧିଲାଭ ପାଇଁ ଦୁଃଖପୂର୍ଣ ତ୍ୟାଗ କେବଳ ଏକ ଲୋଭମୟ କାମନା। ଏଥିରୁ ମୁକ୍ତି ନ ପାଇ, ସହଜ ଓ ସରଳ ନ ହେବା ଯାଏ ପ୍ରକୃତ ପିଣ୍ଡ ବ୍ରହ୍ମାଣ୍ଡ ସାଧନା ସମ୍ଭବ ହେବ ନାହିଁ।

ସମ୍ବନ୍ଧିତ ଖବର