ସ୍ୱାୟଂଭୂବ ମନ୍ୱନ୍ତର ସମୟର କଥା। ସେ ବେଳର ମନୁଙ୍କର ନାତି ଭାବେ ଜନ୍ମ ନେଇଥିଲେ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷାକାରୀ ବିଷ୍ଣୁତତ୍ତ୍ୱଙ୍କର ଯଜ୍ଞ ଅବତାର। ସେତେବେଳେ ସ୍ୱର୍ଗର ଇନ୍ଦ୍ରପଦରେ ଅଧିଷ୍ଠିତ ହେବାପାଇଁ କୌଣସି ଯୋଗ୍ୟ ବ୍ୟକ୍ତି ନଥିଲେ। ତେଣୁ ଯଜ୍ଞ ଅବତାର ଇନ୍ଦ୍ର ଭାବେ ସ୍ୱର୍ଗର ଶାସନଭାର ଗ୍ରହଣ କରିଥିଲେ। ତାଙ୍କର ଥିଲେ ୧୨ ଜଣ ସନ୍ତାନ। ସେମାନଙ୍କୁ ଦେବତା ଭାବେ ଗ୍ରହଣ କରାଯାଏ।
‘ଯଜ୍’ ଧାତୁ- ଯାହାର ଅର୍ଥ ଦାନ କରିବା, ତାହା ହେଉଛି ଯଜ୍ଞ ଶବ୍ଦର ମୂଳ ଉତ୍ସ। ଯଜ୍ଞ ହେଉଛି ସେହି ପ୍ରକ୍ରିୟା, ଯେଉଁଠି ଦାନ କରା ହୋଇଥିବା ବା ଆହୁତି ଦିଆ ଯାଉଥିବା ବସ୍ତୁ ଭସ୍ମୀଭୂତ ହୋଇ ପାଉଁଶ ଓ ଧୂଆଁରେ ପରିବର୍ତ୍ତିତ ହୋଇଯାଏ। ଏହା ହେଉଛି ସମସ୍ତ ପାର୍ଥକ୍ୟରୂପୀ ମାୟାର ମୂଳ କାରଣ; ଅହଂକାରର ଆହୁତି ପ୍ରକ୍ରିୟା। ତେଣୁ ପିଣ୍ଡ ବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଯଜ୍ଞ ଓ ଯଜ୍ଞାବତାରଙ୍କର ଅନୁଭବ ବିଶେଷ ମହତ୍ତ୍ୱ ବହନ କରେ। ସାଧକଙ୍କ ପାଇଁ ଜ୍ଞାନଯଜ୍ଞ ହେଉଛି ଶ୍ରେଷ୍ଠ ଯଜ୍ଞ। ଯଜ୍ଞ ଅବତାରଙ୍କ ଅନୁଭୂତି ପାଇଁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ସାଧନାଲବ୍ଧ ଜ୍ଞାନକୁ ଆହୁତି ଦେବାକୁ ହୁଏ। ସାଧନାର ଦ୍ୱୈତ ଅବସ୍ଥାରୁ ପ୍ରାପ୍ତ ଜ୍ଞାନର ଆହୁତି ନ ଦେଲେ, ସାଧକ ମୂଳ ଅବ୍ୟକ୍ତ ସ୍ଥିତିର ଅନୁଭବର ନିକଟବର୍ତ୍ତୀ ହୋଇ ପାରିବେ ନାହିଁ। ତେଣୁ ପ୍ରାପ୍ତ ଜ୍ଞାନର ତ୍ୟାଗ ବା ଆହୁତି ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧନା ମାଧ୍ୟମରେ ଯଜ୍ଞ ଅବତାରଙ୍କ ଅନୁଭବର ଉପାୟ।
ଇନ୍ଦ୍ରପଦ ହେଉଛି ଶରୀରକୁ ପରିଚାଳନା କରୁଥିବା ବିଭିନ୍ନ ଦେବତାରୂପୀ ଶକ୍ତିମାନଙ୍କର ନିୟନ୍ତ୍ରକ ତତ୍ତ୍ୱ। ଏହା ଅହଂକାରର ଏକ ବିଶେଷ ରୂପ, ଯାହା ସ୍ୱର୍ଗରୂପୀ ମସ୍ତିଷ୍କକୁ ଶାସନ କରେ। ଉଚିତ ଶାସକ ନ ରହିଲେ ସାଧକଙ୍କ ପିଣ୍ଡବ୍ରହ୍ମାଣ୍ଡର ଉପଯୁକ୍ତ ପରିଚାଳନା ସମ୍ଭବ ହେବନାହିଁ। ଶରୀରର ସମସ୍ତ ଶକ୍ତିଙ୍କର ପରିଚାଳକ ଭାବେ ତ୍ୟାଗକୁ ଅବସ୍ଥାପିତ କରିବା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧନାରେ ଯଜ୍ଞ ଅବତାରଙ୍କ ଦର୍ଶନ। ଏହା ଯଜ୍ଞ ଅବତାରଙ୍କର ଇନ୍ଦ୍ରପଦ ଗ୍ରହଣ। ଏହାଦ୍ୱାରା ସାଧକଙ୍କର ସମସ୍ତ ସାଧନା, କର୍ମ ଓ ଜ୍ଞାନ, ଆଉ ପ୍ରାପ୍ତିର ଲୋଭରେ ଧନ୍ଦି ନହୋଇ, ତ୍ୟାଗ ଦ୍ୱାରା ପରିଚାଳିତ ହୁଏ।
ଯଜ୍ଞ ଅବତାରଙ୍କ ଔରସରୁ ସାଧକଙ୍କ ମଧ୍ୟରେ ଜନ୍ମ ନିଅନ୍ତି ୧୨ଟି ସନ୍ତୋଷ ପ୍ରଦାୟକ ଗୁଣ ବା ଦେବତା ପଦବାଚ୍ୟ ଶକ୍ତି। ପ୍ରକୃତରେ ଏମାନେ ହେଉଛନ୍ତି ସାଧନାଦ୍ୱାରା ଅନୁଭୂତ ତ୍ୟାଗରୁ ଜାତ ସନ୍ତୋଷ ଓ ଶାନ୍ତିର ବିଭିନ୍ନ ରୂପ। ଯଜ୍ଞ ଅବତାରରେ ଭଗବାନ ବିଷ୍ଣୁ ନିଜେ କର୍ତ୍ତା, କର୍ମ ଓ କର୍ମଫଳ। ସେ ନିଜେ ଯଜ୍ଞ ଓ ଯଜ୍ଞର ଉଦ୍ଦେଶ୍ୟ ମଧ୍ୟ। ଏହା ମାଧ୍ୟମରେ ସାଧକ ବୁଝିପାରନ୍ତି, ଯେ ନିଜ ସାଧନା ଦ୍ୱାରା ପ୍ରାପ୍ତ ଜ୍ଞାନର ଆହୁତି ବା ତ୍ୟାଗ ହେଉଛି ଜ୍ଞାନର ଉତ୍ସ ବା ମୂଳ ଅବ୍ୟକ୍ତ ସ୍ଥିତିର ଜ୍ଞାନଲାଭର ଉପାୟ।