ବିଷ୍ଣୁତତ୍ତ୍ୱଙ୍କର ହୟଗ୍ରୀବ ଅବତାରରେ, ତାଙ୍କର ଶିରଟି ଘୋଡ଼ା ଭଳି। ହୟଗ୍ରୀବ ଶବ୍ଦ ହେଉଛି ‘ହୟ’ ଏବଂ ‘ଗ୍ରୀବା’ ଶବ୍ଦଦ୍ୱୟର ସମାସ। ଏହାର ଆକ୍ଷରିକ ଅର୍ଥ- ଘୋଡ଼ା (ହୟ) ଭଳି ବେକ (ଗ୍ରୀବା) ଯାହାର। ଘୋଡ଼ାର ବେକଟି ଲମ୍ବା। ତେଣୁ ପ୍ରାଣବାୟୁକୁ ଫୁସ୍ଫୁସ୍ରେ ପହଞ୍ଚାଇବାପାଇଁ ଘୋଡ଼ାକୁ ଖୁବ୍ ଲମ୍ବା ଶ୍ୱାସ ନେବାକୁ ହୁଏ। ଶାନ୍ତ ଅବସ୍ଥାରେ ହେଉ କିମ୍ବା କ୍ରିୟମାଣ ଅବସ୍ଥାରେ, ଘୋଡ଼ା ନିଜର ଲମ୍ବା ବେକ ପାଇଁ ଲମ୍ବା ବା ଦୀର୍ଘ ଶ୍ୱାସ ନେବାପାଇଁ ବାଧ୍ୟ। ପିଣ୍ଡବ୍ରହ୍ମାଣ୍ଡ ସାଧକ ପ୍ରାଣାୟାମସିଦ୍ଧ ହେଲେ ଏଭଳି ଏକ ସ୍ଥିତି ଉତ୍ପନ୍ନ ହୁଏ, ଯେତେବେଳେ ବିନା ଚେଷ୍ଟାରେ ସବୁ ସମୟରେ ଶ୍ୱାସ ଗଭୀର ଓ ଦୀର୍ଘ ହୋଇଯାଏ। ସାଧନାସିଦ୍ଧ ଦିବ୍ୟଦ୍ରଷ୍ଟାମାନଙ୍କ ମତରେ, ଏହା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷାକାରୀ ବିଷ୍ଣୁତତ୍ତ୍ୱଙ୍କର ହୟଗ୍ରୀବ ଅବତାରର ଅବତରଣ।
ହୟଗ୍ରୀବଙ୍କ ହସ୍ତରେ ଥାଏ ଚକ୍ର ଓ ଗଦା। ଶାନ୍ତ ଓ ଦୀର୍ଘଶ୍ୱାସ ମେରୁଦଣ୍ଡରେ ଅବସ୍ଥିତ ଷଡ଼୍ଚକ୍ରଙ୍କୁ ସାଧକଙ୍କ ନିୟନ୍ତ୍ରଣକୁ ଆଣେ। ଏହାଦ୍ୱାରା ଶରୀରର ସମସ୍ତ ଚଞ୍ଚଳ ଭାବ ଦମନ ହୁଅନ୍ତି। ହୟଗ୍ରୀବଙ୍କ ହାତରେ ଥିବା ଦୁଇ ଆୟୁଧ ଏହି ବାର୍ତ୍ତା ବହନ କରନ୍ତି। ହୟଗ୍ରୀବ ଅବତାରଙ୍କର ଅନ୍ୟ ଦୁଇଟି ହାତ ମଧ୍ୟରୁ ଗୋଟିଏ ଥାଏ ଆଶୀର୍ବାଦ ମୁଦ୍ରାରେ ଏବଂ ଅନ୍ୟଟିରେ ସେ ଧରି ଥାଆନ୍ତି ବେଦସମୂହ। ଏହା ହେଉଛି ସାଧକଙ୍କ ମଧ୍ୟରେ ସ୍ୱତଃ ସୃଷ୍ଟି ହୋଇଥିବା ଦୀର୍ଘ ଓ ଶାନ୍ତ ଶ୍ୱାସ ବା କେବଳି ପ୍ରାଣାୟମ ସିଦ୍ଧିରୁ ଜ୍ଞାନପ୍ରାପ୍ତିର ଆଶାର ପ୍ରତୀକ।
ହୟଗ୍ରୀବ ମଧୁ ଓ କୈଟଭ ନାମକ ରାକ୍ଷସଙ୍କଠାରୁ ବେଦମାନଙ୍କୁ ଉଦ୍ଧାର କରିଥିଲେ। ମଧୁ ହେଉଛି ସନ୍ତୁଷ୍ଟି ଭାବ ଓ କୈଟଭ ହେଉଛି ସେହି ତତ୍ତ୍ୱ- ଯାହା କୀଟ ଭଳି ନଷ୍ଟ କରେ। ମନର ଏହି ଦୁଇଟି ଭାବ ଜ୍ଞାନ ବା ବେଦକୁ ସାଧକଙ୍କଠାରୁ ଲୁଚାଇ ପାରନ୍ତି। କିନ୍ତୁ ହୟଗ୍ରୀବ ରୂପୀ ଶାନ୍ତ ଓ ଦୀର୍ଘ ପ୍ରାଣକ୍ରିୟା, ଜ୍ଞାନର ଆଭାସ ବା ବେଦମାନଙ୍କୁ ପୁନର୍ବାର ସାଧକଙ୍କ ଦୃଷ୍ଟିକୁ ଆଣନ୍ତି।
ହୟଗ୍ରୀବ ଅବତାର ହୟଗ୍ରୀବ ନାମକ ସମାନ ରୂପଧାରୀ ଦାନବକୁ ମଧ୍ୟ ନିହତ କରିଥିଲେ। ପ୍ରତ୍ୟେକ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କର, ଜନ୍ମଗତ ପରିବାର ଓ ସମାଜପ୍ରଦତ୍ତ ଏକ ପରିଚୟ ଥାଏ। ଏହି ପରିଚୟର ବିନାଶ ନ ହେବାଯାଏ ସାଧକ ନିଜର ପ୍ରକୃତ ପରିଚୟର ସନ୍ଧାନ ପାଇ ପାରନ୍ତି ନାହିଁ। ହୟଗ୍ରୀବ ଅବତାରଙ୍କର ପିଣ୍ଡବ୍ରହ୍ମାଣ୍ଡ ଅନୁଭୂତି ଲାଭ କଲେ, ସାଧକ ନିଜର ବାହ୍ୟ ପ୍ରଦତ୍ତ ପରିଚୟକୁ କାଟି ପାରନ୍ତି ଏବଂ ନିଜର ଅନନ୍ତ ଅବ୍ୟକ୍ତ ପରିଚୟର ଅନୁଭବ ପଥରେ ଅଗ୍ରସର ହୁଅନ୍ତି। ଏଥିରେ ସହାୟକ ହୁଏ ହୟଗ୍ରୀବ ଅବତାରରୂପୀ ବିନା ପ୍ରଚେଷ୍ଟାରେ ଚାଲିଥିବା କେବଳି ପ୍ରାଣାୟାମର ଦୀର୍ଘ ଶ୍ୱାସ ପକ୍ରିୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/564fh654fs65fhfhfhs.jpg)